କନକ ବ୍ୟୁରୋ : କାଲି ରାତି ଯାଇ ଆଜି ରାତି ଆସିଲା । ହେଲେ କାବୁ ହେଲାନି ଭୁବନେଶ୍ୱର ଲିଙ୍ଗିପୁର ନିଆଁ । ଏବେ ବି ହୁତୁ ହୁତୁ ଜଳୁଛି ସୁପରମାର୍ଟ । ଅଗ୍ନିଶମ ବିଭାଗର ତମାମ୍ କସରତ ସତ୍ତ୍ୱେ, ଅଗ୍ନିକାଣ୍ଡକୁ ପୂରା ଆୟତ୍ତକୁ ଆସିପାରିନି । ନିଆଁ ପ୍ରକୋପରେ ଛାତ ଓ କାନ୍ଥ ଫାଟି ଆଁ କରିଥିବା ବେଳେ, ଯେ କୌଣସି ମୁହୂର୍ତ୍ତରେ କୋଠା ଭୁଶୁଡ଼ିପାରେ ବୋଲି ଆଶଙ୍କା କରାଯାଉଛି । ନିଆଁ ସମ୍ପୂର୍ଣ୍ଣ ଲିଭିବାକୁ ଆଉ କେତେ ସମୟ ଲାଗିବ ତାକୁ ସମସ୍ତଙ୍କ ଅପେକ୍ଷା ରହିଛି । ସେପଟେ ଅଗ୍ନିଶମ ବିଭାଗର ପାରିବାପଣିଆ ଉପରେ ବି ପ୍ରଶ୍ନ ଚିହ୍ନ ଲାଗିଛି ।
୧୮ ଘଣ୍ଟା... ୪ ମହଲା କୋଠା... ୪୦ରୁ ଅଧିକ ଅଗ୍ନିଶମ ଗାଡ଼ି...୧୦୦ରୁ ଅଧିକ ଯବାନ । ଅଗ୍ନିଶମ ବିଭାଗକୁ ନାକରେ ପାଣି ପିଆଇଦେଲା ସୁପରମାର୍ଟର ସୁପର୍ ନିଆଁ । ସୋମବାର ରାତି ପ୍ରାୟ ୧୦ ଟା । ଭୁବନେଶ୍ୱର ଲିଙ୍ଗିପୁରସ୍ଥିତ ସୁପରମାର୍ଟର ତୃତୀୟ ମହଲାରେ ନିଆଁ କେଉଁଠୁ ଲାଗିଲା, କେମିତି ଲାଗିଲା, ଏବେ ବି ଅସ୍ପଷ୍ଟ । ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ଆରମ୍ଭ ହୋଇଥିଲା ନିଆଁଲିଭା କସରତ । କିଏ ଜାଣିଥିଲା ରାତି ପାହିଯିବ, କିନ୍ତୁ ବୋଲ ମାନିବନି ନିଆଁ । ଗତକାଲି ରାତି ତମାମ୍ ପାଣି ମାଡ଼ ଚାଲିଥିଲେ ବି, ସମୟ ଯେତେ ଗଡ଼ୁଥିଲା, ନିଆଁ ସେତେ ବଢ଼ୁଥିଲା । ଆଉ ରାତି ପାହିବା ବେଳକୁ ସାମ୍ନାକୁ ଆସିଥିଲା ଅଗ୍ନି ବିଭୀଷିକାର ଭୟଙ୍କର ଚିତ୍ର । ତୃତୀୟ ମହଲାରୁ ଚତୁର୍ଥ ମହଲାକୁ ବ୍ୟାପିଥିଲା ନିଆଁ । କୋଟି କୋଟି ଟଙ୍କାର କୋଠା ଓ ସାମଗ୍ରୀ ଜଳୁଥିବା ଦେଖି, କୋହ ରୋକି ପାରିନଥିଲେ ସୁପରମାର୍ଟର ମାଲିକ-ମାଲିକାଣୀ ।
ଅଧିକ ପଢ଼ନ୍ତୁ : ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବ; ଆସନ୍ତା ୩ ଘଣ୍ଟା ପାଇଁ ଟ୍ୱିନ୍ସିଟିକୁ ଘଡ଼ଘଡ଼ି ସହ ବର୍ଷା ଚେତାବନୀ
ସୁପରମାର୍ଟର ଉପର ଦୁଇ ମହଲାରେ ପ୍ଲାଷ୍ଟିକ ସାମଗ୍ରୀ ଗୋଦାମ ଥିବାରୁ, ଭୟଙ୍କର ରୂପ ନେଇଥିଲା ଦାବାନଳ । କୋଠାର ଗୋଟିଏ ମାତ୍ର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ଥିବାରୁ ଉପୁଜିଥିଲା ସମସ୍ୟା । ବ୍ରୁଣ୍ଟୋ ସ୍କାଏ ଲିଫ୍ଟ ସାହାଯ୍ୟରେ ପାଣି ମାଡ଼ କରି ନାକେଦମ୍ ହୋଇସାରିଥିଲେ ଅଗ୍ନିଶମ ଯବାନ । କୋଠାର ଦୁଇ ପାର୍ଶ୍ୱ କାନ୍ଥ ଭାଙ୍ଗି ନିଆଁ ଲିଭାଇବାକୁ ଚେଷ୍ଟା ହୋଇଥିଲା । ତଥାପି କାମ ଦେଉନଥିଲା ପାଣି । ଏହାପରେ ସ୍ୱତନ୍ତ୍ର ରୋବୋଟ୍ ଆସି ଫୋମ୍ ସ୍ପ୍ରେ କରିବାକୁ ଚେଷ୍ଟା କରିଥିଲା । ହେଲେ ନିଆଁର ପ୍ରକୋପ ଏତେ ଥିଲା ଯେ, ତାହା ବି ସମ୍ଭବ ହୋଇନଥିଲା । ଧିରେ ଧିରେ ଦବିବାରେ ଲାଗିଥିଲା ତୃତୀୟ ଓ ଚତୁର୍ଥ ମହଲାର ଛାତ । କାନ୍ଥ ଓ ଛାତ ଫାଟି କେମିତି ବାହାରୁଥିଲା ଭକ୍ ଭକ୍ ଧୂଆଁ ।
ରାଜଧାନୀ ଛାତି ଉପରେ ପଦାରେ ପଡ଼ିଲା ଅଗ୍ନିଶମ ବିଭାଗର ପାରିବାପଣିଆ । ସନ୍ଧ୍ୟା ପ୍ରାୟ ୫ଟା ବେଳକୁ ନିଆଁ ଆୟତ୍ତ ହୋଇଥିଲେ ବି, ଏଥିପାଇଁ ଲାଗିଗଲା ୧୮ ଘଣ୍ଟା । ଭୁବନେଶ୍ୱର ଓ ରାଜ୍ୟର ଅନ୍ୟ ପ୍ରମୁଖ ସହରରେ ଦିନକୁ ଦିନ ମୁଣ୍ଡ ଟେକୁଛି ସୁଉଚ୍ଚ ଉଟ୍ଟାଳିକା, ବଡ଼ ବଡ଼ ମାର୍କେଟ କମ୍ପ୍ଲେକ୍ସ ଓ ସପିଂ ମଲ୍ । ପ୍ରଶ୍ନ ଉଠୁଛି, ଏସବୁ ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ତ ? ଏହି ଘଟଣାରୁ ବୁଦ୍ଧି ଶିଖିବ କି ଅଗ୍ନିଶମ ବିଭାଗ ? ନିଜକୁ ଆହୁରି ଆଧୁନିକ ଓ ଉନ୍ନତ କରିବ କି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/24/supermart-fire-2026-02-24-20-39-04.jpg)