କନକ ବ୍ୟୁରୋ : ଖଣ୍ଡାଧାର ଜଳପ୍ରପାତ ପ୍ରକୃତିର ଏକ ବଡ଼ ଅବଦାନ । ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଖଣ୍ଡାଧାର ଜଳପ୍ରପାତ ଓଡ଼ିଶାର ଏକ ଅତିସୁନ୍ଦର ଜଳପ୍ରପାତ । ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଆସୁଥିବା ଖଣ୍ଡାଧାର ଜଳପ୍ରପାତ ଏବେ ବିପଦ ଘେରରେ ।  ଖଣି ଖନନ ପାଇଁ ଖୁବ ଶୀଘ୍ର ଖଣ୍ଡାଧାର ନିଜର ଅସ୍ତିତ୍ୱ ହରାଇଦେବ ବୋଲି ଆଶଙ୍କା କରାଗଲାଣି ।

Advertisment

ମନ୍ତ୍ରାଳୟ ଗୋଟିଏ କିନ୍ତୁ ନିୟମ ଅଲଗା ଅଲଗା । ବର୍ଷ ବଦଳିବା ସହ ସରକାରୀ ବାବୁଙ୍କର ନିୟମ ବି ବଦଳିଗଲା । ଆମେ କହୁଛୁ କେନ୍ଦ୍ର ସରକାରଙ୍କର ପରିବେଶ ମନ୍ତ୍ରାଳୟର କଥା । ଖଣ୍ଡାଧାର ଜଳପ୍ରପାତ ନିକଟରେ ଲୁହା ପଥର ଖଣି ଖନନ କଲେ ଖଣ୍ଡାଧାର ଜଳପ୍ରପାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ପୂର୍ବରୁ ସୂଚାଇ ଥିଲା ମନ୍ତ୍ରାଳୟ । ଗତ ୨୦୨୩ରେ ଓଏମ୍‌ସି ଓ ସେଲ୍‌ ପକ୍ଷରୁ ଆଉ କିଛି ଲୁହା ପଥର ଖଣି ଖନନ ପାଇଁ ଆବେଦନ କରିଥିଲେ । କିନ୍ତୁ ଖଣି ଖନନ ହେଲେ ଜଳପ୍ରପାତ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ ବୋଲି କହିଥିଲେ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ।

କେବଳ ଏତିକି ନୁହେଁ ଘଞ୍ଚ ଜଙ୍ଗଲ ନଷ୍ଟ ହେବା ସହ ସ୍ଥାନୀୟ ଜନବସତି ଉପରେ ପ୍ରଭାବ ପଡ଼ିବ ବୋଲି ମନ୍ତ୍ରାଳୟ କହିଥିଲା । କିନ୍ତୁ ବର୍ଷକ ପରେ ବଦଳିଗଲା ସବୁ ସରକାରୀ ନିଷ୍ପତ୍ତି । କେନ୍ଦ୍ର ସରକାରଙ୍କର ପରିବେଶ ମନ୍ତ୍ରାଲୟ ବଣାଇ ବନ ଡିଭିଜନରେ ଥିବା ଝୁମକା ପଥରପୋଷିରେ ଖଣି ଖନନର ଏକ ଆବେଦନକୁ ମୋହର ମାରିଛି । ବିଡ଼ମ୍ବନାର କଥା ୨୦୨୩ରେ ଯେଉଁ ଖଣି ଖନନର ଆବେଦଦନକୁ ଖାରଜ କରାଯାଇଥିଲା ତାହା ବି ଭୁତୁଡ଼ା ପଞ୍ଚାୟତ ଅଧୀନରେ ଥିଲା ।

କ୍ୟାମେରା ଫ୍ରେମରେ ଏହି ଖଣ୍ଡାଧାର ଜଳପ୍ରପାତ ବହୁ ଆକର୍ଷଣୀୟ ଦିଶୁଛି । କିନ୍ତୁ ଖଣ୍ଡାଧାରର ପଛ ପଟେ କଣ ଚାଲିଛି ସେ ଚିତ୍ର ପର୍ଯ୍ୟଟକଙ୍କ କ୍ୟାମେରାଠାରୁ ବହୁ ଦୂରରେ । ହୁଏତ ଅନେକ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଖଣ୍ଡାଧାର ପଛପଟେ ଘଟୁଥିବା ଘଟଣା ପାଇଁ ଏହି ଖଣ୍ଡାଧାର ଦିନେ ନିଜର ଅସ୍ତିତ୍ୱ ହରାଇବସିବ । ତେବେ ଗୋଟିଏ ମନ୍ତ୍ରାଳୟର ଭିନ୍ନ ଭିନ୍ନ ପଦକ୍ଷେପ ସ୍ଥାନୀୟ ବାସିନ୍ଦାଙ୍କ ସମେତ ବିଶେଷଜ୍ଞଙ୍କୁ ବି ଆଶ୍ଚର୍ଯ୍ୟ କରିଛି ।

ଲୁହା ପଥର ଖଣି ଖନନ ସମୟରେ ହଜାର ହଜାର ଗଛ କଟାଯାଇଛି । ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ଜଳ ପ୍ରଦୂଷଣ ହେବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଏହି ଚିତ୍ର ସ୍ପଷ୍ଟ ଭାବେ ଦେଖାଯାଉଥିଲେ ବି ଏଥିପ୍ରତି କାହର ନିଘା ନଥିବା ଅଭିଯୋଗ ହୋଇଛି ।