Photograph: (KANAKNEWS)
କନକ ବ୍ୟୁରୋ : ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ନାଆଁରେ ହତ୍ୟା ଧମକ ମିଳୁଛି । ସେମାନେ ଫୋନ୍ କରି ମାମଲା ପ୍ରତ୍ୟାହାର କରିବାକୁ ଧମକ ଦେଉଛନ୍ତି । ତା ନହେଲେ ତୁମକୁ ଓ କୁମ ପୁଅକୁ ଜୀବନରୁ ମାରିଦେବୁ । ୨୭ ଓ ୨୮ ତାରିଖରେ ଏଭଳି ହତ୍ୟା ଧମକ ଆସିଛି। ଆମେ ଭୟରେ କାଳାତିପାତ କରୁଛୁ । ଆମକୁ ସୁରକ୍ଷା ଯୋଗାଇ ଦିଆଯାଉ । ମୋ ସ୍ବାମୀଙ୍କୁ ସେମାନେ ଯେମିତି ମାରିଥିଲେ, ସେମାନଙ୍କୁ ସେମିତିକା ଦଣ୍ଡ ମିଳୁ । ଆଜି ସାମ୍ବାଦିକ ସମ୍ମିଳନୀରେ ମୃତ ପୀତବାସ ପଣ୍ଡାଙ୍କ ପତ୍ନୀ ଏଭଳି କହିଛନ୍ତି ।
ଅଧିକ ପଢନ୍ତୁ... ଅଭିନେତା ଅଶ୍ରୁମୋଚନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
ଅପରାଧ ବେଳର ସିନ୍ ରିକ୍ରିଏସନ୍
ସୂଚନାଯୋଗ୍ୟ, ଗତ ବୁଧବାର ଅପରାହ୍ଣରେ ପୁଲିସ ପୀତବାସ ପଣ୍ଡାଙ୍କ ହତ୍ୟା ଅଭିଯୁକ୍ତ ଚିଣ୍ଟୁ ଓ କୁରୁପତିକୁ ଧରି ହତ୍ୟାସ୍ଥଳରେ ପହଞ୍ଚିଥିଲା। ବୈକୁଣ୍ଠନଗର ପ୍ରଥମ ଗଳି ଯେଉଁଠାରେ ପୀତବାସଙ୍କୁ ଗୁଳିମାଡ଼ ହୋଇଥିଲା ସେଠାରେ ଅଭିଯୁକ୍ତମାନେ ଅପରାଧ ବେଳର ସିନ୍ ରିକ୍ରିଏସନ୍ କରି ଡେମୋ ଦେଖାଇଥିଲେ। ପୀତବାସ ସ୍କୁଟିରେ ଆସିବା ପୂର୍ବରୁ ଚିଣ୍ଟୁ ଓ କୁରୁପତି ଆଗୁଆ ସେଠାରେ ପହଞ୍ଚିଥିଲେ। ପୀତବାସ ଆସିବା କ୍ଷଣି କୁରୁପତି ବାଇକ୍ରୁ ଓହ୍ଲାଇ ତାଙ୍କୁ ‘ପଣ୍ଡା ବାବୁ ନମସ୍କାର’ ବୋଲି କହିଥିଲା ।
ପୀତବାସ ‘କିଏ’ ବୋଲି ପଚାରିବା କ୍ଷଣି କୁରୁପତି ଗୁଳି ଚଳାଇଥିଲା। ଗୁଳିଟି ପୀତବାସଙ୍କ ଛାତିରେ ବାଜିବା ମାତ୍ରେ ସେ ସ୍କୁଟି ସହ ତଳେ ପଡ଼ି ଯାଇଥିଲେ। ତଥାପି ଜୀବନ ବଞ୍ଚାଇବାକୁ ସେ କିଛି ପାଦ ଦୌଡ଼ିଥିଲେ ବି ଯାଇ ପାରିନଥିଲେ । ସେଠାରେ ପଡ଼ି ନିସ୍ତେଜ ହୋଇ ଯାଇଥିଲେ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ୬ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେଇଛି ।
ଅଧିକ ପଢନ୍ତୁ... ପୁଣେ ଜମି ଚୁକ୍ତିକୁ ନେଇ ସରଗରମ ମହାରାଷ୍ଟ୍ର ରାଜନୀତି, ଅଡ଼ୁଆରେ ଅଜିତ ପାୱାର
ଗତକାଲି ଗିରଫ ହୋଇଥିବା ସୁପାରି କିଲର୍ ଓ ଟଙ୍କା ଯୋଗାଡ଼କାରୀ ଉମା ବିଷୋୟୀ ଏବଂ ସୁଟର୍ କୁରୁପତି ଭୂୟାଁଙ୍କୁ ରାତାରାତି ପୁଲିସ ରିମାଣ୍ଡରେ ନେଇଥିଲା । ଆଜି ସକାଳେ ଆଉ ଚାରି ଜଣଙ୍କୁ ରିମାଣ୍ଡରେ ନିଆଯାଇଛି । ସେମାନେ ହେଲେ ସୁଟର୍ କୁରୁପତିକୁ ପଛରେ ବସାଇ ବାଇକ୍ ଚଳାଉଥିବା ଚିଣ୍ଟୁ ପ୍ରଧାନ, ସୁଟର୍ ଯୋଗାଡ଼ କରିଥିବା ଯୋଗୀ ରାଉତ, ସୁପାରି ଟଙ୍କା ଦେଇଥିବା ମଦନ ଦଳେଇ ଓ କର୍ପୋରେଟର୍ ମଳୟ ବିଷୋୟୀ ।
ତେବେ ୨ଦିନିଆ ରିମାଣ୍ଡ ଅବଧି ପୂର୍ବରୁ ଜେଲକୁ ଫେରିଛନ୍ତି ମଦନ ଦଳେଇ ଓ ମଳୟ ବିଷୋୟୀ । ଅନ୍ୟପଟେ ଆଜି ପୀତବାସଙ୍କ ଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଗଣମାଧ୍ୟମ ଆଗରେ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି । ଗତ ସପ୍ତାହେ ତଳେ ପୀତବାସଙ୍କ ପୁଅକୁ ଅଜ୍ଞାତ ବ୍ୟକ୍ତି ଫୋନ୍ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରିଦେବାକୁ ଧମକ ଦେଇଥିଲେ। ଏହାପର ଠାରୁ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏ ସଂକ୍ରାନ୍ତରେ ବୈଦ୍ୟନାଥପୁର ଥାନା ଆଇଆଇସି ଓ ଏସ୍ଡିପିଓଙ୍କୁ ଲିଖିତ ଭାବେ ଜଣାଇଛୁ ବୋଲି ପୂର୍ଣ୍ଣଚନ୍ଦ୍ର କହିଛନ୍ତି ।
ଗୁଳିମାଡ଼ ପରେ ଚିଣ୍ଟୁ ଓ କୁରୁପତି ବାଇକ୍ରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଚିଣ୍ଟୁ ବାଇକ୍ ଚଳାଇଥିଲା ଓ କୁରୁପତି ପଛ ସିଟ୍ରେ ବସିଥିଲା। ସେମାନେ ସେଠାରୁ ମାଉସୀ ମା’ ମନ୍ଦିର ରାସ୍ତାରେ ଲୋଚାପଡ଼ା ଦେଇ ଶୀତଳାପଲ୍ଲୀରେ ପହଞ୍ଚିଥିଲେ । ସେଠାରେ ହତ୍ୟାକାଣ୍ଡ ବେଳେ ପିନ୍ଧିଥିବା ପୋଷାକ ବଦଳାଇଥିଲେ। ହେଲମେଟ୍କୁ ଫିଙ୍ଗି ଦେଇ ପିସ୍ତଲକୁ ବାଲିରେ ପୋତି ଦେଇଥିଲେ । ଯାହା ତଦନ୍ତ ସମୟରେ ପୁଲିସ ଜବତ କରିସାରିଛି। ଶୀତଳାପଲ୍ଲୀରେ ପ୍ରମାଣ ନଷ୍ଟ କରି ଉଭୟ ବାଇକ୍ରେ ଜାତୀୟ ରାଜପଥକୁ ଉଠିଥିଲେ ।
ଚାନ୍ଦପୁର ଛକରେ ଏକ ଚା’ ଦୋକାନ ନିକଟରେ ବାଇକ୍ ରଖି ସେମାନେ ବସ୍ ଯୋଗେ ଭୁବନେଶ୍ବର ଓ ସେଠାରୁ ପୁରୀ ପଳାଇଥିଲେ । ପୁରୀରୁ ଚିଣ୍ଟୁ ଟ୍ରେନ୍ ଯୋଗେ ବେଙ୍ଗାଲୁରୁ ଓ କୁରୁପତି ଜୟପୁର ପଳାଇଥିଲା। ସେହିପରି ଅନ୍ୟ ୪ ଅଭିଯୁକ୍ତଙ୍କୁ ଝାଳବୁହା ଜେରା କରାଯାଉଛି । ଏସ୍ପି ଡ. ଶରବଣା ବିବେକ ଏମ୍ଙ୍କ ନେତୃତ୍ବରେ ତଦନ୍ତକାରୀ ଅଧିକାରୀ ଏସ୍ଡିପିଓ ପ୍ରିୟସ ରଂଜନ ଛୋଟରାୟ ଓ ଟିମ୍ ଅଭିଯୁକ୍ତମାନଙ୍କୁ ମୁହାଁମୁହିଁ ଜେରା କରୁଛନ୍ତି। ହତ୍ୟାକାଣ୍ଡ ପାଇଁ କେବେଠାରୁ ଷଡ୍ଯନ୍ତ୍ର ଆରମ୍ଭ ହୋଇଥିଲା? ମଦନ ଓ ମଳୟ କାହିଁକି ଟଙ୍କା ଖର୍ଚ୍ଚ କରୁଥିଲେ ? ଉମା ନେବାକୁ ଥିବା ୫୦ ଲକ୍ଷ କିଏ ଦେଇଥାନ୍ତା ? ଏଭଳି ବହୁ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି। ଯାହା ରିମାଣ୍ଡ ସମୟରେ ପୁଲିସ ଉଗାଳିବାକୁ ଚେଷ୍ଟା ଚଳାଇଛି ।
Follow Us