କନକ ବ୍ୟୁରୋ: ଭୁବନେଶ୍ୱର ବାର୍‌ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜେବି ସ୍ବୟଂଶାସିତ କଲେଜ ପଡ଼ିଆରେ ଚାଲିଥିବା ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌ ପ୍ରତିଯୋଗିତା ଅବସରରେ ଶୁକ୍ରବାର ଖେଳାଯାଇଥିବା ଦୁଇଟି ପ୍ରଦର୍ଶନୀ ମ୍ୟାଚ୍‌ରେ କମିସନରେଟ୍‌ ପୁଲିସ ଏକାଦଶ ଏବଂ ଓଡ଼ିଶା ସିନେ କଳାକାର ସଂଘ ବିଜୟୀ ହୋଇଛନ୍ତି । ପ୍ରଥମ ମ୍ୟାଚ୍‌ରେ କମିସନରେଟ୍‌ ପୁଲିସ ୪୪ ରନ୍‌ରେ ପ୍ରଶାସନିକ ଏକାଦଶକୁ ପରାସ୍ତ କରିଥିଲା । କମିସନରେଟ୍ ପୋଲିସ ୧୫ ଓଭରରେ ୬ ୱିକେଟ୍ ହରାଇ ୧୧୭ ରନ କରିଥିଲା । ଜବାବରେ ପ୍ରଶାସନିକ ଏକାଦଶ ୧୪.୨ ଓଭରରେ ୭୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । କମିସନରେଟ୍ ପୋଲିସ ଦଳର ବିଶ୍ବଜିତ ସ୍ବାଇଁ (୨୩ ରନ୍, ୨ ୱିକେଟ୍) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

Advertisment

ଏହା ବି ପଢ଼ନ୍ତୁ : ଟ୍ୱେଣ୍ଟି-୨୦ ବିଶ୍ବକପ୍‌ରେ ବଡ଼ ଓଲଟପାଲଟ, ଅଷ୍ଟ୍ରେଲିଆକୁ ହରାଇଲା ଜିମ୍ବାୱେ

ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ସିନେ ତାରକା ଦଳ ୯୦ ରନ୍‌ରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ଏକାଦଶକୁ ମାତ୍‌ ଦେଇଛି । ପ୍ରଥମେ ବ୍ୟାଟିଂ କରିଥିବା ସିନେ ତାରକା ଦଳ ୧୫ ଓଭରରେ ୪ ୱିକେଟ୍ ହରାଇ ୨୨୮ ରନ୍ କରିଥିଲା । ସିନେ ତାରକା ପକ୍ଷରୁ ସନ୍ଦୀପ ମିଶ୍ର (୮୩, ୩୦ ବଲ୍‌, ୭ ଚୌକା, ୮ ଛକ) ଓ ଆକାଶ ହୋତା (୬୭, ୨୧ ବଲ୍‌, ୮ ଚୌକା, ୫ ଛକା) ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଜବାବରେ ଓସ୍‌ଜା ଦଳ ୪ ୱିକେଟ୍‌ ହରାଇ ୧୩୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଓସ୍‌ଜା ପକ୍ଷରୁ ତୁଷାର ସେନାପତି (୫୪, ୪୨ ବଲ୍‌, ୯ ଚୌକା, ୧ ଛକା) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ପ୍ରଫୁଲ୍ଲ କିଶୋର ସାହୁ ୨୪ (୨୪ ବଲ୍‌, ୪ ଚୌକା) ରନ୍‌ ଉପଯୋଗୀ ପାଳି ଖେଳିଥିଲେ । ବିସ୍ଫୋରକ ପାଳି ପାଇଁ ସିନେ କଳାକାର ସନ୍ଦୀପ ମିଶ୍ରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା । ଅତିଥି ଭାବେ ବିଧାୟକ ବାବୁ ସିଂହ, ଓଡ଼ିଶା ଅଲିମ୍ପିକ୍‌ ସଂଘ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ଏବଂ ଭୁବନେଶ୍ବର ବାର୍‌ ସଂଘ ସଭାପତି ଅଶୋକ ପାତ୍ର, ସମ୍ପାଦକ ସତ୍ୟରଂଜନ ଶତପଥୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ ।