Dhauli case Photograph: (kanak news)
କନକ ବ୍ୟୁରୋ : ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ଆଜି ରାଜଧାନୀରେ ଯୁବ କଂଗ୍ରେସ ପକ୍ଷରୁ ଏକ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ କରିବା ପାଇଁ ଶତାଧିକ କଂଗ୍ରେସ କର୍ମୀ ଉଦ୍ୟମ କରିଥିବା ବେଳେ ପୁଲିସ ସହ ସେମାନଙ୍କର ପ୍ରବଳ ଧସ୍ତାଧସ୍ତି ହୋଇଛି । ଧଉଳି ଅଞ୍ଚଳରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ବଢୁଥିବା ହତ୍ୟା ତଥା ଅପରାଧିକ କାର୍ଯ୍ୟକଳାପକୁ ନେଇ କଂଗ୍ରେସ କର୍ମୀମାନେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି । ବିକ୍ଷୋଭକାରୀଙ୍କ ଅଭିଯୋଗ ଅନୁଯାୟୀ, ଓଡ଼ିଶାରେ ଏବେ ମହିଳା ଓ ପର୍ଯ୍ୟଟକମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ଆଇନଶୃଙ୍ଖଳା ରକ୍ଷା କରିବାରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦର୍ଶାଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।
ଏକ ବିଶାଳ ରାଲିରେ କଂଗ୍ରେସ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ମାଡ଼ି ଆସୁଥିବା ବେଳେ ଭୁବନେଶ୍ୱର କ୍ଲବ ନିକଟରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ଏହି ସମୟରେ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ପୁଲିସ ଉପରକୁ ଅଣ୍ଡା ମାଡ଼ କରିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ବହୁ ସଂଖ୍ୟାରେ ଯୁବ କଂଗ୍ରେସ କର୍ମୀ ଓ ନେତାଙ୍କୁ ଉଠାଇ ନେଇ ଜବରଦସ୍ତ ଅଟକ ରଖିଛି ।
ଅଧିକ ପଢ଼ନ୍ତୁ---ଧଉଳି ନାବାଳିକା ଗଣଦୁଷ୍କର୍ମ ଘଟଣା; ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀ ଗିରଫ
ରାଜ୍ୟରେ ବଢୁଥିବା ଅପରାଧ ଏବଂ ମହିଳାଙ୍କ ସୁରକ୍ଷାକୁ ନେଇ କଂଗ୍ରେସର ଏହି ବିକ୍ଷୋଭ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।
Follow Us