କନକ ବ୍ୟୁରୋ : ଖୋଲା ପଡ଼ିଆ ହେଉ କି ଡ୍ରେନ । ଯୁଆଡ଼େ ଦେଖିବ ସବୁଠି ମାଳମାଳ କଫ ସିରପ ବୋତଲ । ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ କଫ୍ ସିରପର ବେଆଇନ କାରବାର ବଢ଼ିବାରେ ଲାଗିଛି । ଯୁବକ ମାନେ କ୍ଷଣିକ ଆନନ୍ଦ ପାଇଁ କଫ ସିରପ୍ ସେବନ କରୁଛନ୍ତି । ଭିଡିଓ କରି ବିନା ଭୟରେ ସୋସିଆଲ୍ ମିଡିଆରେ ଅପଲୋଡ୍ କରୁଛନ୍ତି ଯୁବକ । କିଛି ହାତଗଣତି ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପ୍ସନରେ ଖୁଲମଖୁଲା କଫ୍ ସିରପ ବିକ୍ରିକୁ ଏଥିପାଇଁ ଦାୟୀ କରାଯାଇଛି ।
୨୦୨୧ରେ ବୌଦ୍ଧର ଚାରିଛକ ନିକଟରେ ୧୬ ପେଟି କଫ୍ ସିରପ୍ ଜବତ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ୨୦୨୨ରେ ଗାନ୍ଧୀଛକ ନିକଟରୁ ଏକ କାର୍ ସହ ୬୪୦ ବୋତଲ କଫ୍ ସିରପ୍ ଓ ନିଶା ଟାବଲେଟ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ୨୦୨୫ ଜୁନ ୬ରେ ରେକଡ଼ୋଲରେ ପୁଲିସ ଭୟରେ କଫ୍ ସିରପ୍ ଭର୍ତ୍ତି କାରକୁ ନିଆଁ ଲଗାଇ ମାଫିଆ ଫେରାର ହେବା ଖବର ଚର୍ଚ୍ଚାର ପାଲଟିଥିଲା । ଜୁଲାଇରେ କରୁଣାପାଲି ଗାଁ ନିକଟରୁ ୧୭୯୮ ବୋତଲ କଫ୍ ସିରପ ସହ ଏକ କାର ଜବତ କରିଥିଲା ପୁଲିସ୍ । ତଥାପି ବେଆଇନ କାରବାର ଉପରେ ଲାଗିପାରୁନି ରୋକ ।
ବେଆଇନ କଫ ସିରପ୍ ବିକ୍ରି କରି ମାଫିଆ ମାଲେ ମାଲ ହେଉଛନ୍ତି । ଆଉ ଏପଟେ ଏହାକୁ ସେବନ କରି ଅନ୍ଧାରକୁ ଠେଲି ହୋଇଯାଉଛି ଯୁବପିଢ଼ିଙ୍କ ଭବିଷ୍ୟତ । ତେଣୁ ଏଥିପ୍ରତି ଯୁବପିଢ଼ୀ ସଚେତନ ହେବା ଜରୁରୀ ।