ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ : ଆଜି ଗୃହରେ ଆଗତ ହେବ ଅତିରିକ୍ତ ବଜେଟ୍‌

ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ। ଆଜି ଗୃହରେ ଆଗତ ହେବ ଅତିରିକ୍ତ ବଜେଟ ।  ଅପରାହ୍ନରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।  

3

Photograph: (KANAKNEWS)

କନକବ୍ୟୁରୋ : ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ। ଆଜି ଗୃହରେ ଆଗତ ହେବ ଅତିରିକ୍ତ ବଜେଟ ।  ଅପରାହ୍ନରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।  ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଆଗତ କରାଯିବ ।  ସେପଟେ ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି, କ୍ରୀଡା ଓ ଯୁବ ବ୍ୟାପାର, ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ସାମାଜିକ ସୁରକ୍ଷା ଭଳି ବିଭାଗର ପ୍ରଶ୍ନ କାଳ ରହିଛି ।  ବିଧାୟକ ମାନେ ଭିନ୍ନ ତାଲିକାଭୁକ୍ତ ପ୍ରଶ୍ନ ମଧ୍ୟ ପଚାରିପାରିବେ ।  

ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇବେ ଉଭୟ ଶାସକ ଓ ବିରୋଧୀ ।  କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ।  ତେଣୁ ଆଜି ଦ୍ବିତୀୟ ଦିନରେ ଗୃହ ସରଗରମ ରହିପାରେ । ସୂଚନା ଅନୁଯାୟୀ ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ବିଧାନସଭା ଯାଇ ସ୍ବତନ୍ତ୍ର ଅଧିବେଶରେ ଗୃହକୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି । ବିଧାନସଭାରେ ଅଭିଭାଷଣ ପରେ ରାଜଭବନରେ ହୋଇଥିଲା ରାତ୍ରିଭୋଜନ ।

ଅଧିକ ପଢନ୍ତୁ...ଶିକ୍ଷକ ବଦଳିକୁ ନେଇ ସାଂସଦ-ବିଧାୟକଙ୍କ କ୍ଷମତା ପ୍ରସଙ୍ଗ, ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ

ରାଷ୍ଟ୍ରପତିଙ୍କ ସମ୍ମାନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ରାତ୍ରିଭୋଜନ ଦେଇଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ତାଙ୍କ ପତ୍ନୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ଓ ଜୁଏଲ ଓରାମ ମଧ୍ୟ ଏହି ରାତ୍ରି ଭୋଜନରେ ସାମିଲ ହୋଇଥିଲେ ।  ଏହାଛଡା ରାତ୍ରି ଭୋଜନରେ ବାଚସ୍ପତି ସୁରମା ପାଢୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ଅନେକ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ ।

ସେହିପରି ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କୁ ସମ୍ବୋଧିତ କରିବା ସମୟରେ ରାଷ୍ଟ୍ରପତି ଗୃହ ସହ ଜଡ଼ିତ ନିଜର ପୁରୁଣା ସ୍ମୃତି ରୋମନ୍ଥନ କରିଥିଲେ । କହିଥିଲେ, ବହୁ ବର୍ଷ ପରେ ଏହି ସ୍ଥାନର ପୁରୁଣା ସ୍ମୃତି ପୁଣି ଥରେ ଜୀବନ୍ତ ହୋଇଛି। ମୁଁ ଆଜି ଯେଉଁ ସ୍ଥାନରେ ପହଞ୍ଚିଛି ତାହା କେବଳ ଏହି ପବିତ୍ର ଗୃହ ପାଇଁ । ଏହି ବିଧାନସଭା ମୋ ପାଇଁ କେବଳ ଏକ ଗୃହ ନୁହେଁ, ଏହା ମୋର ମାତୃତୁଲ୍ୟ ।   

ଏଠାରୁ ଶିଖିଥିବା ଅନୁଶାସନ ଓ ଶିକ୍ଷା ମୋତେ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚାଇଛି। ଆପଣମାନଙ୍କ ଗହଣରେ ଉପସ୍ଥିତ ରହି ମୁଁ ଅତ୍ୟନ୍ତ ଆନନ୍ଦିତ। ମୋତେ ଘରକୁ ଆସିବା ଭଳି ଲାଗୁଛି। ବିଶ୍ବର କେତେକ ଜାତୀୟ ସଂସଦ, ବିଭିନ୍ନ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିଛି । କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବା ମୋ ପାଇଁ ବିଶେଷ ଖୁସିର ବିଷୟ। ରାଷ୍ଟ୍ରପତି କହିଥିଲେ, ଓଡ଼ିଶା ବିଧାନସଭା ଅନେକ ଜନକଲ୍ୟାଣକାରୀ ଆଇନ ପାରିତ କରିଛି । ସପ୍ତଦଶ ବିଧାନସଭା ବହୁତ କମ୍‌ ସମୟ ମଧ୍ୟରେ ଅନେକ ଫଳପ୍ରଦ ବୈଠକ ସମ୍ପାଦନ କରିବ‌ା ଖୁସିର କଥା  । 

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ବହୁତ ଭଲ କାମ କରିଛି। ଓଡ଼ିଶା ଚାଷ ଓ ଚାଷୀର ରାଜ୍ୟ। ଧାନକିଣା ଉପରେ ସରକାର ସବ୍‌ସିଡି ଦେବା ଏକ ଉତ୍ତମ ପଦକ୍ଷେପ। ସୁଭଦ୍ରା ଯୋଜନାକୁ ଉପଯୋଗ କରି ଅନେକ ମହିଳା ଲକ୍ଷପତି ଦିଦି ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି ।   ପ୍ରକୃତି ଓଡ଼ିଶାକୁ ସମସ୍ତପ୍ରକାର ଦାନ ଦେଇ ଆଶୀର୍ବାଦ କରିଛି। ଏହି ରାଜ୍ୟ ପ୍ରଚୁର ଖଣିଜ ଭଣ୍ଡାର, ଜଙ୍ଗଲ ଏବଂ ଜଳସମ୍ପଦ ସହିତ ମାନବ ସମ୍ବଳରେ ଆଶୀର୍ବାଦପ୍ରାପ୍ତ। ଓଡ଼ିଶାର ପରିବେଶ କୃଷି, ଶିଳ୍ପ ଏବଂ ବାଣିଜ୍ୟର ବିକାଶ ପାଇଁ ଅତ୍ୟନ୍ତ ଅନୁକୂଳ। ଏହି ସମସ୍ତ ସୁବିଧାର ଉପଯୋଗ କରି ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରାଯାଇପାରିବ ।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାରେ ଶିଳ୍ପାୟନ ପ୍ରକ୍ରିୟା ଏକ ନୂତନ ରୂପ ନେଉଛି। ଓଡ଼ିଶାର ପ୍ରଗତି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉଚିତ। ଓଡ଼ିଶା ଦ୍ରୁତ ପ୍ରଗତି କରୁଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଆଦିବାସୀ ଏବଂ ଅନ୍ୟାନ୍ୟ ପଛୁଆ ଗୋଷ୍ଠୀର ବିକାଶ, ଗୃହ ନିର୍ମାଣ, ବିପର୍ଯ୍ୟୟ ପରିଚାଳନା ଇତ୍ୟାଦି କ୍ଷେତ୍ରରେ ଅନେକ ନୂତନ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ । 

ରାଷ୍ଟ୍ରପତି କହିଥିଲେ, ୨୦୩୬ ମସିହାରେ ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ କରାଯିବ। ଯଦି ସମସ୍ତ ଅଂଶୀଦାରମାନେ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଏକାଠି କାମ କରିପାରିବେ ,  ତେବେ ଏହା ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବାରେ ଓଡ଼ିଶାର ସର୍ବୋତ୍ତମ ଅବଦାନ ହେବ। ସମସ୍ତେ ‘ପ୍ରଥମେ ରାଷ୍ଟ୍ର’ ମନୋଭାବ ସହିତ କାମ କରିବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ  ।

 
 


 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe