Photograph: (KANAKNEWS)
କନକ ବ୍ୟୁରୋ: ବାୟୁ ପ୍ରଦୂଷଣ ପରେ ଏବେ ବିଷ ପାଲଟିଲଣି ଶିଳ୍ପନଗରୀ ବୋଲାଉଥିବା ଅନୁଗୁଳର ପାଣି । ଏ କଥା ଆମେ କହୁନୁ ବରଂ ଅନୁଗୁଳ ଜିଲ୍ଲାର ପରଙ୍ଗ ଡ୍ୟାମରେ ମରି ପଡ଼ିଥିବା କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ ଏହାର ଜ୍ବଳନ୍ତ ପ୍ରମାଣ । ଆଉ ମାଛ ମଡ଼କ ଦେଖି ଚିନ୍ତାରେ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ । ଉଦ୍ୟୋଗ ନଗରୀ ପରଙ୍ଗ ଡ୍ୟାମରେ ଛୋଟ ମାଛଠୁ ଆରମ୍ଭ କରି ବଡ଼ ବଡ଼ ମାଛ ଯାଏଁ ସବୁ ମରି ପାଣିରେ ଭାସୁଛନ୍ତି । ବଡ଼କଥା ହେଲା ପରଙ୍ଗ ପଞ୍ଚାୟତର ବ୍ରାହ୍ମଣୀ ଦେବୀ ସ୍ଵୟଂ ସହାୟକ ଗୋଷ୍ଠୀ ଋଣ କରି ପରଙ୍ଗ ଡ୍ୟାମରେ ୬୦ ଲକ୍ଷ ଟଙ୍କାର ମାଛ ଜାଆଁଳ ଛାଡିଥିଲେ ।
ଲକ୍ଷ୍ୟ ଥିଲା ଦି ପଇସା ରୋଜଗାର ହେବ, ଗୁଜୁରାଣ ମେଣ୍ଟେଇବା ସହ ନିଜେ ସ୍ବାବଲମ୍ବୀ ହେବେ । କିନ୍ତୁ ଦାଉ ସାଧିଲା କଳ କାରଖାନାର କେମିକାଲ ବିଷାକ୍ତ ପାଣି ବୋଲି ଅଭିଯୋଗ ହୋଇଛି । ଚିନ୍ତାଜନକ ବିଷୟ ହେଛଛି ପରଙ୍ଗ ଡ୍ୟାମ୍ ନିକଟରେ ଥିବା ଏକ ଘରୋଇ କମ୍ପାନିରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ କେମିକାଲକୁ ଡ୍ୟାମ ପାଣିରେ ଛାଡ଼ିବା ମାଛ ମଡ଼କର ପ୍ରମୁଖ କାରଣ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ । ବଡ଼ କଥା ହେଉଛି ଏନେଇ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଏବେ ବର୍ଷ ତମାମର ପରିଶ୍ରମ ପାଣିରେ ପଡ଼ିଥିବା ନେଇ ଚିନ୍ତାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ।
Follow Us