କନକ ବ୍ୟୁରୋ: ପହଲଗାମ୍ ଆକ୍ରମଣ ପରେ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି । କେବେ ବି ଯୁଦ୍ଧକୁ ଓହ୍ଲାଇପାରନ୍ତି ଉଭୟ ଦେଶ । ହେଲେ ଏହାରି ଭିତରେ ପାକିସ୍ତାନର ଚିନ୍ତା ବଢାଇଛି ଆଫଗାନିସ୍ତାନ । କାଶ୍ମୀର ବିଷୟରେ ଭାରତ ସହ ଲଢିବା ପୂର୍ବରୁ ପ୍ରଥମେ ଆଫଗାନିସ୍ତାନ ସହ ସମ୍ପର୍କ ସୁଧାରିବାର ଆବଶ୍ୟକତା ରହିଛି ବୋଲି ଜାମିୟତ୍ ଉଲେମା ଇସ୍ଲାମ୍ ପାର୍ଟିର ନେତା ମୌଲନା ଫଜଲୁର୍ ରହମାନ କହିଛନ୍ତି । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।
ଭାରତ କଥା ପରେ ବୁଝିବ
ଆଗେ ଆଫଗାନିସ୍ତାନ କଥା ବୁଝ
ପାକିସ୍ତାନର ଚିନ୍ତା ବଢାଇଲାଣି ଆଫଗାନିସ୍ତାନ
ଫଜଲୁର୍ ରହମାନଙ୍କ ବଡ଼ ବୟାନ
କହିଲେ, ଭାରତ ପୂର୍ବରୁ ଆଫଗାନିସ୍ତାନ କଥା ବୁଝ
ଭାରତ ବିରୋଧୀ ନେତା ଫଜଲୁର ରହମାନଙ୍କ ଭାଷଣକୁ ନେଇ ଏବେ ଭାରି ଚର୍ଚ୍ଚା । ସେ କହିଛନ୍ତି କି ‘‘ଆମେ କଶ୍ମୀର ବିଷୟରେ କଥା ହେଉଛେ । ମାତ୍ର ଆମକୁ କଶ୍ମୀର ପୂର୍ବରୁ ଆଫଗାନିସ୍ତାନ ବିଷୟରେ ଚିନ୍ତା କରିବାକୁ ହେବ । ପଡ଼ୋଶୀ ଭାବରେ ଆଫଗାନିସ୍ତାନ ସହ ପାକିସ୍ତାନ ଯେତେ ମାତ୍ରାରେ ସମ୍ପର୍କ ସୁଧାରିବାର କଥା ସେତେ ମାତ୍ରାରେ କରିନାହିଁ । ତେଣୁ ଭାରତ ସହ ପଙ୍ଗା ନେବା ପୂର୍ବରୁ ଆଫଗାନିସ୍ତାନ କଥା ବିଚାର କରିବାରେ ପାକିସ୍ତାନ ସରକାରର ମଙ୍ଗଳ । ଖାଲି ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି, ସୀମାର ଉଭୟ ପାର୍ଶ୍ୱରେ ସାମଗ୍ରୀ ବୋଝେଇ ଗାଡ଼ିର ଲମ୍ବା ଧାଡ଼ି ଲାଗିଛି ଏବଂ ଜନସାଧାରଣଙ୍କ ସାମଗ୍ରୀ ନଷ୍ଟ ହେଉଛି । ଏହି ଭୁଲ ନୀତିଗୁଡ଼ିକ ସେତେବେଳ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ରହିବ ଯେ ପର୍ଯ୍ୟନ୍ତ ରାଜନୈତିକ ଏବଂ ଅର୍ଥନୈତିକ ଚିନ୍ତାଧାରା ସାମରିକ ଚିନ୍ତାଧାରା ସହିତ ନମିଶିବ ।
ମୋଟ୍ ଉପରେ କାଶ୍ମୀରର ପହଲଗାମ୍ ହମଲା ପରେ ପାକିସ୍ତାନକୁ ଜବାବ ଦେବାକୁ ଭାରତ ସବୁପ୍ରକାର ରଣନୀତି ଆପଣାଇଛି । ପ୍ରଥମେ କୂଟନୈତିକ ସ୍ତରରେ ପାକିସ୍ତାନକୁ ପାନେ ଦେଉଛି । ହେଲେ ଏତିକିରେ ଚୁପ୍ ବସିବ ନାହିଁ ଭାରତ । ନୀରିହ ପର୍ଯ୍ୟଟକଙ୍କ ହତ୍ୟାର ବଦଲା ନିଶ୍ଚୟ ନେବ । ଭାରତରେ ହେଉଥିବା ହଲଚଲ୍ ଦେଖିବା ପରେ ପାକିସ୍ତାନ ବି ଚିନ୍ତାରେ । କାରଣ ସେ ଭଲଭାବରେ ଜାଣିଛି କି ଭାରତର ବଦଲା କେତେ ଭୟଙ୍କର ହେବ । କାରଣ ବିଶ୍ବର ଅନେକ ରାଷ୍ଟ୍ର ଭାରତକୁ ଅକୁଣ୍ଠ ସମର୍ଥନ ଦେଇଛନ୍ତି । ପାକିସ୍ତାନ ବିଶ୍ବସ୍ତରରେ ବି ନିନ୍ଦିତ ହେଉଛି । ହେଲେ ଏହାରି ଭିତରେ ଫଜଲୁର୍ ରହମାନଙ୍କ ବୟାନ ବେଶ ଚର୍ଚ୍ଚାରେ ଅଛି ।