କନକ ବ୍ୟୁରୋ : ଆଜିର AI ଜମାନାରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ପ୍ରତିଟି ଭିଡିଓ ସତ କି ମିଛ ତାହା ଜାଣିବା କାଠିକର ପାଠ । ବେଳେବେଳେ ଭିଡିଓଟି ଏତେ ଭାଇରାଲ୍ ହୁଏ ଯେ ଗୋଟିଏ ସମୟରେ ଲାଗେ ଏହା କ’ଣ ସତରେ ସମ୍ଭବ ! ତେବେ ବର୍ତ୍ତମାନ ଏମିତି ହିଁ ଏକ ଚକିତ କରିଦେଲା ଭଳି ଭିଡିଓ ଇଣ୍ଟରନେଟରେ ଖୁବ୍ ଭାଇରାଲ୍ ହେଉଛି ଏବଂ ଏଥିରେ କେତେ ସତ ଏବଂ ମିଛ ଅଛି ଆସନ୍ତୁ ଜାଣିବା ।
ଘଟଣାଟି ହେଉଛି ଆମେରିକାର। ଆମେରିକା ଜନ୍ ଏଫ୍ କେନେଡି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜଣେ ମହିଳାଙ୍କ ଭିଡିଓ ସାମ୍ନାକୁ ଆସିଛି । ଭିଡିଓଟି ପୋଷ୍ଟ୍ ହେବା ପରେ ଝଡ଼ ପରି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏମିତିକି ପ୍ରତିଟି ଗଣମାଧ୍ୟମର ପୃଷ୍ଠାରେ ମଧ୍ୟ ଏହି ଭିଡିଓଟିକୁ ନେଇ ଭାରି ଚର୍ଚ୍ଚା । ତେବେ ଚର୍ଚ୍ଚାର ମୁଖ୍ୟ କାରଣ ହେଉଛି ମହିଳାଙ୍କ ନିକଟରୁ ମିଳିଥିବା ପାସପୋର୍ଟ । ଏହି ପାସପୋର୍ଟ 'ତୋରେଞ୍ଜା' ନାମକ ଏକ ଦେଶର ବୋଲି ଜଣାପଡ଼ିଛି । କିନ୍ତୁ ବାସ୍ତବରେ ଏଭଳି ନାଁର କୌଣସି ଦେଶ ବିଶ୍ୱ ମାନଚିତ୍ର କିମ୍ବା ସରକାରୀ ରେକର୍ଡରେ ହିଁ ନାହିଁ । ଯାହା ଏବେ ପୂରା ସୋସିଆଲ୍ ମିଡିଆର ଦୃଷ୍ଟି ଆକର୍ଷଣ କରିଛି । ଭିଡିଓରେ ମହିଳା ତୋରେଞ୍ଜା ନାମକ ରହସ୍ୟମୟ ଦେଶର ପାସପୋର୍ଟ ଧରିଥିବାର ଦେଖାଯାଉଛନ୍ତି ଏବଂ ସେ ଅଧିକାରୀଙ୍କୁ କହୁଛନ୍ତି ଯେ ଏହି ଦେଶ ତୋରେଞ୍ଜା କାକାସସ୍ ଅଞ୍ଚଳରେ ଅଛି । ଭାଇରାଲ ଭିଡିଓରେ ଇମିଗ୍ରେସନ ଅଧିକାରୀ ଆଶ୍ଚର୍ଯ୍ୟ ଏବଂ ଦ୍ୱନ୍ଦ୍ୱରେ ପଡ଼ିଥିବା ନଜର ଆସୁଛନ୍ତି । ଭିଡିଓରେ ଦେଖାଯାଉଥିବା ପାସପୋର୍ଟରେ ବାୟୋମେଟ୍ରିକ୍ ଚିପ୍ସ ଏବଂ ହୋଲୋଗ୍ରାମ ସହିତ ଅନ୍ୟ ଅଣ-ବିଦ୍ୟମାନ ଦେଶର ଟିକେଟ୍ ମଧ୍ୟ ରହିଛି । ତେବେ ଭିଡିଓଟି ଭାଇରାଲ୍ ହେବା ପରେ ଫ୍ୟାକ୍ଟ ଚେକର୍ସ ଏହା ସତ କି ମିଛ ତାହା ଉପରେ ରିସର୍ଚ୍ଚ କରିବା ଆରମ୍ଭ କରିଥିଲେ ଏବଂ ଏହା ଏକ AI ଜେନେରେଟେଡ୍ ଭିଡିଓ ବୋଲି ପ୍ରମାଣିତ କରିଥିଲେ ।
JFK ବିମାନବନ୍ଦରରେ ଏପରି କୌଣସି ଯାତ୍ରୀ କିମ୍ବା ଘଟଣାର କୌଣସି ସରକାରୀ ରେକର୍ଡ ନାହିଁ ବୋଲି ମଧ୍ୟ ସୂଚନା ମିଳିଥିଲା । ତେବେ ଏହି ଭିଡିଓ ଲୋକଙ୍କୁ ୧୯୫୪ ମସିହାରେ ଜାପାନର ରାଜଧାନୀ ଟୋକିଓରେ ଘଟିଥିବା ଘଟଣାକୁ ମନେ ପକାଇ ଦେଇଛି । ୧୯୫୪ ରେ ଟୋକିଓର ହାନେଡା ବିମାନବନ୍ଦରରେ ଜଣେ ବ୍ୟକ୍ତି ଟୋରେଡ୍ ନାମକ ଏକ ଅବିଦ୍ୟମାନ ଦେଶରୁ ଆସିଥିବା ଦାବି କରି ଅଧିକାରୀମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ସେହି ବ୍ୟକ୍ତି ଜଣକ କହିଥିଲେ ଯେ ଟୋରେଡ୍ ଫ୍ରାନ୍ସ ଏବଂ ସ୍ପେନ ମଧ୍ୟରେ ଥିବା ଏକ ଛୋଟ ଦେଶ , ଯେଉଁଠାରେ ଆଜିର ସମୟରେ ଆଣ୍ଡୋରା ଅବସ୍ଥିତ । ତେବେ ଏହି କଥାର କେତେ ସତ୍ୟତା ଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟରେ ରହିଛି । ତେବେ ସୋସିଆଲ ମିଡିଆରେ ତୋରେଞ୍ଜା ପାସପୋର୍ଟ ମହିଳାଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ଗୋଟିଏ ପଟେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଅନ୍ୟ ପଟେ AI ର ମିଥ୍ୟା ସୂଚନାର ଜାଲ କେତେ ସାଂଘାତିକ ତା’ ଉପରେ ପ୍ରଶ୍ନ ଉଠୁଛି । ଅନେକ ୟୁଜର କହିଛନ୍ତି ଯେ ଏହି ଭିଡିଓଟି ସମ୍ପୂର୍ଣ୍ଣ ସତ ପରି ଲାଗୁଛି । ଏଭଳି ପରିସ୍ଥିତିରେ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାରର ଦାବି ମଧ୍ୟ କରାଯାଉଛି ।