କନକ ବ୍ୟୁରୋ : ଋଷିକୁଲ୍ୟା ନଦୀତଟ ବାଲିଘାଟରେ କଂଗ୍ରେସ ନେତାଙ୍କୁ ଆକ୍ରମଣ । ବେଆଇନ ବାଲି ଉତ୍ତୋଳନକୁ ବିରୋଧ କରିବାରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀଙ୍କୁ କିଛି ଦୁର୍ବୃତ୍ତ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ରଜନୀକାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଏହାକୁ ନେଇ ହିଞ୍ଜିଳିକାଟୁ ଥାନାରେ ଏକ ମାମଲା ରୁଜୁ ହୋଇଛି ।
ଦୀର୍ଘ ଦିନ ହେବ ଉକ୍ତ ବାଲିଘାଟରୁ ବେଆଇନ ବାଲି ଚୋରା ଚାଲାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିବାଦ ଲାଗି ରହିଥିଲା । କଂଗ୍ରେସ ନେତା ରଜନୀକାନ୍ତ ପାଢ଼ୀ ଏହି ବେଆଇନ କାର୍ଯ୍ୟ ବିରୋଧରେ ସ୍ୱର ଉଠାଇ ଆସୁଥିଲେ । ଏହାକୁ ବନ୍ଦ କରିବା ଦାବିରେ ସେ ନିକଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପ୍ରଶାସନ ପାଖରେ ଫେରାଦ ହେବାର ମାତ୍ର ୨୪ ଘଣ୍ଟା ନପୁରୁଣୁ ତାଙ୍କ ଉପରେ ଏହି ମାରାତ୍ମକ ଆକ୍ରମଣ ହୋଇଛି ।
ଅଧିକ ପଢ଼ନ୍ତୁ---କୁହୁଡ଼ି ଉଜାଡ଼ିଲା ଚାଷ ; ପନିପରିବା ନଷ୍ଟ ହେବାରୁ ଚିନ୍ତାରେ ଚାଷୀ
ରଜନୀକାନ୍ତଙ୍କ ଅଭିଯୋଗ ଅନୁସାରେ, ବାଲି ମାଫିଆମାନେ ନିଜର କାରବାରରେ ବାଧା ଉପୁଜୁଥିବାରୁ ତାଙ୍କୁ ଟାର୍ଗେଟ କରି ଏପରି ଯୋଜନାବଦ୍ଧ ଆକ୍ରମଣ କରିଛନ୍ତି । ଆକ୍ରମଣ ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୁଲିସ ରଜନୀକାନ୍ତଙ୍କ ଅଭିଯୋଗ ଆଧାରରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଗଞ୍ଜାମରେ ବେଆଇନ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ଏହି ଘଟଣା ଜିଲ୍ଲାର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/07/rajanikanta-2026-01-07-10-30-25.jpg)