କନକ ବ୍ୟୁରୋ: ଦୀଘାର ଭବ୍ୟ ମନ୍ଦିରକୁ ନେଇ ଏବେ ଭାରି ଚର୍ଚ୍ଚା । ଜଗନ୍ନାଥ ମନ୍ଦିର କେଉଁଠି ବି ହେବ, କେଉଁଠି ବି ବିଗ୍ରହ ପୂଜା ପାଇବେ ସେନେଇ କୌଣସି ଦ୍ବନ୍ଦ୍ବ ନାହିଁ । ହେଲେ ଦୀଘାରେ ହୋଇଥିବା ଜଗନ୍ନାଥ ମନ୍ଦିରକୁ ପୁରୀ ଧାମ କହିବା ପରେ ଏବେ ପ୍ରବଳ ଆକ୍ରୋଶ ସାଙ୍ଗକୁ ଅସନ୍ତୋଷ । ଖାସ କରି ସେଠାରେ ଥିବା ଦାରୁ ବିଗ୍ରହ ପୁରୀର ନବକଳେବଳରେ ବଞ୍ଚିତ କାଠରୁ ତିଆରି ହୋଇଥିବା କଥା ଜଣାପଡ଼ିବା ପରେ ବିବାଦ ବଢିଛି । 

Advertisment

ପୁରୀକୁ ନେଇ ବିବାଦ କରିଦେଲେ ମମତା
ବଙ୍ଗାଳୀ ପୁରୀକୁ ବର୍ଷ ସାରା ଆସୁଛନ୍ତି
ଏବେ ରୋକ କରିଦେଲେ କେମିତି ହେବ
ଆଳୁକୁ ନେଇ ବିବାଦୀୟ ଥିଲେ, ଏବେ ପୁରୀକୁ ନେଇ..
ଦୀଘା ମନ୍ଦିରରେ କେମିତି ସାମିଲ ହେଲେ ଦଇତା
ଦାରୁ ବିଗ୍ରହ ତ କଲେ, ପୁଣି ଜଗନ୍ନାଥ ଧାମ ଘୋଷଣା ବି କଲେ

ଦୀଘା ମନ୍ଦିରକୁ ନେଇ ପୂରା ଓଡ଼ିଶାରେ ବିବାଦ ଘନେଇବାରେ ଲାଗିଛି । କାରଣ ମନ୍ଦିର ନିର୍ମାଣକୁ ଆଦୌ ବିରୋଧ ନୁହେଁ ବରଂ ଧାମକୁ ନେଇ ବିବାଦ । ଶାସ୍ତ୍ରରେ ପୂରା ଭାରତ ବର୍ଷରେ ୪ ଧାମ ରହିଥିବା ବେଳେ ଦୀଘା କେମିତି ଜଗନ୍ନାଥ ଧାମ ହେଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ଖାଲି ଏତିକି ନୁହେଁ ବରଂ ଅଦିନିଆ କେମିତି ତିନିରଥର ନିର୍ମାଣ ହେଲା ତାହା ବି ପ୍ରଶ୍ନ ଘେରରେ ରହିଛି ।

ଦୀଘାରେ ଯାହା ହୋଇଛି
ତାହା ବୋଧହୁଏ କେଉଁଠି ହୋଇନାହିଁ

ଦୀଘା ମନ୍ଦିରରେ ପଥରରେ ତିଆରି ହୋଇଛନ୍ତି ତିନି ବିଗ୍ରହ । ପୁଣି ତାଙ୍କ ସାମ୍ନାରେ କାଠରେ ତିଆରି ହୋଇଥିବା ତିନି ବିଗ୍ରହ ସିଂହାସନରେ ବିରାଜମାନ । କଥାହେଲା, ଗୋଟିଏ ସିଂହାସନରେ ୬ଟି ମୂର୍ତ୍ତି ରହିଲେ କେମିତି । ଯଦି ରହିଲେ ସେହି ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଦଇତାପତି କେମିତି ସାମିଲ ହେଲେ ।  ଅଭିଯୋଗ ହେଉଛି, ତୁଣ୍ଡରେ ଜୟ ଜଗନ୍ନାଥ ନାରା ଦେଇ ଜଗନ୍ନାଥଙ୍କ ଭକ୍ତ ବୋଲାଉଥିବା ମମତା ମହାନ ଜଗନ୍ନାଥ ସଂସ୍କୃତିର, ପରମ୍ପରାର ଖୋଲା ଉଲ୍ଲଂଘନ କରିଛନ୍ତି । ଆଉ ଏଥିରେ ଦଇତାମାନେ କୁଆଡ଼େ ପ୍ରଚ୍ଛଦ ପଟରେ ରହିଛନ୍ତି । ଏମିତିକି ଦଇତା କୁଆଡେ କହିଛନ୍ତି ସେହି ମନ୍ଦିରରେ ବ୍ରହ୍ମ ପ୍ରତିଷ୍ଠା ହୋଇଛି । ହେଲେ ଏକ ବ୍ରହ୍ମ ଦ୍ବିତୀୟ ନାସ୍ତି । ଏମିତି କେମିତି ଦଇତା କହିଲେ ତାହା ବି ତହନ୍ତ ସାପେକ୍ଷ । ସେପଟେ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ମୁଁ ଆଦୌ କହିନି ବ୍ରହ୍ମ ପ୍ରତିଷ୍ଠା ହୋଇଛି ବୋଲି କି ପୁରୀ ନବକଳେବର ଦାରୁରେ ସେଠାରେ ମୂର୍ତ୍ତି ସ୍ଥାପନ ହୋଇଛି ବୋଲି । କିନ୍ତୁ ଦଇତାପତି ଯେ ମମତାଙ୍କୁ ଘଂଟା ଘଉଡାଉଛନ୍ତି ତାହା ସ୍ପଷ୍ଟ । 

ଏପଟେ ପୁରୀରେ ପ୍ରବଳ ବିରୋଧ ହେବା ପରେ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଏମାନେ ବେପାର କରିଛନ୍ତି । ଦିଦି ଗୋମାଂସ ଭକ୍ଷଣ କରିବା କଥା କହିଛନ୍ତି ସେ କଣ ଜାଣିବେ ଜଗନ୍ନାଥଙ୍କ ମହିମା । ସେପଟେ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏପଟେ ଆଇନମନ୍ତ୍ରୀ କହିଛନ୍ତି ଦୋଷୀଙ୍କ ବିରୋଧରେ ଦଣ୍ଡ ବିଧାନ ହେବ । ମୋଟ୍‌ ଉପରେ ଦୀଘା ମନ୍ଦିରକୁ ନେଇ ବିବାଦ ବଢିବା ବେଳେ ଆଗାମୀ ଦିନରେ ରାଜ୍ୟ ସରକାର କି ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।