କନକ ବ୍ୟୁରୋ : ଆରମ୍ଭ ହେଲା ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବୋର୍ଡ ପରୀକ୍ଷା । ଜାତୀୟ ଶିକ୍ଷା ନୀତି ଅନୁସାରେ ଏଥର ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ରହିଛି ପାସଫେଲ ବ୍ୟବସ୍ଥା । ଅର୍ଥାତ ପରୀକ୍ଷାରେ ୩୦ ପ୍ରତିଶତ ମାର୍କ ରଖିଲେ ପାସ କରିବେ ଛାତ୍ରଛାତ୍ରୀ । ଫେଲ ହେଲେ ୬ସପ୍ତାହ ଭିତରେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ଅଭିଭାବକ । ତେବେ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ।

Advertisment

ମାଟ୍ରିକ ବୋର୍ଡ ଭଳି ପ୍ରଥମ ଥର ପାଇଁ ଏଥର ଅଷ୍ଟମ ଶ୍ରେଣୀରେ ଛାତ୍ରଛାତ୍ରୀ ଦେଇଛନ୍ତି ବୋର୍ଡ ପରୀକ୍ଷା । ପାସ ପାଇଁ ଦରକାର ୩୦ପ୍ରତିଶତ ମାର୍କ । କମ୍ ନମ୍ବର ରଖିଲେ ଫେଲ୍ । ଆଉ ଫେଲ ହେଲେ ୬ ସପ୍ତାହ ଭିତରେ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା । ସକାଳ ୭ଟାରୁ ୯ଟା ଏବଂ ୯ଟା ୩୦ରୁ ୧୧ଟା ୩୦ ଦୁଇଟି ସିଟିଂରେ ହୋଇଛି ପରୀକ୍ଷା । ମାଟ୍ରିକ ପରୀକ୍ଷା ଭଳି ଷ୍ଟ୍ରଙ୍ଗ ରୁମରେ ରହିଛି ପ୍ରଶ୍ନପତ୍ର । ସକାଳୁ ସ୍ୱତନ୍ତ୍ର ସୁରକ୍ଷାରେ ସ୍କୁଲରେ ପହଁଚିଥିଲା ପ୍ରଶ୍ନପତ୍ର । ପରୀକ୍ଷା ପାଇଁ  ବ୍ଲକସ୍ତରରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ପ୍ରତି ସ୍କ୍ୱାର୍ଡରେ ୩ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ସେହିଭଳି ଜିଲ୍ଲା ଓ ରାଜ୍ୟସ୍ତରରେ ମଧ୍ୟ ସ୍କ୍ୱାର୍ଡ ରହିଛନ୍ତି । ପ୍ରତି ଦିନ ୫ ରୁ ୬ଟି ସ୍କୁଲ ନିରୀକ୍ଷଣ କରିବେ ଏହି ସ୍କ୍ୱାର୍ଡ । ସମାନ ଭାବେ ପଞ୍ଚମ ଶ୍ରେଣୀର ବୋର୍ଡ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି ।

ଅଧିକ ପଢ଼ନ୍ତୁ : ଖରା ଆରମ୍ଭରୁ ଉତ୍କଟ ଜଳକଷ୍ଟ; ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ସବୁଠି ଯନ୍ତ୍ରଣାର ଚିତ୍ର

ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ୫୦ମାର୍କର ପରୀକ୍ଷା ଥିବାବେଳେ ସେଥିରୁ ୧୦ମାର୍କର ମୌଖିକ ଓ ୪୦ମାର୍କର ଲିଖିତ ପରୀକ୍ଷା ହୋଇଛି । ସେହିଭଳି ଅଷ୍ଟମ ଶ୍ରେଣୀରେ ୫୦ମାର୍କର ଲିଖିତ ପରୀକ୍ଷା ହୋଇଛି । ସେଥିରୁ ପ୍ରଶ୍ନପତ୍ରରେ ୩୦ମାର୍କ ଅର୍ଥାତ ୬୦ପ୍ରତିଶତ ସଂକ୍ଷିପ୍ତ ପ୍ରଶ୍ନ ରହିଥିବା ବେଳେ ୨୦ମାର୍କର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଶୃଙ୍ଖଳା ଓ ସଚେତନତା ବୃଦ୍ଧି କରିବାରେ ଏଭଳି ବ୍ୟବସ୍ଥା ବେଶ ସହାୟକ ହେବ ବୋଲି କହିଛନ୍ତି ଅଭିଭାବକ । କିନ୍ତୁ ସ୍ଵଛତାର ସହ ପରୀକ୍ଷା ପରିଚାଳନା ପାଇଁ ଅନୁରୋଧ କରିଛନ୍ତି ।

ପରୀକ୍ଷା ପରେ ସ୍କୁଲସ୍ତରରେ ବିଷୟ ଅନୁସାରେ ଶିକ୍ଷକମାନେ ଖାତା ଦେଖିବେ । ମୂଲ୍ୟାୟନ ପରେ ଛାତ୍ରଛାତ୍ରୀଙ୍କୁ ପ୍ରୋଗ୍ରେସ୍ ରିପୋର୍ଟ ଦିଆଯିବ । ଛାତ୍ରଛାତ୍ରୀଙ୍କ ଭିବଷ୍ୟତ ପ୍ରତିଯୋଗିତାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି ।