କନକ ବ୍ୟୁରୋ :ବାପା-ମାଆଙ୍କ ଛାଇ ମୁଣ୍ଡ ଉପରୁ ଉଠିଗଲେ ଜୀବନ ମୁହୂର୍ତ୍ତକରେ ବଦଳିଯାଏ । କିନ୍ତୁ ଯଦି ସାହସର ସହିତ ବଞ୍ଚିବା ଶିଖିଯିବା ତେବେ କଷ୍ଟକର ରାସ୍ତା ବି ସହଜ ହୋଇଯାଏ । ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ ମଧ୍ୟ, ଜଣେ ନାରୀ କିପରି ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ସଫଳତାର ଶୀର୍ଷରେ ପହଞ୍ଚିପାରିଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଅଂଶିକା । ଅଂଶିକା ପିଲାଟିବେଳରୁ ହିଁ ନିଜ ବାପା-ମାଆଙ୍କୁ ହରାଇଥିଲେ । କିନ୍ତୁ ଜେଜେମା’ଙ୍କ କୋଳରେ ହସି ଖେଳି ବଡ଼ ହୋଇଛନ୍ତି , ତାଙ୍କ ସାହାଯ୍ୟ ପାଇ ସେ ଏପରି କିଛି କରି ଦେଖାଇଲେ, ଯାହା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ପାଲଟି ଗଲା । UPSC ଭଳି କଠିନ ପରୀକ୍ଷାରେ ୫ ଥର ବିଫଳ ହେବା ପରେ ବି ସେ ହାର ମାନି ନ ଥିଲେ। କୋଚିଂ ନ ନେଇ ମଧ୍ୟ ସେ ପାଠ ପଢ଼ାରେ ଲାଗି ରହିଲେ ଏବଂ IPS ଅଧିକାରୀ ହେଲେ ।
ନିଜର ବାପା-ମାଆଙ୍କୁ ହରାଇବା ପରେ, ତାଙ୍କ ଜେଜେମା' ହିଁ ତାଙ୍କ ପାଇଁ ସାରା ଦୁନିଆ ଥିଲେ । ଏହି କଠିନ ପରିସ୍ଥିତିରେ ମଧ୍ୟରେ ସେ ନିଜର ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇନଥିଲେ । ଆଜି, ତାଙ୍କର ଏହି ପ୍ରେରଣାଦାୟକ ଯାତ୍ରା ଏବଂ ସଂଘର୍ଷର କାହାଣୀ ସାମ୍ନାକୁ ଆସିଛି, ଯାହା ଅନେକଙ୍କୁ ପ୍ରେରଣା ଯୋଗାଇବ । ଆସନ୍ତୁ ଜାଣିବା ଅଂଶିକାଙ୍କ ଏହି ଅସାଧାରଣ ସଫଳତାର ପଛର କାହାଣୀ ।
ଅଂଶିକା ଜୈନ ଦିଲ୍ଲୀର ବାସିନ୍ଦା । ଯେତେବେଳେ ତାଙ୍କୁ ୫ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ବାପା-ମାଆଙ୍କ ଦେହାନ୍ତ ହୋଇଯାଇଥିଲା । ତାଙ୍କ ଜେଜେମା’ ଓ କାକା ତାଙ୍କର ଲାଳନପାଳନ କରିଥିଲେ । ତାଙ୍କ ଜେଜେମା’ ଜଣେ ଶିକ୍ଷୟିତ୍ରୀ ଥିଲେ ଏବଂ ସବୁବେଳେ ସେ ତାଙ୍କୁ ବୁଝାଉଥିଲେ ଯେ ଶିକ୍ଷା ହିଁ ପ୍ରକୃତ ଧନ । ଜେଜେମା’ ସିଭିଲ ସର୍ଭିସ ଅଫିସର ହେବା ବିଷୟରେ କହିବା ପରେ ଅଂଶିକାଙ୍କ ଉପରେ ତାଙ୍କ କଥାର ଗଭୀର ପ୍ରଭାବ ପଡ଼ିଥିଲା । ପ୍ରାଥମିକ ପାଠପଢ଼ା ଶେଷ କରିବା ପରେ ଅଂଶିକା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜସ୍ କଲେଜରେ ପାଛ ପଢ଼ିଲେ । ସେ Bcom ସମ୍ପୂର୍ଣ୍ଣ କରିବା ପରେ Mcom ମଧ୍ୟ କଲେ । ତେବେ ଏହି ସମୟରେ ସେ UPSC ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଥିଲେ । ପାଠପଢ଼ା ଶେଷ ହେବା ପରେ ତାଙ୍କୁ ଏକ ମଲ୍ଟିନ୍ୟାସନାଲ୍ କମ୍ପାନିରେ ଚାକିରି ମଧ୍ୟ ମିଳିଥିଲା, କିନ୍ତୁ ସେ ତାହାକୁ ଛାଡ଼ି UPSC ପ୍ରସ୍ତୁତିରେ ପୂରା ସମୟ ଦେବାକୁ ନିଷ୍ପତ୍ତି ନେଲେ ।
୨୦୧୯ରେ ଅଂଶିକାଙ୍କ ଉପରେ ଦୁଃଖର ପାହାଡ଼ ଛିଡ଼ିପଡ଼ିଲା। ଯେତେବେଳେ ସେ UPSC ପାଇଁ ପ୍ରସ୍ତୁତି କରୁଥିଲେ, ସେହି ସମୟରେ ତାଙ୍କ ଜେଜେମା’ଙ୍କ ଦେହାନ୍ତ ହୋଇଯାଇଥିଲା । ଏହା ତାଙ୍କ ଜୀବନର ସବୁଠୁ କଠିନ ସମୟ ଥିଲା, କାରଣ ବାପା-ମାଆଙ୍କୁ ହରାଇବା ପରେ ଏହା ମଧ୍ୟ ଏକ ଗଭୀର ଆଘାତ ଭଳି ଥିଲା । କିନ୍ତୁ ଜେଜେମା’ କହିଯାଇଥିବା ସେଇ କେଇ ପଦ କଥା ତାଙ୍କର ମନେ ପଡ଼ିଲା ଯେ ସ୍ୱପ୍ନରୁ ପଛକୁ ହଟିବାର ନାହିଁ । ଏହି ସାହସ ସହିତ ସେ ପୁଣିଥରେ ପାଠପଢ଼ା ଆରମ୍ଭ କଲେ ।
ଅଦିକ ପଢ଼ନ୍ତୁ---ରାଜଧାନୀର ହେବ ନବକଳେବର ; ଉପକଣ୍ଠରେ ଥିବା ଅନେକ ପଞ୍ଚାୟତ ହେବ ସାମିଲ
ସଫଳତାର ରାସ୍ତା ସେତେ ସହଜ ନଥିଲା ଏବଂ ଅଂଶିକାଙ୍କ ସହିତ ମଧ୍ୟ ସେହିଭଳି ଘଟିଲା । ୫ଟି ପ୍ରୟାସରେ ସେ ବିଫଳ ହେଲେ, କିନ୍ତୁ ଆଗକୁ ବଢ଼ି ଚାଲିଲେ। ନିଜ ବନ୍ଧୁ, କାକା ଏବଂ କଜନ୍ସଙ୍କ ସାହାଯ୍ୟରେ ସେ ପାଠପଢ଼ାର ରଣନୀତି ବଦଳାଇଲେ ଏବଂ ୨୦୨୨ର UPSC ପରୀକ୍ଷାରେ ୩୦୬ତମ ର୍ୟାଙ୍କ୍ ହାସଲ କଲେ । ଇଣ୍ଟରଭ୍ୟୁରେ ମଧ୍ୟ ଅଂଶିକା ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଚିନ୍ତାଧାରାରେ ସମସ୍ତଙ୍କ ହୃଦୟ ଜିତିଥିଲେ।
ଅଂଶିକା ୨ ଦୁଇ ବର୍ଷ ପରେ ସୋସିଆଲ ମିଡିଆରେ ନିଜର UPSC ସଂଘର୍ଷ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ୬ ବର୍ଷର କଠିନ ପରିଶ୍ରମ ଶେଷରେ ଫଳ ଦେଇଥିଲା । ମୁଁ ଭାବୁନି ଯେ ମୁଁ ମୋର ଖୁସିକୁ ଶବ୍ଦରେ ପ୍ରକାଶ କରିପାରିବି । ଅନିଶ୍ଚିତତା, ବିଫଳତା ଏବଂ ନିଜକୁ ପ୍ରଶ୍ନ କରିବାର ଭୟରେ ଆପଣ ଭାଙ୍ଗି ପଡ଼ନ୍ତି । କିନ୍ତୁ ଅତୁଟ ସମର୍ପଣ, ଧୈର୍ଯ୍ୟ ଏବଂ ପରିବାର ଓ ବନ୍ଧୁମାନଙ୍କ ସହଯୋଗରେ ଶେଷରେ ମୁଁ ସଫଳତା ପାଇଲି । ତେବେ ଆଜି ସେ ଜଣେ IPS ଅଧିକାରୀ । ତାଙ୍କ କାହାଣୀ ଏହା ପ୍ରମାଣ କରେ ଯେ ଯଦି ଇଚ୍ଛା ଶକ୍ତି ଦୃଢ଼ ଥାଏ, ତେବେ କୌଣସି ବାଧା ବିଘ୍ନ ବଡ଼ ନୁହେଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/10/ips-2025-11-10-12-24-39.jpg)