Photograph: (KANAKNEWS)
କନକବ୍ୟୁରୋ : କୋରାପୁଟରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି । କିଛି ଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ରହୁଛି । ସକାଳ ସନ୍ଧ୍ୟାରେ ଘନ କୁହୁଡ଼ି ଛାଇ ରହୁଥିବାରୁ ଦୃଶ୍ୟମାନ ଦୂରତା କମ୍ ରହୁଛି । ଜନସାଧାରଣ ଏବଂ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବସ୍ ଓ ଛୋଟ ବଡ଼ ଯାନବାହନ ବିଳମ୍ବରେ ଚାଲୁଥିବାରୁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି ।
ଅଧିକ ପଢନ୍ତୁ... ଝିଅ ବାହାଘର ପାଇଁ ମିଳିବ ୫୧ ହଜାର; ଗରିବ, ଅସହାୟଙ୍କୁ ୫୧ ହଜାର ଟଙ୍କା
ସେପଟେ ରାଜ୍ୟରେ ପୁଣି ଶୀତ ବଢ଼ିବାରେ ଲାଗିଛି । ଦାରିଙ୍ଗବାଡ଼ିର ରାତି ତାପମାତ୍ରା ଖସି ୯ ଡିଗ୍ରିରେ ପହଞ୍ଚିଛି । ସେହିଭଳି ଝାରସୁଗୁଡ଼ାର ତାପମାତ୍ରା ୧୦.୯ ଡିଗ୍ରି ଓ ଫୁଲବାଣୀର ତାପମାତ୍ରା ୧୧ ଡିଗ୍ରିକୁ ଖସିଛି । ରାଜ୍ୟର ମୋଟ୍ ୧୮ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି ।
ଏଥିସହ କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ଅତି ଘନକୁହୁଡ଼ି ଦେଖାଯାଇଥିବା ବେଳେ ସୋନପୁର, ଟିଟିଲାଗଡ଼ ଓ ଝାରସୁଗୁଡ଼ାରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦେଖିବାକୁ ମିଳିଛି । କୋରାପୁଟ, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର ଓ ଝାରସୁଗୁଡ଼ା ଜିଲ୍ଲାର କିଛି ସ୍ଥାନରେ ଘନକୁହୁଡ଼ି ଦେଖାଯାଇପାରେ ।
ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ ଦିନରେ ରାଜ୍ୟର ପାରଦସ୍ତର ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ନିମ୍ନଗାମୀ ହୋଇପାରେ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ। ସର୍ବାଧିକ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ମଧ୍ୟରେ ରହିବ।
Follow Us