କନକ ବ୍ୟୁରୋ: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ’ମୋନ୍ଥା’ । ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଅକ୍ଟୋବର ୨୮ ତାରିଖରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍‌ଡି । ଦକ୍ଷିଣ ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିବ । ଖାଲି ଦକ୍ଷିଣ ନୁହେଁ, ଉପକୂଳ ଓଡ଼ିଶାରେ ମଧ୍ୟ ୩ ଦିନ ଧରି ପ୍ରବଳ ବର୍ଷିବ । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମକୁ ରେଡ ୱାଣ୍ଣିଂ ଜାରି କରାଯାଇଛି । ସମୁଦ୍ର ଭିତରେ ଗତି କରୁଛି ଅବପାତ । ଆଜି(ରବିବାର) ସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବ । ଆସନ୍ତାକାଲି(ସୋମବାର) ଅର୍ଥାତ୍ ୨୭ ତାରିଖ ସକାଳେ ବାତ୍ୟାର ରୂପ ନେବ । ୨୮ତାରିଖ ସନ୍ଧ୍ୟାରୁ ରାତି ଭିତରେ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ । ମଛଲିପଟ୍ଟନମ୍‌ ଓ କଳିଙ୍ଗପଟ୍ଟନମ୍ ମଧ୍ୟରେ କାକିନଡ୍ଡା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୯୦ରୁ ୧୦୦ କିମି ରହିବ । ଆଜି ବାତ୍ୟାର ଗତିପଥ ନେଇ ଆହୁରି ଚିତ୍ର ସ୍ପଷ୍ଟ ହେବ ।  

Advertisment

ଆନ୍ଧ୍ରରେ ସ୍ଥଳଭାଗ ଛୁଇଁଲେ ମଧ୍ୟ ଓଡ଼ିଶା ଉପରେ ଏହାର ବ୍ୟାପକ ପ୍ରଭାବ ପଡିବ । ଓଡ଼ିଶାରେ ବଡ଼ ବର୍ଷା ହେବ । ୪ ଦିନ ପ୍ରବଳ ବର୍ଷିବ । ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲା । ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟରେ ୨୭ରୁ ୩୦ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୭ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅକ୍ଟୋବର ୨୮ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷିବ । ଏଥିସହ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଳାରେ ପବନର ବେଗ ଅଧିକ ରହିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୯ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ୩୦ରେ ମଧ୍ୟ ବର୍ଷା ଲାଗି ରହିବ । ପାଣିପାଗ ବିଭାଗର ଆକଳନକୁ ନେଇ ସତର୍କ ହୋଇଛନ୍ତି ସରକାର । ଏସ୍‌ଆରସିଙ୍କ ସମେତ ପ୍ରଭାବିତ ହେବାକୁ ଥିବା ଜିଲ୍ଳାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ବ ମନ୍ତ୍ରୀ । ରିଲିଫ୍ ସାମଗ୍ରୀ, ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭୂସ୍ଖଳନ ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିବାକୁ କୁହାଯାଇଛି । ଏଥିସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।  

ଏହା ବି ପଢ଼ନ୍ତୁ: ମାଡ଼ି ଆସୁଛି ଭୀଷଣ ବାତ୍ୟା, ୨୮ରେ ଛୁଇଁବ ସ୍ଥଳଭାଗ

ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବାକୁ ଥିବାରୁ ଦକ୍ଷିଣ ଓଡିଶାରେ ବିଶେଷ କରି ଅଧିକ ପ୍ରଭାବ ପଡ଼ିପାରେ । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କର୍ମଚାରୀ ହେଡକ୍ୱାର୍ଟରରେ ରହିବେ । କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଭୂସ୍ଖଳନ ହୋଇପାରେ, ରାସ୍ତା ଧସିପାରେ, ବଡ଼ ବଡ଼ ଗଛ ଉପୁଡ଼ିପାରେ, ବିଦ୍ୟୁତ ସରାବରହ ବି ବ୍ୟାଘାତ ହୋଇପାରେ । ଏସବୁ ଉପରେ ନଜର ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଲୋକେ ଯେକୌଣସି ସମସ୍ୟାର ସମ୍ମୁଖୀନ ହେଲେ, ତୁରନ୍ତ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ଜଣାଇବାକୁ ପରାମର୍ଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ।  

ସେପଟେ ବାତ୍ୟା ମୋନ୍ଥାକୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ବି ପ୍ରସ୍ତୁତି କରିଛି । ଜିଲ୍ଲାର ସମସ୍ତ ୭ଟି ବ୍ଳକରେ ବରିଷ୍ଠ ଅଧିକାରୀ ମାନଙ୍କୁ ନୋଡାଲ ଅଧିକାରୀ ଭାବରେ ନିୟୋଜିତ କରାଯାଇଛି । ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡ଼ିବାକୁ ବାରଣ କରାଯାଇଛି ।  ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନିଜକୁ ପ୍ରସ୍ତୁତ କରିଛି ବ୍ରହ୍ମପୁର ଅଗ୍ନିଶମ ବିଭାଗ । ବିଭିନ୍ନ ସରଞ୍ଜାମକୁ ପ୍ରସ୍ତୁତ କରୁଛନ୍ତି ଅଗ୍ନିଶମ ବିଭାଗର ଟିମ୍‌ । ବାତ୍ୟାର ସଫଳ ମୁକାବିଲା କରିବା ପାଇଁ ୮ଟି ଟିମ୍ ଗଠନ କରାଯାଇଛି । ଆସିକା ଲାଇଟ, ପାୱାର ଲାଇଟ, ବୋଟ୍, ଗଛକଟା ମେସିନ୍ ସହିତ ଅନ୍ୟାନ୍ୟ ସରଞ୍ଜାମକୁ ପ୍ରସ୍ତୁତ କରାଯାଉଛି ।