କନକ ବ୍ୟୁରୋ : ଯାହା ଆଶଙ୍କା କରାଯାଉଥିଲା ତାହା କଣ ସତ ହେବାକୁ ଯାଉଛି କି? ସବୁ ଦିନ ପାଇଁ ଅସ୍ତିତ୍ବ ହରାଇବ କି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଚିରଶ୍ରୋତା ଖଣ୍ଡାଧାର ଜଳପ୍ରପାତ କ୍ଷ ଲଗାତର ୨/୩ ଦିନ ଧରି ଜଳପ୍ରପାତର ଜଳଧାରା ସାମୟିକ ଭାବେ ବନ୍ଦ ହେବା ପରେ ଏଭଳି ଆଶଙ୍କା ଦେଖାଦେଇଛି । ତେବେ ପୁଣି  ଥରେ ଖଣ୍ଡାଧାରରୁ ପାଣି ଝରିବା ପରେ ଆଶ୍ବସ୍ତି ମିଳିଛି। ହେଲେ, ଆଶଙ୍କା ଟଳିନି। ଅନ୍ୟପଟେ ଖଣ୍ଡାଧାରର ଏଭଳି ପରିସ୍ଥିତି ପାଇଁ ବିରାଟ ଷଡ଼୍‌ଯନ୍ତ୍ରର ଗନ୍ଧ ବାରିଛନ୍ତି ସ୍ଥାନୀୟ ଲୋକ। ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କୁ  ଆକର୍ଷିତ କରୁଥିବା କେନ୍ଦୁଝର ଖଣ୍ଡାଧାର ଜଳପ୍ରପାତର ଦୃଶ୍ୟ। ଯେଉଁ ଜଳପ୍ରପାତରୁ କାହିଁ କେଉଁ କାଳରୁ କଳକଳ କରି ଅହରହ ଝରୁଥିଲା ଜଳଧାରା, ଏବେ ସେଠି ଏମିତି ସ୍ଥିତି। ବୁଧବାର ଜଳପ୍ରପାତରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ଜଳସ୍ରୋତ । ଅବଶ୍ୟ ଦିନକ ପରେ ପୁଣି ପାହାଡ଼ ଉପରୁ ଝରିଛି ପାଣି। କିନ୍ତୁ ଚିରିସ୍ରୋତା ଖଣ୍ଡାଧାରାର ଏଭଳି ସ୍ଥିତି ସମସ୍ତଙ୍କୁ ବ୍ୟଥିତ କରିଛି। ଭବିଷ୍ୟତରେ ଖଣ୍ଡାଧାରାର  ଅସ୍ତିତ୍ବକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଏଭଳି ସ୍ଥିତି ପଛରେ ସାଂଘାତିକ ଷଡ଼ଯନ୍ତ୍ର ଗନ୍ଧ ସାମନାକୁ ଆସିଛି। ଖଣ୍ଡାଧାରର ଉପର ମୁଣ୍ଡରେ ମନଇଛା ଖଣି ଖନନକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ। 

Advertisment

ଅଧିକ ପଢ଼ନ୍ତୁ : ବିପଦରେ ଖଣ୍ଡାଧାର ! ଖଣି ଖନନ ପାଇଁ ହରାଇବ ଅସ୍ତିତ୍ୱ

 ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଖଣ୍ଡାଧାରର ଉପରମୁଣ୍ଡରେ ପହଁଚିଥିଲା ଆମ ଟିମ୍। ପାହାଡ଼ ଉପରେ ଯାହା କ୍ୟାମେରାରେ କଏଦ ହୋଇଥିଲା ତାହା ଚମକାଇ ଦେବା ଭଳି। ଖଣ୍ଡାଧାର ଠାରୁ ଅଳ୍ପ କିଛି ଦୂରରେ ବେଧଡ଼କ ଭାବେ ଚାଲିଛି ଖଣି ଖୋଳା । ପାହାଡ଼ରେ ବ୍ଲାଷ୍ଟିଂ କରି, ବଡ଼ ବଡ଼ ମେସିନ୍ ଲଗାଇ ଲୁହାପଥର ତାଡ଼ି ନେଉଛନ୍ତି ଲିଜଧାରୀ ଖଣି କମ୍ପାନୀ  । ଯାହାର ପ୍ରଭାବ ସିଧାସଳଖ ଖଣ୍ଡାଧାରର ଜଳପ୍ରବାହ ଉପରେ ପଡିଛି ବୋଲି କୁହାଯାଉଛି। ଝରଣାରୁ ବହି ଆସୁଥିବା ଜଳ ତାର ଦିଗ ପରିବର୍ତ୍ତନ କରୁଥିବାରୁ ଏମିତି ସ୍ଥିତି ଉପୁଜିଛି। ହେଲେ, କେନ୍ଦୁଝର ଡିଏଫଓ କହିଛନ୍ତି ଉପରମୁଣ୍ଡରେ କାଦଦଳା ଅଞ୍ଚଳର ଲୋକେ ପାଣି ଅଟକାଇ ଖରାଟିଆ ଚାଷ କରିବାରୁ ଜଳ ପ୍ରବାହ କମିଛି। ଏବେ ପ୍ରଶ୍ନ ଉଠୁଛି, ଖଣ୍ଡାଧାରକୁ ମାରି ଦେବା ପାଇଁ ହୋଇଛି କି ବଡ଼ ଷଡ଼ଯନ୍ତ୍ର? ଖଣି କମ୍ପାନିକୁ ଅନୁମତି ଦେବା ପୂର୍ବରୁ ସବୁ ଦିଗରୁ ଅନୁଧ୍ୟାନ କରାଯାଇଥିଲା ତ? ଖଣି କମ୍ପାନି ନିୟମ ଅନୁସାରେ ଲୁହାପଥର ଉତ୍ତୋଳନ କରୁଛନ୍ତି ତ?