କନକ ବ୍ୟୁରୋ : ଭୁବନେଶ୍ୱର, କଟକ, ସମ୍ବଲପୁର, ଭଦ୍ରକ, ରାଉରକେଲା, ବାଲେଶ୍ୱରରେ ନାରୀ ନିର୍ୟାତନା ବିରୋଧରେ ରାଜ୍ୟ କଂଗ୍ରେସର ଗର୍ଜନ । ସାରା ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ୟାତନା ବଢୁଥିବା ଅଭିଯୋଗ ଆଣିବା ସହ ମହିଳା ସୁରକ୍ଷା ଦାବିରେ ସାରାରାଜ୍ୟରେ ଏଡିଏମ ଅଫିସ ଘେରାଉ କରିବା ସହ ବିକ୍ଷୋଭ କରିଛନ୍ତି ଦଳର ନେତା ଓ କର୍ମୀ । ପୁର୍ବରୁ ପଶ୍ଚିମ ଓ ଦକ୍ଷିଣରୁ ଉତ୍ତର ଚାରିଆଡେ ପ୍ରତିବାଦ କରିଛି କଂଗ୍ରେସ । ବିଧାନସଭାରେ ନାରୀ ନିର୍ୟାତନାକୁ କେନ୍ଦ୍ର କରି କଂଗ୍ରେସ ହୋହଲ୍ଲା କରିଥିବାବେଳେ ପ୍ରତି ଜିଲ୍ଲାର ଜିଲ୍ଲପାଳ ଅଫିସ ସମ୍ମୁଖରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ପ୍ରତିବାଦ କରିଥିଲେ । ଏଥିରେ ଦଳର ପିସିସି ସଭାପତି ଭକ୍ତ ଦାସ ଓ ବରିଷ୍ଠ ନେତା ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ।
୮ ମାସର ହିସାବ ଦେଲା କଂଗ୍ରେସ । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ବି ଲୋଡ଼ିଲା । କଂଗ୍ରେସ ଅଭିଯୋଗ କରିଛି, ରାଜ୍ୟରେ ମହିଳାଙ୍କ ପ୍ରତି ଶୋଷଣ ଓ ନିର୍ଯାତନା ବଢିଚାଲିଛି । ଏ ନେଇ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ବି ଲୋଡିଛି । ୮ ମାସର ହିସାବ ଦେଇ କଂଗ୍ରେସ କହିଛି, ୩, ୪୨୦ ମହିଳା ଓ ୮, ୪୩୦ ଶିଶୁ ନିଖୋଜ ଅଛନ୍ତି । ୫୪ଟି ଗଣବଳାତ୍କାର ହୋଇଛି । ଆବାସିକ ସ୍କୁଲ ଦଶମ ଶ୍ରେଣୀର ଛାତ୍ରୀ ପରୀକ୍ଷା ହଲ୍ରେ ଶିଶୁ ଜନ୍ମ ଦେଲେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଷଷ୍ଠଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ପରେ ଗର୍ଭବତୀ । ସେପଟେ ବିକ୍ଷୋଭ ନେଇ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି ।
ଭକ୍ତ ଦାସ ପିସିସି ସଭାପତି ହେବା ପରେ ପ୍ରଥମ ଥର ଲାଗି ରାଜ୍ୟରେ ଆନ୍ଦୋଳନ କରିଛି କଂଗ୍ରେସ । ପ୍ରଶ୍ନ ଉଠୁଛି, ପୁଣି ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ କି କଂଗ୍ରେସ ? ସବୁ ନେତାଙ୍କୁ ସାଥୀରେ ନେଇ ଚାଲିପାରିବେ ତ ଭକ୍ତ ଦାସ ?