Rising Accidents Photograph: (Kanak News)
କନକ ବ୍ୟୁରୋ : ସକାଳୁ ହେଉ କି ରାତି । ଘରୁ ବାହାରିକୁ ଭୟ ଲାଗୁଛି । ରାସ୍ତାରେ ଯେମିତି ଜଗିଛି ଯମ । ପ୍ରତିଦିନ ଦିନ ଦୁର୍ଘଟଣା ଘଟୁଛି । ଆଉ ଚାଲିଯାଉଛି ମୂଲ୍ୟବାନ ଜୀବନ । ଅଶୁଭ ମଙ୍ଗଳବାର ରାଜ୍ୟର ଏକାଧିକ ସ୍ଥାନରେ ଦୁର୍ଘଟଣାରେ ଚାଲିଛି ୬ରୁ ଅଧିକ ଜୀବନ । ବାରମ୍ବାର ସଚେତନ କରାଯାଉଛି, କିନ୍ତୁ ଦୁର୍ଘଟଣାରେ ଜୀବନ ଯିବାରେ ଲାଗୁନି ବ୍ରେକ ।
କେଉଁଠି ଘନକୁହୁଡ଼ି ଯୋଗୁଁ ତ କେଉଁଠି ବେପରୁଆ ଗାଡ଼ି ଚାଳନା । ପ୍ରତିଦିନ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଉଛି ମୂଲ୍ୟବାନ ଜୀବନ । ସଡ଼କ ସୁରକ୍ଷା ନେଇ ବାରମ୍ବାର ସଚେତନତା କରାଯାଉଛି । ତଥାପି ଦୁର୍ଘଟଣା ରୋକିବାର ନାଁ ନେଉନାହିଁ । ମଙ୍ଗଳବାର ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ସ୍ଥାନରୁ ଆସିଛି ଦୁର୍ଘଟଣାର ଭୟଙ୍କର ଚିତ୍ର ।
ରାୟଗଡ଼ା ଜିଲ୍ଲା ଟିକିରି ଥାନା ମଶୁରି ପଦର ଛକ ନଟରାଜ ପେଟ୍ରୋଲ ଟ୍ରଲ ପମ୍ପ ନିକଟରେ ଦୁର୍ଘଟଣାରେ ଚାଲିଯାଇଛି ତିନି ଜୀବନ । ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ୟାଙ୍କରକୁ ବାଇକ ଧକ୍କାଦେବା ଫଳରେ ବାଇକ ଆରୋହୀଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି । ମୃତକ ହେଲେ ନରେନ୍ଦ୍ର ଝଡିଆ, ଉମାକାନ୍ତ ଝଡିଆ ଏବଂ ଟୁନୁ ଝଡିଆ । କୌଣସି କାମରେ ଟିକିରି ପଟୁ ଗୋରଖପୁର ଆଡକୁ ଯାଉଥିବା ବେଳେ ଛିଡା ହୋଇଥିବା ଟ୍ୟାଙ୍କରକୁ ଧକ୍କା ଦେଇଥିଲା ।
ଅଧିକ ପଢ଼ନ୍ତୁ : ରାଜଧାନୀରେ ନାକେଦମ୍ କରୁଛି ଟ୍ରାଫିକ ବ୍ୟବସ୍ଥା, କନ୍ଦାଉଛି ହଂସପାଳ ଓ ହାଇଟେକ୍ ଛକ ଭିଡ଼
ମାଲକାନଗିରି ଜିଲ୍ଲା ମାଥିଲି ଥାନା ଉଦୁଲିବେଡା ମୁଖ୍ୟରାସ୍ତାରେ ବାଇକ-ହାଇୱା ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣା ପରେ ଡ୍ରାଇଭର ହାଇୱା ଛାଡ଼ି ଫେରାର ହୋଇଯାଇଛି । ଗୋବିନ୍ଦପାଲିରୁ ବାଇକ ଯୋଗେ ଘରକୁ ଫେରୁଥିଲେ ଉପରସାହିର କେଶବ ଗୌଡ଼ ଓ ତାଙ୍କ ସାଙ୍ଗ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଚିପ୍ସ ବୋଝେଇ ହାଇୱା ତାଙ୍କୁ ଧକ୍କା ଦେଇଥିଲା । ଚକା ତଳେ ଚାପି ହୋଇ କେଶବଙ୍କ ମୃତ୍ୟୁ ଘଟିଥିବା ତାଙ୍କ ବନ୍ଧୁଙ୍କର ଚିକିତ୍ସା ଚାଲିଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଶିବରାତ୍ରି ଯାତ୍ରା ଦେଖିବା ହୋଇଛି କାଳ । କୁଟିଙ୍ଗା ନିକଟରେ ଦୁଇଜଣ ବାଇକରେ ବସିଥିବା ବେଳେ ହଠାତ୍ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜଣକଙ୍କର ମୃତ୍ୟୁ ଘଟିଛି । ଆଉ ଜଣେ ଗୁରୁତର ଅଛନ୍ତି । ଜଗତସିଂହପୁର ଜିଲ୍ଲା ପାରାଦୀପ ପଙ୍କପାଳ ଗଡ଼ା ନିକଟରେ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ଜୀବନ ଚାଲିଯାଇଛି ।
କେବଳ ଏତିକି ନୁହେଁ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଦୁର୍ଘଟଣାର ଆହୁରି ସାଂଘାତିକ ଚିତ୍ର । ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ସିଜୁକଳା ନିକଟରେ ସିରିଜ ଦୁର୍ଘଟଣା । କାର୍ ଉପରେ ଟ୍ରକ ଓଲଟିପଡ଼ିବାରୁ ପଛରୁ ଆସୁଥିବା ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ବାଇକ୍ ଆରୋହୀ ସମେତ ଚାରିଜଣ ଆହତ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବରୋବାହାଲ ଗାଁରେ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଡ୍ରାଇଭର ଓ ହେଲେପର ସାମାନ୍ୟ ଆହତ ହୋଇଛନ୍ତି । ସେପଟେ ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ପାଣି ଟାଙ୍କି ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଦୁଇ ଗୁରୁତର ହୋଇଛନ୍ତି ।
ଦୁର୍ଘଟଣା ତ ଘଟୁଛି । ଆଉ ଜୀବନ ବି ଯାଉଛି । ଟିକିଏ ସଚେତନ ହେଲେ ବଞ୍ଚିଯାଆନ୍ତା ଏହି ମୂଲ୍ୟବାନ ଜୀବନ ।
Follow Us