କନକ ବ୍ୟୁରୋ : ଜମି କେଳେଙ୍କାରୀ ପଦାରେ ପଡ଼ିବା ପରେ, ସିଡିଏରେ ଖେଳିଗଲାଣି କି ଭିତିରିଆ ହଡ଼କମ୍ପ ? କଟକ ଉନ୍ନୟନ କର୍ତ୍ତୃପକ୍ଷ ଟେଣ୍ଡର ଅନିୟମିତତା ଜାଲରେ ଛନ୍ଦି ହୋଇଥିବା ବେଳେ, ଏନେଇ ସ୍ପଷ୍ଟ କରିବା ବଦଳରେ ଚିହିଁକି ଉଠୁଛନ୍ତି ନିଜେ ସିଡିଏ ସଚିବ। ସତ ପଚାରିଲେ କହୁଛନ୍ତି- ମୋତେ ପଚାରନି, ସୂଚନା ଅଧିକାର ଆଇନରେ ତଥ୍ୟ ମାଗ । ଏଭଳି ଅଜବ ଯୁକ୍ତି ପରେ ସନ୍ଦେହ ଆହୁରି ଘନିଭୂତ ହେବା ସହ ରାଜନୀତି ବି ଜୋର୍ ଧରିଛି ।

Advertisment

ଶହେ କୋଟିର ଜମିକୁ ମାତ୍ର ୩ କୋଟିରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଟେକି ଦେବା ଅଭିଯୋଗ ଆସିବା ପରେ, ପ୍ରଶ୍ନ ଘେରରେ କଟକ ଉନ୍ନୟନ କର୍ତ୍ତୃପକ୍ଷର ସ୍ୱଚ୍ଛତା । ସିଡିଏ ସେକ୍ଟର-୬ର ଏହି ସରକାରୀ ଜମି ଲିଜ୍ ପଛରେ ବାରି ହେଉଛି ଟେଣ୍ଡର କେଳେଙ୍କାରୀର ଗନ୍ଧ । ଏକ ଦାୟିତ୍ୱସଂପନ୍ନ ଗଣମାଧ୍ୟମ ଭାବେ ଏନେଇ ଖବର ପ୍ରସାରଣ ପୂର୍ବରୁ ସିଡିଏ ସଚିବଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲା କନକ ନ୍ୟୁଜ୍ । ହେଲେ ସେ ପ୍ରଥମେ ଧରାଛୁଆଁ ଦେଇନଥିଲେ...ଦିନ ଗଡ଼ାଇଥିଲେ । ଆଉ ଆଜି କ୍ୟାମେରା ଦେଖି ଏମିତି ଚିହିଁକି ଉଠିଲେ । ସତ ପଚାରିବାରୁ ଚିଡ଼ିଯାଇ ବୁମ୍ ଠେଲିଦେଲେ ବାବୁ । ତା ସହ ରଖିଲେ ଅଜବ ଯୁକ୍ତି । କହିଲେ- ମୁଁ କିଛି ଜାଣିନି । କିଛି ଦୁର୍ନୀତି ହୋଇନି । ଆର୍‌ଟିଆଇରେ ତଥ୍ୟ ମାଗନ୍ତୁ ।

ଅଧିକ ପଢ଼ନ୍ତୁ : ସିଡିଏ ଜମି କେଳେଙ୍କାରୀ: ଦୁର୍ନୀତି ନେଇ ଅଜ୍ଞାତ ଦାବି କଲେ ସିଡିଏ ସଚିବ, ଉଠିଲା ଗମ୍ଭୀର ପ୍ରଶ୍ନ

ସିଡିଏର ବହୁମୂଲ୍ୟ ଜମିକୁ ଶାଗମାଛ ଦରରେ ଆବଣ୍ଟନ ହେଉଛି । ଥରେ ଟେଣ୍ଡର୍‌ ବାହାରି, ପୁଣି ଆବେଦନ ତାରିଖ ଘୁଞ୍ଚାଯାଉଛି । ଅଥଚ ସଚିବ କହୁଛନ୍ତି- ମୋତେ କିଛି ଜଣାନାହିଁ । ଅନ୍ୟ ବିଭାଗରେ ପଚାରନ୍ତୁ । ପ୍ରଶ୍ନ ଉଠୁଛି- ଯଦି ନିଆଁ ନାହିଁ, ଧୂଆଁ ଉଠୁଛି କାହିଁକି ? ଯଦି କିଛି ଲୁଚାଇବାର ନାହିଁ, ଏତେ ଭୟଭୀତ କାହିଁକି ?

ସରକାରୀ ଜମି ଲିଜ୍ ଅନିୟମିତତା ଅଭିଯୋଗକୁ ନେଇ କଟକ ମେୟର ମଧ୍ୟ ଉଚ୍ଚସ୍ତରୀୟ ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ, ରାଜନୀତି ବି ତେଜିଛି । ଜମି କେଳେଙ୍କାରୀକୁ ନେଇ ସିଡିଏ ପକ୍ଷରୁ କେବେ ସ୍ପଷ୍ଟୀକରଣ ରଖାଯାଉଛି, କିଏ ମୁହଁ ଖୋଲିବାକୁ ସତ୍‌ସାହସ ଦେଖାଉଛି, ତାକୁ ହିଁ ଅପେକ୍ଷା ।