କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ମାନବିକତାକୁ ଲଜ୍ଜିତ କଲା ଭଳି ଅଭାବନୀୟ ଘଟଣା ବାରମ୍ବାର ସାମ୍ନାକୁ ଆସିଛି । ଐତିହ୍ୟ ସ୍ଥଳୀ ଧଉଳି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି, ଯାହା ପୁଲିସର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ଗତ ୧୦ ତାରିଖ ଦିନ ଏହି ଘଟଣା ଘଟିଥିଲା । ନାବାଳିକା ଜଣକ ନିଜର ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଯାଇ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଟଙ୍କା ମାଗିଥିଲେ । ପୁରୁଷ ବନ୍ଧୁ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉତକ୍ଷିପ୍ତ ହୋଇ ଉଭୟଙ୍କୁ ଏକ ଅନ୍ଧାରିଆ ନଦୀ ପଠାକୁ ଟାଣି ନେଇଥିଲେ ।

Advertisment

ସେଠାରେ ଦୁର୍ବୃତ୍ତମାନେ ପୁରୁଷ ବନ୍ଧୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ପଥରରେ ଛେଚି ରକ୍ତାକ୍ତ କରିଦେଇଥିଲେ । ନାବାଳିକା ଜଣକ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଦୁଇଜଣ ଅଭିଯୁକ୍ତ ତାଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରିଥିଲେ । କେବଳ ସେତିକି ନୁହେଁ, ଏହି ପିଶାଚମାନେ ଦୁଷ୍କର୍ମ ସମୟର ଭିଡିଓ ଏବଂ ଫଟୋ ନିଜ ମୋବାଇଲରେ ଉତ୍ତୋଳନ କରିଥିଲେ ଏବଂ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଘଟଣାସ୍ଥଳରେ ଅଭିଯୁକ୍ତଙ୍କ ସମେତ ମୋଟ ୫ ଜଣ ଉପସ୍ଥିତ ଥିବା ଜଣାପଡିଛି ।

ଅଧିକ ପଢ଼ନ୍ତୁ--ପୁଣି ରାଜଧାନୀରେ ଲଜ୍ଜା, ଧଉଳି ବୁଲିବାକୁ ଯାଇଥିବାବେଳେ ନଈପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୁଲିସ ତତ୍ପରତା ଦେଖାଇ ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି, କିନ୍ତୁ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି । ପୁଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଇତିମଧ୍ୟରେ ପୁଲିସ ନାବାଳିକା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ କରିଛି । ତେବେ ରାଜଧାନୀ ଉପକଣ୍ଠରେ ଏଭଳି ଜଘନ୍ୟ କାଣ୍ଡ ଘଟିବା ସ୍ପଷ୍ଟ କରୁଛି ଯେ ଅପରାଧୀମାନଙ୍କ ମନରେ ପୁଲିସର ଭୟ ଆଉ ନାହିଁ ।