କନକ ବ୍ୟୁରୋ : ଚାଷୀଙ୍କ ନାଁରେ ୪କୋଟି ୬୭ ଲକ୍ଷର ଋଣ ଠକେଇ। ଜାଲ କାଗଜପତ୍ରରେ ଋଣ ଯୋଗୁଁ ୧୦ ବର୍ଷ ହେବ ସରକାରୀ ସୁବିଧାରୁ ବଞ୍ଚିତ ୧୫ ଶହ ଚାଷୀ । ବାରମ୍ବାର ଜିଲ୍ଲାପାଳଠୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଋଣ ଦୁର୍ନୀତି ଫାଶରୁ ମୁକୁଳି ପାରୁନାହାନ୍ତି ଚାଷୀ।
ଦୁର୍ନୀତିର ପାହାଡ଼ ଉପରେ ଠିଆ ହୋଇଛି ବାଲେଶ୍ୱର ଜିଲ୍ଲା ଭୋଗରାଇର ଦାହୁଣଦା ସେବା ସମବାୟ ସମିତି। ଜାଲ ଦସ୍ତାବିଜ ଦେଇ ଚାଷୀଙ୍କ ନାଁରେ ଋଣ କରି ଖାଇଗଲେ ୪ କୋଟି ୬୭ ଲକ୍ଷ ୧୯ ହଜାର ୨୬୦ ଟଙ୍କା। ୧୦ ବର୍ଷ ହେବ ଋଣ ଟଙ୍କା ପାଇଁ ଅଡ଼ୁଆରେ ପଡ଼ିଛନ୍ତି ୧୫ ଶହ ଚାଷୀ। ସରକାରୀ ତଥ୍ୟ କହୁଛି, ୨୦୧୧ରୁ ୨୦୧୫ ମଧ୍ୟରେ ଦାହୁଣଦା ସମବାୟ ସମିତିରେ ଋଣ ପାଇଁ ପ୍ରାୟ ୨୨ ଶହ ଚାଷୀ ଆବେଦନ କରିଥିଲେ। ୨ଜଣ କର୍ମଚାରୀ କିଛି ଉଚ୍ଚ ପଦାଧିକାରୀଙ୍କୁ ହାତ କରି ମୃତ ଚାଷୀ, ନାବାଳକ ଓ ବଙ୍ଗୀୟ ଚାଷୀଙ୍କ ନାଁରେ ଜାଲ କାଗଜପତ୍ର କରି କୋଟି କୋଟିର ଟଙ୍କା ଆତ୍ମସାତ କରିଛନ୍ତି।
୨ ଜଣ ନାବାଳକ ଓ ୪୬ ଜଣ ମୃତ ଚାଷୀଙ୍କ ନାଁରେ ଉଠିଛି ୧୫,୭୫,୯୭୬ ଟଙ୍କା, ସାର, ସଦସ୍ୟତା ଫି’, ବିପର୍ଯ୍ୟୟ ସହାୟତା ବାବଦରେ ୧,୮୩,୮୪,୪୬୨ ଟଙ୍କା ଆତ୍ମସାତ୍ କରିଥିବା ସ୍ୱତନ୍ତ୍ର ଅଡିଟ୍ ରିପୋର୍ଟରୁ ଜଣାପଡ଼ିଥିଲା। ତତ୍କାଳୀନ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରବନ୍ଧକ, ସ୍ୱତନ୍ତ୍ର ଅଡିଟ ଅଧିକାରୀ ଋଣ ହଡ଼ପ ଘଟଣାର ତଦନ୍ତ କରି ସମବାୟ ସମିତିର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନନ୍ତ ବାରିକ ଓ ସମ୍ପାଦକ ସୁବଳ ସାହୁଙ୍କୁ ନିଲମ୍ବନ କରିଥିଲେ। ବାସ୍ ସେଇଠି ଅଟକିଗଲା ତଦନ୍ତ। ଋଣ ଫାଶରେ ଫସିଥିବା ଚାଷୀଙ୍କୁ ମୁକାଳିବା ନେଇ ପଦକ୍ଷେପ ନିଆଗଲା ନାହିଁ। ତେଣୁ ଦୀର୍ଘ ବର୍ଷ ହେଲା ପେଶି ହେଉଛନ୍ତି ନିରିହ ଚାଷୀ। ନା ଋଣ ମିଳୁଛି ନା ସରକାରୀ ସହାୟତା।
ଚାଷ ଋଣ ଠକେଇ ମାମଲାର ତଦନ୍ତ ଭିଜିଲାନ୍ସ କରୁଥିବା ବେଳେ ଚାଷୀମାନେ ଜିଲ୍ଲାପାଳ ଠୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଭେଟିଛନ୍ତି। ଋଣ ଜଞ୍ଜାଳରୁ ମୁକ୍ତ କରିବା ପାଇଁ ନେହୁରା ହୋଇଛନ୍ତି। ଗତ ୧୮ ତାରିଖରେ ଭୋଗରାଇ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କ ଗୋଡ଼ ତଳେ ବସି ଦୁଃଖ ଜଣାଇଥିଲେ ଜଣେ ଚାଷୀ। ଏହାପରେ ତତ୍କାଳୀନ ସମବାୟ ସମିତିର ସମ୍ପାଦକ ସୁବଳ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅନ୍ୟ ଅଭିଯୁକ୍ତ ଏବେ ବି ମୁକ୍ତ ଭାବେ ବୁଲୁଛନ୍ତି! ତତ୍କାଳୀନ ସୁପରଭାଇଜର ଅନନ୍ତ କୁମାର ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବି ଜୋର ଧରିଛି। ସେପଟେ ଏଥିରେ ନିଜ କୌଣସି ସଂପୃକ୍ତି ନଥିବା କହିଛନ୍ତି ତତ୍କାଳୀନ ସୁପର ଭାଇଜର ତଥା ବର୍ତମାନ ବାଲେଶ୍ୱର ଭଦ୍ରକ ସମବାୟ ବ୍ୟାଙ୍କର ମ୍ୟାନେଜର ଅନନ୍ତ ଦାସ। ଜଣକୁ ଭିଜିଲାନ୍ସ ଗିରଫ କରିବା ପରେ ତଦନ୍ତ ଆଗକୁ ବଢ଼ିବ, ଚାଷୀଙ୍କୁ ନ୍ୟାୟ ମିଳିବ, ଋଣ ଠକେଇ ଫାଶରୁ ୧୫ଶହ ଚାଷୀ ମୁକୁଳିବେ ନା ପୁଣି ଏଇଠି ଧିମେଇ ଯିବ ତଦନ୍ତ। ତାକୁ ନେଇ ସନ୍ଧେହ ବଢ଼ିବାରେ ଲାଗିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/30/a9-2026-01-30-22-47-41.jpg)