କନକ ବ୍ୟୁରୋ : ଫେବ୍ରୁଆରି ୧୯ରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା । ପ୍ରଶ୍ନପତ୍ର ପ୍ରଘଟକୁ ରୋକିବାକୁ ପ୍ରତି ପ୍ରଶ୍ନରେ କ୍ୟୁଆର କୋଡ୍ ଏବଂ ୱାଟରମାର୍କ ବ୍ୟବସ୍ଥା କରାଯାଇଛି । ସେପଟେ ନିର୍ଭୁଲ ପ୍ରଶ୍ନ ପତ୍ର, ଆଉଟ୍ ଅଫ୍ ସିଲାବସ ଏବଂ ନୋଡାଲ ସେଣ୍ଟରରେ ଠିକ୍ ସମୟରେ ପ୍ରଶ୍ନପତ୍ର ପହଞ୍ଚିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶିକ୍ଷାବିତ ।
ଚୂଡ଼ାନ୍ତ ପର୍ଯ୍ୟାୟରେ ଦଶମ, ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପ୍ରସ୍ତୁତି। ଚଳିତବର୍ଷ ଏହି ପରୀକ୍ଷା ପାଇଁ ୫ଲକ୍ଷ ୬୦ହଜାରରୁ ଅଧିକ ପିଲା ଫର୍ମ ପୂରଣ କରିଛନ୍ତି। ମୋଟ ୩୦୮୨ଟି ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ ହୋଇଛି। ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ଲାଗି ୩୨୨ଟି ନୋଡାଲ ସେଣ୍ଟର କରାଯାଇଛି। ରାଜ୍ୟ ବାହାର ଫାର୍ମରୁ ଛପା ଯାଇଥିବା ପ୍ରଶ୍ନପତ୍ର ଆସି କଡ଼ା ସୁରକ୍ଷା ମଧ୍ୟରେ ବୋର୍ଡ ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ନୋଡାଲ ସେଣ୍ଟର ସୁରକ୍ଷା ଲାଗି ସ୍ଥାନୀୟ ଜିଲ୍ଲା ପ୍ରଶାସନ ସହ ଆଲୋଚନ ହୋଇଛି।
ଅଧିକ ପଢ଼ନ୍ତୁ :ବଦଳିଲା ୟୁପିଏସସି ପରୀକ୍ଷା ନିୟମ, ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୬ ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗର ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି
ଶିକ୍ଷାବିତଙ୍କ କହିବାନୁସାରେ ସଠିକ୍ ଏବଂ ତ୍ରୁଟିଶୂନ୍ୟ ପ୍ରଶ୍ନପତ୍ର ତିଆରି କରିବା, ଆଉଟ ଅଫ୍ ସଲାବସ ସମସ୍ୟା ଏଡ଼ାଇବା ଏବଂ ନୋଡାଲ ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ସୁରକ୍ଷାର ସହିତ ପହଞ୍ଚାଇବା ସହ ନିର୍ଭୁଲ ପରୀକ୍ଷା ଫଳ ପ୍ରକାଶ କରିବା ବୋର୍ଡର ପ୍ରମୁଖ ପ୍ରାଥମିକତା ହେବ। ଏଥିସହ ଦୂରଦୂରାନ୍ତ ସେଣ୍ଟରରେ କପି ଯେପରି ନହେବ ସ୍ଥାନୀୟ ପ୍ରଶାସନ ତା ଉପରେ କଡ଼ା ନଜର ଦେବା ଉଚିତ। ତେବେ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ସହ ବୋର୍ଡର ପରୀକ୍ଷା ସୁପରିଚାଳନା ଉପରେ ସମସ୍ତଙ୍କ ନଜର ରହିଛି।
Follow Us