କନକବ୍ୟୁରୋ : ମଣ୍ଡିରେ ଧାନ ଦେଲେ ୨୪ଘଣ୍ଟା ଭିତରେ ଆକାଉଣ୍ଟକୁ ଆସିବ ଟଙ୍କା। ପୁଣି  କ୍ୱିଂଟାଲ ପିଛା ୩୧ ଶହ ଟଙ୍କା ।   ଚଳିତ ବର୍ଷ ୮ଶହ ବୋନସ୍‌ ଦେଇଛନ୍ତି ରାଜ୍ୟ ସରକାର । ହେଲେ ମଣ୍ଡିରେ ଧାନ ବିକି ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବରାଙ୍ଗ ଗାଁର ଚାଷୀ ଶାନ୍ତିଲତା ରାଉତ  ।   ସରକାରୀ ମଣ୍ଡିରେ ଧାନ ଦେବାର ୧୦ ମାସ ପରେ ବି ମିଳୁନି ଟଙ୍କା ।  ବାରମ୍ବାର ଏ ଅଫିସରୁ ସେ ଅଫିସ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ହାଟଡିହି ବ୍ଲକ ବରାଙ୍ଗ ଗାଁର ମହିଳା ଚାଷୀ ଶାନ୍ତିଲତା ରାଉତ।  ସେ ସଢ଼ା ସମବାୟ ସମିତି ମଣ୍ଡିରେ ଧାନ ବିକିବା ନେଇ ପଞ୍ଜିକରଣ କରି ତାଙ୍କ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆକାଉଣ୍ଟ ନମ୍ବର ଦେଇଥିଲେ ।

Advertisment

ଟୋକନ ପାଇ ଗତ ଜାନୁୟାରୀ ୧୦ରେ ୭୫ କୁଇଣ୍ଟାଲ ଧାନ ବିକିଥିଲେ ।  ଧାନ ବାବଦକୁ ୨ ଲକ୍ଷ ୩୨ ହଜାର ୫୦୦ ଟଙ୍କା ପାଇବା କଥା, କିନ୍ତୁ ଟଙ୍କାଟିଏ ବି ମିଳିନାହିଁ। ଅନେକ ଦିନର ଅପେକ୍ଷା ପରେ ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବି ଜଣାଇ ନିରାଶ ହୋଇଥିବା କହିଛନ୍ତି ଶାନ୍ତିଲତାଙ୍କ ପୁଅ ଅନାଦି।
ସମବାୟ ସମିତି କର୍ତ୍ତୃପକ୍ଷ ଭୁଲ ଆକାଉଣ୍ଟ ନମ୍ବରରେ ଟଙ୍କା ପଠାଇଦେବାରୁ ଏପରି ହୋଇଥିବା ଜଣାପଡ଼ିଛି ।  ୭ ଦିନ ମଧ୍ୟରେ ଟଙ୍କା ନମିଳିଲେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ଶାନ୍ତିଲତା ଓ ତାଙ୍କ ପୁଅ। ସେପଟେ ସମିତି ସମ୍ପାଦିକା ରଞ୍ଜିତା ଜେନା କହିଛନ୍ତି, ଭୁଲରେ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଟଙ୍କା ଚାଲିଯାଇଛି।  ଧାନ ଟଙ୍କା ନପାଇବାରୁ ଚାଷ ପାଇଁ କରିଥିବା କରଜ ସୁଝି ପାରୁନାହାନ୍ତି । ଧାନ ଟଙ୍କା ଅନ୍ୟ ଆକାଉଣ୍ଟକୁ ଯାଇଥିବା ଜାଣିବା ପରେ ବିବ୍ରତ ହୋଇପଡ଼ିଛନ୍ତି ।