କନକ ବ୍ୟୁରୋ : କିଛିମାସ ଭିତରେ ଘଟିଥିବା ସାଇବର ଅପରାଧର ତଥ୍ୟ ସମସ୍ତଙ୍କୁ ଚକିତ କରିବ । ସାଇବର ଅପରାଧୀ ସହରୀ କୋଟିପତିଙ୍କ ତାଲିକା ପ୍ରସ୍ତୁତ କରି ଲୋଭ ଦେଖାଉଛନ୍ତି । ଲୋଭର ବଶବର୍ତ୍ତୀ ହୋଇ କୋଟିକୋଟି ଟଙ୍କା ସାଇବର ଲୁଟେରାଙ୍କ ହାତକୁ ଟେକି ଦେଉଛନ୍ତି ଧନୀ । ନଜର ପକାନ୍ତୁ କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ତଥ୍ୟ ଉପରେ ।  

Advertisment

ଜାନୁଆରି ୨୯, ୨୦୨୫

ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ସେୟାର ମାର୍କେଟରେ ଟଙ୍କା ନିବେଶ କରି ଭଲ ରିଟର୍ଣ୍ଣ ପାଇବାର ଲୋଭ ଦେଖାଇଥିଲେ ସାଇବର ଅପରାଧୀ । ୧ କୋଟି ୫୫ ଲକ୍ଷ ଟଙ୍କା ଠକଙ୍କ ହାତକୁ ଟେକିଦେଲେ ଏହି ବ୍ୟକ୍ତି । ଟଙ୍କା ପାଇବା ପରେ ଚୂନ ଲଗାଇ ଫେରାର ହେଲେ ଲୁଟେରା । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଦୁଇ ଜଣଙ୍କୁ ବାନ୍ଧିଛି ।

୨୪ ଅଗଷ୍ଟ, ୨୦୨୪

ସମାନ ଢଙ୍ଗରେ ଅନୁଗୁଳର ଜଣେ ଯୁବକଙ୍କୁ ସେୟାର ବଜାରରେ ପୁଞ୍ଜିନିବେଶ ପାଇଁ ଲୋଭ ଦେଖାଇଲେ ସାଇବର ଲୁଟେରା । ହାଇ ରିଟର୍ଣ୍ଣ ଲୋଭରେ ୬ କୋଟି ୨୮ ଲକ୍ଷ ଟଙ୍କା ଅନଲାଇନରେ ଠକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଲେ ସେହି ବ୍ୟକ୍ତି,ଟଙ୍କା ପାଇବା ପରେ ଆଉ ଧରାଛୁଆଁ ଦେଲେନି ଅଦୃଶ୍ୟ ଠକ । ଏଭଳି ଅନେକ ଲୋକଙ୍କୁ ଚୂନ ଲଗାଇଥିବା ଏହି ଗ୍ୟାଙ୍ଗର ୩୧ ଜଣଙ୍କୁ ବିଭିନ୍ନ ରାଜ୍ୟରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । 

୧୬ ଏପ୍ରିଲ, ୨୦୨୪

କଟକ ପୁରୀଘାଟ ଅଞ୍ଚଳର ଜଣେ ଯୁବକଙ୍କୁ ଷ୍ଟକ୍ ମାର୍କେଟରେ ନିବେଶ କରିବା ନାଁରେ ୨ କୋଟି ୩୬ ଲକ୍ଷ ଚୂନ ଲଗାଇଛନ୍ତି ଦୁର୍ବୃତ୍ତ  । ଏଭଳି ମାଳମାଳ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ଯେଉଁଥିରେ ଅଧିକାଂଶ ଧନୀଲୋକ ଏଭଳି ଠକାମିର ଶିକାର ହୋଇଥିବା ଜଣା ପଡ଼ିଛି । ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଲୋଭର ବଶବର୍ତ୍ତୀ ହେଉଛନ୍ତି ସହରୀ ଧନୀ । ଆଉ ଏହାର ଫାଇଦା ନେଉଛନ୍ତି ସାଇବର କ୍ରିମିନାଲ  ।