Property Declarations Photograph: (Kanak News)
କନକ ବ୍ୟୁରୋ : ତାରିଖ ପରେ ତାରିଖ । କୋର୍ଟ ରୁମର ଏ ଶବ୍ଦ ଏବେ କିଛି ସରକାରୀ ବାବୁଙ୍କ ଭାରି ପ୍ରିୟ ପାଲଟିଛି । ଡେଡଲାଇନ ପରେ ଡେଡଲାଇନ ବଢୁଛି, ହେଲେ ସମ୍ପତ୍ତି ତାଲିକା ଦେବାକୁ ସରକାରୀ ବାବୁ ନାରାଜ । କାର୍ଯ୍ୟାନୁଷ୍ଠାନ ଭୟ ବି କାଟୁ କରୁନି । ସମ୍ପତ୍ତି ତାଲିକା ନଦେଇ ବାବୁ କଣ ଲୁଚାଇବାକୁ ଚାହୁଁଛନ୍ତି ତାହାକୁ ନେଇ ସନ୍ଦେହ ଉପୁଜୁଥିବା ବେଳେ ସରକାର ଶେଷ ସୁଯୋଗ ସହ ଦେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ ।
ସମ୍ପତ୍ତି ତାଲିକା ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ । ଲାଗୁଛି ସରକାରଙ୍କର ଏ କଥା ସରକାରୀ ବାବୁଙ୍କ ପାଇଁ ଦେହସୁହା ହୋଇଗଲାଣି । ଡେଡଲାଇନ ପରେ ଡେଡଲାଇନ ସରୁଛି, ହେଲେ ସମ୍ପତ୍ତି ତାଲିକା ଦେବାକୁ ବାବୁ ନାରାଜ । ବାଧ୍ୟହୋଇ ସରକାର ଅମାନିଆ ବାବୁଙ୍କ ଶେଷ ସୁଯୋଗ ଦେଇଛନ୍ତି । ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ଚେତାବନୀ ଦେଇଛନ୍ତି ସରକାର । କେହି ଏହି ନିର୍ଦ୍ଦେଶର ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ବାବୁମାନେ ସରକାରଙ୍କ ଚେତାବନୀକୁ ମାନିବେ ତ ? ଅମାନିଆ ବାବୁଙ୍କୁ ଆଉ କେତେ ଥର ଶେଷ ତାରିଖ ଦେବେ ସରକାର ?
ଅଧିକ ପଢ଼ନ୍ତୁ : ନାକେଦମ୍ କରୁଛି ସୁପରମାର୍ଟ ନିଆଁ; କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
ଅମାନିଆ ବାବୁଙ୍କ ପାଇଁ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନାଲିଆଖି ନୂଆ ନୁହେଁ । ସମ୍ପତି ତାଲିକା ନଦେଲେ ପଦୋନ୍ନତି ମିଳିବନି ବୋଲି ପୂର୍ବରୁ ଚେତାଇଛନ୍ତି ସରକାର । ହେଲେ ଏହାର କାଣିଚାଏ ପ୍ରଭାବ ବାବୁଙ୍କ ଉପରେ ପଡ଼ିନି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସମ୍ପତ୍ତି ତାଲିକା ଦେଇନଥିବା ଲିଷ୍ଟରେ ଅନେକ ବଡ଼ ବାବୁଙ୍କ ନାଁ ରହିଛି । ଯାହାକୁ ନେଇ ବିରୋଧୀ କହିଛନ୍ତି, ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଓ ଚେତାବନୀକୁ ଖାତିର କରୁନାହାନ୍ତି ବାବୁ । ଜବାବରେ ବିଜେପି କହିଛି, ଅମାନିଆ ବାବୁଙ୍କର ପୁରୁଣା ଅଭ୍ୟାସ ଯାଇନି । ହେଲେ ବିଜେପି ସରକାର କାହାକୁ ଛାଡ଼ିବନି ।
ବାବୁ ସମ୍ପତ୍ତି ତାଲିକା ନଦେବା ଯେତିକି ସନ୍ଦେହଜନକ ସେତିକି ପ୍ରଶ୍ନବାଚୀ । ସମ୍ପତ୍ତି ତାଲିକା ନଦେଇ କ’ଣ ଲୁଚାଇବାକୁ ଚାହୁଛନ୍ତି ବାବୁ ? ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି କି ଅମାନିଆ ବାବୁ ?
Follow Us