କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି ସରକାର । ପ୍ରଭାବିତ ହେବାକୁ ଥିବା ଜିଲ୍ଳା ପ୍ରଶାସନକୁ ସତର୍କ  କରିବା ସହ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁସ୍ଖଳନ ପ୍ରବଣ ଅଂଚଳ ଚିହ୍ନଟ କରାଯାଇ ସତର୍କ କରାଯାଇଛି । ଏପଟେ ଲୋକସେବା ଭବନରେ ଚାଲିଛି ଘନ ଘନ ବୈଠକ।  ମୁଖ୍ୟମନ୍ତ୍ରୀ ବି ସ୍ବତନ୍ତ୍ର ଭାବେ ନଜର ରଖିଛନ୍ତି । 

Advertisment

ଉପକୂଳ ମୁହାଁ ହେଉଥିବା ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ସରକାର । ରାଜସ୍ବମନ୍ତ୍ରୀଙ୍କ ଅଧକ୍ଷତାରେ ଚାଲିଛି ଘନ ଘନ ବୈଠକ । ବିଭିନ୍ନ ବିଭାଗର ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ କରିଛନ୍ତି ଆଲୋଚନା । ବାତ୍ୟା ପ୍ରଭାବରେ ହେବାକୁ ଥିବା ବର୍ଷା, ପବନରେ ଯେମିତି କୌଣସି କାଜୁଆଲଟି ନହୁଏ ତା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୪ଘଣ୍ଟିଆ କଂଟ୍ରୋଲ ରୁମ୍ ଖୋଲାଯାଇଛି । ଆବଶ୍ୟକ ହେଲେ ହେଲିକପ୍ଟର ବ୍ୟବହାର କରାଯିବ । ଅତି ଆବଶ୍ୟକ ନପଡିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । 

ଆହୁରି ପଢ଼ନ୍ତୁ... ମାଡ଼ିଆସୁଛି ବାତ୍ୟା ମୋନ୍ଥା; ଆନ୍ଧ୍ରରେ ପଶିବ, ଓଡ଼ିଶାରେ ଘାଣ୍ଟିବ

ବାତ୍ୟାକୁ ଦେଖି ଜିଲ୍ଲା ସ୍ତରରେ ଭୁସ୍ଖଳନ ପ୍ରବଣ ସ୍ଥାନ ଗୁଡିକୁ ଚିହ୍ନଟ କରାଯାଇଛି । ସେହିସବୁ ସ୍ଥାନରୁ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଛି । ପାହାଡ଼ ଉପରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ରେଡ୍ ଆଲର୍ଟରେ ଥିବା ୮ଜିଲ୍ଲାରେ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ ୩୦ ପର୍ଯ୍ୟନ୍ତ ଅଙ୍ଗନବାଡି ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି । ଆବଶ୍ୟକସ୍ଥଳରେ ସ୍କୁଲ ଗୁଡିକୁ ମଧ୍ୟ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ କୁହାଯାଇଛି । 

ବିପଦ ଆଶଙ୍କା ଥିବା ସ୍ଥାନମାନଙ୍କରେ ଅଗ୍ନିଶମ, ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମକୁ ନିୟୋଜିତ କରାଯାଇଛି । ସେମାନଙ୍କୁ ପାୱାର ବୋଟ, ରବର ବୋଟ, ଜେସିବି, ଗଛ କଟା ଯନ୍ତ୍ର, ପାୱାର ଚେନ, ଟେଲିସକୋପିକ ଲାଇଟ ଦିଆଯାଇଛି । ଭୂସ୍ଖଳନ ନେଇ ପୁଲିସ ଓ ପ୍ରଶାସନ ସହ ଯୋଗସୂତ୍ର ରଖିବାକୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟା ଉପରେ ସ୍ବତନ୍ତ୍ର ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ମୁକାବିଲା ନେଇ ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହ କରିବେ ଆଲୋଚନା ।