Srimandir-Subhankar Photograph: (Kanak News)
କନକ ବ୍ୟୁରୋ : କୋଟି ଓଡ଼ିଆଙ୍କ ମଉଡ଼ମଣୀ , ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ । ବଡ଼ଠାକୁରଙ୍କ ଶ୍ରୀମନ୍ଦିରରୁ ଆରମ୍ଭ କରି ବଡ଼ଦାଣ୍ଡ ପର୍ଯ୍ୟନ୍ତ ସବୁ ବଡ଼ । ଭକ୍ତବତ୍ସଳ ମହାବାହୁ ଜ୍ୟେଷ୍ଠ ଭ୍ରାତା ଏବଂ ଭଗିନୀଙ୍କୁ ଯେତେ ପ୍ରେମ କରନ୍ତି ସାଆନ୍ତାଣୀ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ପ୍ରତି ମଧ୍ୟ ସାଆନ୍ତେଙ୍କ ଭାରି ଶରଧା । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଶ୍ରୀମନ୍ଦିର । ମା’ମହାଲକ୍ଷ୍ମୀଙ୍କ ଅନ୍ୟନାମ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦରେ ସାରା ବିଶ୍ବରେ ବିଖ୍ୟାତ ପୁରୀ ଶ୍ରୀଜଗନ୍ନାଥ ଧାମ । ଯେଉଁଠିକୁ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥା’ନ୍ତି ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଏବଂ ଆନନ୍ଦବଜାରରୁ ଅବଢ଼ା ଖାଇ ହୋଇଥା’ନ୍ତି ତୃପ୍ତ । ହେଲେ ବର୍ତ୍ତମାନ ମହାବାହୁଙ୍କ ଶ୍ରୀମନ୍ଦିରକୁ ନେଇ ସୋସିଆଲ୍ ମିଡିଆରେ ଭୁଲ୍ ଉପସ୍ଥାପନ କରାଯାଇଛି । ଯାହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଛି ।
ଦେଶର ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ଏବେ ସୋସିଆଲ୍ ମିଡିଆରେ ହେଉଛି ଚର୍ଚ୍ଚା । ଶ୍ରୀମନ୍ଦିର ପ୍ରସଙ୍ଗରେ ସୋସିଆଲ ମିଡିଆରେ ଭୁଲ୍ ଉପସ୍ଥାପନ କରିବାରୁ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଉପସ୍ଥାପକ ଏକ ଭିଡିଓରେ କହିଛନ୍ତି ଯେ ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଵେ ତେଵେ ସେମାନଙ୍କ ପ୍ରେମ କେବେବି ସଫଳ ହେବନାହିଁ । ସେମାନେ କେବେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ । କାରଣ ଶ୍ରୀମନ୍ଦିର ଉପରେ ମାଆ ରାଧାରାଣୀଙ୍କ ଅଭିଶାପ ପଡ଼ିଛି । ମା’ ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ସ୍ବରୂପରେ ଦର୍ଶନ କରିବାକୁ ଯାଉଥିବା ସମୟରେ ସେବାୟତମାନେ ତାଙ୍କୁ ଅଟକାଇଥିଲେ ଏବଂ କହିଥିଲେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି । ଆପଣ କିଭଳି ଭିତରକୁ ଆସିଲେ । ଏକଥା ଶୁଣି ମା’ଶ୍ରୀରାଧା ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ । ଶୁଭଙ୍କର ମିଶ୍ରଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ପୁରୀରେ ଏବେ ଚର୍ଚ୍ଚା ଜୋର ଧରିଛି ।
ଅଧିକ ପଢ଼ନ୍ତୁ--ବିଧାନସଭାରେ ଉଠିଲା ମଣ୍ଡି ପ୍ରସଙ୍ଗ ; ବିଜେଡି କହିଲା ଧାନ ନଉଠାଇଲେ ସ୍ଥିତି ଭୟଙ୍କର ହେବ
ଉପସ୍ଥାପକଙ୍କର କଥା ଯଦି କହିବା ତେବେ ସାମ୍ବାଦିକରୁ ୟୁଟ୍ୟୁବର ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ପାଲଟିଥିବା ଶୁଭଙ୍କର ମିଶ୍ର ସୋସିଆଲ୍ ମିଡିଆ ଦୁନିଆର ଏକ ଚର୍ଚ୍ଚିତ ଚେହେରା । ୟୁଟ୍ୟୁବରେ ତାଙ୍କର ୬୦ ଲକ୍ଷ ସବସ୍କ୍ରାଇବର ଥିବା ବେଳେ ଇନଷ୍ଟାଗ୍ରାମରରେ ୧.୧୯ କୋଟି ଫଲୋଅର୍ସ ଅଛନ୍ତି । ଏକ ଲୋକପ୍ରିୟ ଜାତୀୟ ଗଣମାଧ୍ୟମର ଉପସ୍ଥାପକରୁ ୟୁଟ୍ୟୁବର ପାଲଟିଥିବା ଶୁଭଙ୍କର ପ୍ରତିଦିନ ରାଜନୀତି , ମନୋରଞ୍ଜନ , ଜୀବନଶୈଳୀ , କ୍ରିକେଟ୍ ଏବଂ ରହସ୍ୟମୟ କଣ୍ଟେଣ୍ଟ୍ ପ୍ରସ୍ତୁତ କରି ନିଜ ପ୍ଲାଟଫର୍ମରେ ଏନେଇ ଆଲୋଚନା କରନ୍ତି । ପରେ ଏହାର ଭିଡିଓ ସେ ସୋସିଆଲ୍ ମିଡିଆରେ ଅପଲୋଡ୍ କରନ୍ତି ।
Follow Us