କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ପୀଠରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଏହି ଯୋଜନା ରେ ସାମିଲ ହୋଇ ସାମୁହିକ ବିବାହ କରିଛନ୍ତି ୨୦୧ ବରକନ୍ୟା। ଏହା ଏକ ଐତିହାସିକ ଓ ଜନ କଲ୍ୟାଣକାରୀ ଯୋଜନା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଉପକୃତ ହେବେ ଗରିବ ଓ ବିଧବା ମହିଳା।
ପୂରା ରୀତିନୀତି ସହିତ ଚାଲିଛି ବିବାହ ସମାରୋହ । ଗୋଟିଏ କି ଦୁଇଟି ନୁହେଁ, ଏକକାଳୀନ ୨୦୧ ଯୋଡ଼ା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୃଶ୍ୟ ଆସିଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ପୀଠରୁ। କନ୍ୟାଦାନ କରିଛନ୍ତି ଲୋକଙ୍କ ସରକାରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଉ ଏଥିସହ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ ମଧ୍ୟ ହୋଇଛି। ନିଜକୁ ୨୦୧ କନ୍ୟାଙ୍କର ବଡ଼ ଭାଇ ବୋଲି କହି ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଛନ୍ତି। ଏହି ଯୋଜନାରେ ୪୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ : ଆମ ସମ୍ବିଧାନ ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଓ ଭାତୃଭାବର ମହାନ ନିର୍ଦଶନ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
୨୦୨୫-୨୬ ବଜେଟରେ ଏହି ଯୋଜନାର ରୂପରେଖ ରଖିଥିଲା ବିଜେପି ସରକାର। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଲା ଗରିବ ଶ୍ରେଣୀର କନ୍ୟା, ବିଧବା କନ୍ୟା ମାନେ ସୁରୁଖୁରୁରେ ବିବାହ କରିପାରିବେ। ପୂର୍ବରୁ ମହିଳା ମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନାରେ ସ୍ବାବଲମ୍ବୀ କରାଯାଉଥିବା ବେଳେ ଏବେ କନ୍ୟା ଯୋଜନାରେ ସେମାନଙ୍କ ବିବାହ କରାଯାଉଛି। ଏବେ ଆଉ କେହି ଗରୀବ ଶ୍ରେଣୀର କନ୍ୟା ମାନେ ଅବିବାହିତ ହୋଇ ରହିବେ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଅନେକ ପରିବାର, ଅନେକ ଝିଅ ଏହି ନୂଆ ଆରମ୍ଭକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଏହାସହ ସରକାରଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। ଗରିବଙ୍କ ସହ ଛିଡା ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନାକୁ ଚାରିଆଡୁ ପ୍ରଶଂସା କରାଯାଉଛି।
Follow Us