କନକ ବ୍ୟୁରୋ: ଏକ ବର୍ଷରୁ ଅଧିକ ହେବ ଠିକାଦାର କବଜାରେ ଛାତ୍ର ହଷ୍ଟେଲ । ହଷ୍ଟେଲ ଅଭାବରୁ ଘରୁ ଯିବାଆସିବା କରି ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ଛାତ୍ର । ଏଥିପ୍ରତି କଲେଜ କର୍ତୃପକ୍ଷ ମଧ୍ୟ ନିରବଦ୍ରଷ୍ଟା ସାଜିଥିବାରୁ ଅସନ୍ତୋଷ ଦେଖାଦେଇଛି ।

Advertisment

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟର ୨୦୦ ଶଯ୍ୟା ବିଶିଷ୍ଟ ମଡେଲ ଛାତ୍ରାବାସ ନିର୍ମାଣ ହେଉଛି । ଚମ୍ପୁଆ ଆଇଟିଡିଏ ପକ୍ଷରୁ କାର୍ଯ୍ୟାଦେଶ ପାଇଁ ଠିକାଦାର ହଷ୍ଟେଲ ନିର୍ମାଣ କରୁଛନ୍ତି । ବର୍ଷେ ହେଲା ନିର୍ମାଣାଧୀନ ହଷ୍ଟେଲ ନିକଟସ୍ଥ ପୁରୁଣା ହଷ୍ଟେଲକୁ ନିଜ ଦଖଲରେ ରଖିଛନ୍ତି ଠିକାଦାର । ସିମେଣ୍ଟ ସହ ଅନ୍ୟ ସାମଗ୍ରୀ ରଖିଛନ୍ତି, କର୍ମଚାରୀ ମଧ୍ୟ ରହୁଛନ୍ତି । ଏପଟେ ଛାତ୍ରମାନେ ହଷ୍ଟେଲ ସୁବିଧାରୁ ବଞ୍ଚିତ! କିଏ ବାହାରେ ରହୁଛନ୍ତି, ତ ପୁଣି କିଏ ପ୍ରତିଦିନ ଦୂରଦୂରାନ୍ତରୁ ଯିବା ଆସିବା କରି ଖର୍ଚ୍ଚାନ୍ତ ହେଉଛନ୍ତି । 

ଆହୁରି ପଢ଼ନ୍ତୁ... ଆଉ ଦେଖିବାକୁ ମିଳୁନି ଭାଗବତ ଟୁଙ୍ଗି, ହେଲେ ଏହି ଗାଁ ବଞ୍ଚାଇ ରଖିଛି ପରମ୍ପରା

ହଷ୍ଟେଲରୁ ଛାତ୍ରଙ୍କ ପାଇଁ ଥିବା ଖଟଗୁଡ଼ିକୁ ବାହାରେ ଫିଙ୍ଗି ଦିଆଯାଇଛି । ବର୍ଷାରେ ପଡ଼ିପଡ଼ି ଖଟଗୁଡିକ ନଷ୍ଟ ହେଉଛି । ହଷ୍ଟେଲ ନଳକୂଅକୁ ଖୋଳି, ମଟର ଲଗାଇ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ବର୍ଷରୁ ଅଧିକ ହେବ ଠିକାଦାର ହଷ୍ଟେଲକୁ ନିଜ ଦଖଲରେ ରଖିଥିବା ବେଳେ ଯେତେ ନୋଟିସ୍‌ କଲେ ବି ଛାଡ଼ୁ ନଥିବା କହିଛନ୍ତି କଲେଜ ଅଧ୍ୟକ୍ଷ ।

ଜିଲ୍ଲା ପ୍ରଶାସନ ଓ ଉଚ୍ଚଶକ୍ଷା ବିଭାଗ ତୁରନ୍ତ ହସ୍ତକ୍ଷେପ କରି ଛାତ୍ରଙ୍କ ରହଣୀ ବ୍ୟବସ୍ଥା କରିବା ନିହାତି ଜରୁରୀ ।