କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏକ ବଡ଼ ଓଲଟପାଲଟ କରିଛି ଜିମ୍ବାଓ୍ବେ । ଏହି ଆଫ୍ରିକୀୟ ଦଳ ଅଷ୍ଟ୍ରେଲିଆ ପରି ପୂର୍ବତନ ବିଶ୍ବ ଚାମ୍ପିୟନ ଦଳକୁ ୨୩ ରନ୍‌ରେ ହରାଇ ଦେଇଛି । ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍‌-ବିର ଏହି ମୁକାବିଲାରେ ଟସ୍‌ ହାରି ଜିମ୍ବାଓ୍ବେ ପ୍ରଥମେ ବ୍ୟାଟିଂ କରିଥିଲା । ଦୁଇ ଓପନର ବ୍ରାଏନ୍‌ ବେନେଟ୍‌ (୬୪) ଓ ଟାଡାଓ୍ବାନାସେ ମାରୁମାନି (୩୫) ୬୧ ରନର ଭାଗୀଦାର କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ମାରୁମାନି ପାଭିଲିୟନ ଫେରିବା ପରେ ବେନେଟ୍‌ ନିଜର ଲଢୁଆ ବ୍ୟାଟିଂ ଜାରି ରଖି ରିୟାନ ବର୍ଲ(୩୫)ଙ୍କ ସହ ୭୧ ରନ ଓ ସିକନ୍ଦର ରାଜା(୨୫)ଙ୍କ ସହ ୩୮ ରନର ଦୁଇଟି ଉପଯୋଗୀ ଭାଗୀଦାର କରିଥିଲେ ।

Advertisment

ଏହା ବି ପଢ଼ନ୍ତୁ: ପରାଗ ହେବେ ରାଜସ୍ଥାନ ରୟାଲ୍ସର ନୂଆ ଅଧିନାୟକ

ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକେଟ୍‌ ବିନିମୟରେ ୧୬୯ ରନ୍‌ କରିଥିଲା । ୧୭୦ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ୨୯ ରନ୍‌ରେ ଦଳର ୪ ଜଣ ଆଗଧାଡ଼ିର ବ୍ୟାଟର୍‌ ପାଭିଲିୟନ ଫେରିସାରିଥିଲେ । ମଧ୍ୟକ୍ରମରେ ଗ୍ଲେନ୍‌ ମାକ୍ସଓ୍ବେଲ୍‌ (୩୧) ଓ ମାଟ୍‌ ରେନସା(୬୫)ଙ୍କ ମଧ୍ୟରେ ୭୭ ରନ୍‌ର ଏକ ଉପଯୋଗୀ ଭାଗୀଦାର କରିଥିଲେ ବି ଅଷ୍ଟ୍ରେଲିଆକୁ ପରାଜୟରୁ ରକ୍ଷା କରିପାରିନଥିଲେ । ଦଳ ୧୯.୩ ଓଭରରେ ୧୪୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଜିମ୍ବାଓ୍ବେର ପେସର୍‌ ବ୍ଲେସିଙ୍ଗ୍‌ ମୁଜରବାନି ୪ଟି ଓ ବ୍ରାଡ୍‌ ଇଭାନ୍ସ୍‌ ୩ଟି ଓ୍ବିକେଟ୍‌ ନେଇ କଙ୍ଗାରୁ ଦଳର ବିପର୍ଯ୍ୟୟ ଘଟାଇଥିଲେ ।