କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଭୋଜପୁରୀ ସୁପରଷ୍ଟାର ଖେସାରି ଲାଲ ଯାଦବ । ଆରଜେଡି ଟିକେଟରେ ବିହାର ନିର୍ବାଚନ ଲଢ଼ୁଥିବା ଖେସାରି ପୂର୍ବରୁ RJDରେ ଯୋଗ ଦେଇଥିବା ବେଳେ ଏବେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଏକ ରୋଚକ ବୟାନ ଦେଇଛନ୍ତି । ଖେସାରି କହିଛନ୍ତି ଯେ, ସେ କେବେ ରାଜନୀତିରେ ପ୍ରବେଶ କରିବାକୁ ଚାହୁନଥିଲେ କିନ୍ତୁ ଭଗବାନ ତାଙ୍କୁ ପଲିଟିକ୍ସ କରିବା ପାଇଁ ପଠାଇଛନ୍ତି । ଏଭଳି ବୟାନ ପରେ ବିହାର ମଇଦାନରେ ଚର୍ଚ୍ଚା ଜୋର । 

Advertisment

ଛପରାରୁ ନିର୍ବାଚନ ଲଢ଼ିବା ସମ୍ପର୍କରେ ଖେସାରି ଲାଲ ଯାଦବ କହିଛନ୍ତି, ଯଦି ଭବିଷ୍ୟତରେ ଛପରାର ବିକାଶ ପାଇଁ ମୋତେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରତିବାଦ କରିବାକୁ ପଡ଼େ, ତେବେ ମୁଁ ତାହା ମଧ୍ୟ କରିବି । ଯଦି ନିର୍ବାଚନ ଜିତିବା ପରେ ମୁଁ ଛପରାର ବିକାଶ ନକରିପାରିଲି, ତେବେ ମୁଁ ଆଉ କେବେ ନିର୍ବାଚନ ଲଢ଼ିବି ନାହିଁ । "

ଅଧିକ ପଢ଼ନ୍ତୁ---  ଜମୁଛି ନୂଆପଡ଼ା ଉପନିର୍ବାଚନ ପ୍ରଚାର; ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ଖାଲି ଏତିକି ନୁହେଁ ଖେସାରି ଲାଲ ଯାଦବ ତାଙ୍କ ଅଶ୍ଳୀଳ ଗୀତ ପାଇଁ ମଧ୍ୟ ଅନୁତାପ କରିଛନ୍ତି । କାରଣ ବିରୋଧୀମାନେ ଏବେ ତାଙ୍କର ପୁରୁଣା ଗୀତ, ବିଶେଷକରି ଅଶ୍ଳୀଳ ଗୀତଗୁଡ଼ିକୁ ଭାଇରାଲ କରୁଛନ୍ତି । ଏହା ଉପରେ ପ୍ରତିକ୍ରିୟା ମଗାଯିବାରୁ ସେ କହିଥିଲେ, ସେଭଳି ଗୀତ କରିବ‌ା ମୋର ଭୁଲ ଥିଲା । କିନ୍ତୁ ଏବେ ମୁଁ ଛପରାରୁ ନିର୍ବାଚନ ଲଢ଼ୁଛି ଏବଂ ମୁଁ ଆପଣଙ୍କୁ କହିବାକୁ ଚାହୁଛି ଯେ, ମୋର ଅଶ୍ଳୀଳ ଗୀତ ଛପରାରେ ଜଳବନ୍ଦୀ ସୃଷ୍ଟି କରିନାହିଁ । ମୋ ଗୀତ ଯୋଗୁଁ ପିଲାମାନଙ୍କର ଶିକ୍ଷା ନଷ୍ଟ ହୋଇନାହିଁ । ଏପରିକି ଡାକ୍ତରଖାନାର ଦୟନୀୟ ସ୍ଥିତି ପାଇଁ ମୋ ପୁରୁଣା ଗୀତଗୁଡ଼ିକ ଦାୟୀ ନୁହେଁ । 

ସେପଟେ କରକାଟ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭୋଜପୁରୀ ସୁପରଷ୍ଟାର ପବନ ସିଂଙ୍କ ପତ୍ନୀ ଜ୍ୟୋତି ସିଂହ ଖେସାରି ଲାଲଙ୍କୁ ଭାଇ ବୋଲି କହି ପ୍ରଚାର କରିବାକୁ ନିବେନି କରିଛନ୍ତି । ପବନ ଓ ଜ୍ୟୋତିଙ୍କ ମଧ୍ୟରେ ବ୍ୟକ୍ତିଗତ ବିବାଦ ଚାଲିଥିବା ବେଳେ ଖେସାରି ଜ୍ୟୋତିଙ୍କୁ ସମର୍ଥନ କରିଥିଲେ । ଏବେ ନିର୍ବାଚନ ଲଢ଼ିବାରେ ମଧ୍ୟ ଖେସରି ତାଙ୍କୁ ସମର୍ଥନ କରନ୍ତୁ ବୋଲି କହିଛନ୍ତି ଜ୍ୟୋତି ।