କନକ ବ୍ୟୁରୋ : ବଙ୍ଗୋପସାଗରରେ ଗଭୀର ଅବପାତ । ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ । ସମୁଦ୍ର ଭିତର ବଳ ଗୋଟାଇ ସ୍ଥଳଭାଗ ମୁହାଁ ଗଭୀର ଅବପାତ । ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା । ୨୮ରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍ଡି । ଅବପାତଟି ଏବେ ଚେନ୍ନାଇରୁ ୮୫୦ କିଲୋମିଟର, ବିଶାଖାପାଟଣାରୁ ୮୯୦ କିଲୋମିଟର, ଆନ୍ଧ୍ରପ୍ରଦେଶର କାକିନାଡାରୁ ୮୯୦ କିଲୋମିଟର ଦକ୍ଷିଣ ପୂର୍ବରେ ଏବଂ ଗୋପାଳପୁରରୁ ୯୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଅଛି । ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ୨୮ତାରିଖ ସକାଳ ସୁଦ୍ଧା ପ୍ରବଳ ଘୂର୍ଣ୍ଣିଝଡ଼ରେ ପରିଣତ ହେବ ।
ଅଧିକ ପଢ଼ନ୍ତୁ--ଭଗବାନ ମୋତେ ରାଜନୀତିକୁ ପଠାଇଛନ୍ତି, ବିହାର ଭୋଟ୍ ପୂର୍ବରୁ ଚର୍ଚ୍ଚାରେ ଖେସାରିଙ୍କ ବୟାନ
ଏହା ୨୮ ଅକ୍ଟୋବର ସନ୍ଧ୍ୟା ଅବା ରାତିରେ ମଚିଲିପଟ୍ଟନମ ଏବଂ କଳିଙ୍ଗପଟ୍ଟନମ ମଧ୍ୟରେ କାକିନାଡା ନିକଟବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏକ ପ୍ରବଳ ଘୂର୍ଣ୍ଣିଝଡ଼ ରୂପେ ପବନ ବେଗ ଘଣ୍ଟା ପ୍ରତି ୯୦-୧୦୦ କିଲୋମିଟର ରହିବ । ମଝିରେ ମଝିରେ ଝଟକା ପବନ ଘଣ୍ଟା ପ୍ରତି ୧୧୦ କିଲୋମିଟର ବହିବ ବୋଲି ଆକଳନ କରାଯାଇଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିବ । ଖାଲି ଦକ୍ଷିଣ ନୁହେଁ, ଉପକୂଳ ଓଡ଼ିଶାରେ ମଧ୍ୟ ୩ ଦିନ ଧରି ପ୍ରବଳ ବର୍ଷିବ। ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମକୁ ରେଡ ୱାଣ୍ଣିଂ ଜାରି କରାଯାଇଛି ।
ଏହାର ପ୍ରଭାବରେ ଓଡ଼ିଶାରେ ୪ ଦିନ ପ୍ରବଳ ବର୍ଷିବ । ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲା । ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟରେ ୨୭ରୁ ୩୦ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୭ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ନବରଂଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅକ୍ଟୋବର ୨୮ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନବରଂପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷିବ ।
ଏଥିସହ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଳାରେ ପବନର ବେଗ ଅଧିକ । ଅକ୍ଟୋବର ୨୯ ପାଇଁ ମାଲକାନଗିରି, କୋରାପୁଟ, ନବରଂଗପୁର, କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ୩୦ରେ ମଧ୍ୟ ବର୍ଷା ଲାଗି ରହିବ । ପାଣିପାଗ ବିଭାଗର ଆକଳନକୁ ନେଇ ସତର୍କ ହୋଇଛନ୍ତି ସରକାର । ଏସଆରସିଙ୍କ ସମେତ ପ୍ରଭାବିତ ହେବାକୁ ଥିବା ଜିଲ୍ଳାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ବ ମନ୍ତ୍ରୀ । ରିଲିଫ୍ ସାମଗ୍ରୀ, ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭୂସ୍ଖଳନ ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିବାକୁ କୁହାଯାଇଛି। ଏଥିସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/26/cyclone-2025-10-26-10-44-07.jpg)