କନକ ବ୍ୟୁରୋ : ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀଙ୍କ ବିରୋଧରେ ଆଶ୍ରମରେ ଛାତ୍ରଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ଆଣିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କୁ ଚଳନ୍ତା ଟ୍ରେନରେ ଆକ୍ରମଣ ହୋଇଛି । ରବିବାର ସକାଳେ ଜଣେ ଅଜଣା ବ୍ୟକ୍ତି ଆଶୁତୋଷଙ୍କୁ କ୍ଷୁର ଦ୍ବାରା ଆକ୍ରମଣ କରିଥିଲେ। ରେଲୱେ ପୁଲିସ ସୂଚନା ଅନୁଯାୟୀ ଆଶୁତୋଷ ରେୱା ଏକ୍ସପ୍ରେସରେ ପ୍ରୟାଗରାଜ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା। ଟ୍ରେନ୍ ସିରାଥୁ ଷ୍ଟେସନରେ ସକାଳେ ପହଞ୍ଚିବା ପରେ ଆଶୁତୋଷ ଶୌଚାଳୟ ଯାଇଥିବାବେଳେ ତାଙ୍କ ଉପରେ ଧାରୁଆ କ୍ଷୁରରେ ଆକ୍ରମଣ ହୋଇଥିଲା। ଭୟରେ ସେ ନିଜକୁ ଶୌଚାଳୟ ଭିତରେ ବନ୍ଦ କରିଦେଇଥିଲେ। ଆଶୁତୋଷ ଏଥିରେ ଆହତ ହୋଇଥିଲେ ଓ ତାଙ୍କୁ ପ୍ରୟାଗରାଜର କାଲଭିନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଡାକ୍ତରୀ ପରୀକ୍ଷା ପରେ ଆକ୍ରମଣ ନେଇ ଏକ ମାମଲା ରୁଜୁ କରାଯିବ। ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ଘଟଣାସ୍ଥଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ସୂଚନାଯୋଗ୍ୟ, ଫେବ୍ରୁଆରି ୨୧ରେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ଓ ତାଙ୍କ ଶିଷ୍ୟ ମୁକୁନ୍ଦାନନ୍ଦ ବ୍ରହ୍ମଚାରୀଙ୍କ ବିରୋଧରେ ଆଶ୍ରମରେ ବର୍ଷ ବର୍ଷ ଧରି ଦୁଇଜଣ ଶିଷ୍ୟଙ୍କୁ ଯୌନ ନିର୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ନିର୍ୟାତନାର ଶିକାର ଶିଷ୍ୟଙ୍କ ମଧ୍ୟରେ ଜଣେ ନାବାଳକ ଥିଲେ। ନିକଟରେ ଶେଷ ହୋଇଥିବା ମାଘ ମେଳା ସମୟରେ ମଧ୍ୟ ସେମାନଙ୍କୁ ଶୋଷଣ କରାଯାଇଥିବା ଅଭିଯୋଗ ହୋଇଥିଲା।
ଅଧିକ ପଢ଼ନ୍ତୁ :ଦୀଘା ମନ୍ଦିର ବିବାଦ : ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀଙ୍କ ବଡ ବୟାନ , ଆମର କେବଳ ଗୋଟିଏ ଧାମ ଜଗନ୍ନାଥ ଧାମ
Follow Us