କନକ ବ୍ୟୁରୋ : ଇଣ୍ଡିଗୋ ବିମାନ ସେବା ସଙ୍କଟକୁ ନେଇ ବଡ଼ ଅପଡେଟ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ଡିଗୋ ଉପରେ କ୍ଷୁବ୍ଧ ହୋଇଛି । ଇଣ୍ଡିଗୋ ଦେଇଥିବା ଉତ୍ତର ସନ୍ତୋଷଜନକ ନୁହେଁ ବୋଲି କହିଛି ମନ୍ତ୍ରଣାଳୟ । ଏୟାରଲାଇନ୍ସ ନିଜର ୯୫ ପ୍ରତିଶତ ନେଟୱାର୍କ ସଂଯୋଗ ପୁନଃସ୍ଥାପନ କରିସାରିଥିବା କୁହାଯାଉଛି । ଶନିବାର ଦିନ କମ୍ପାନିର ୧୩୮ଟି ରୁଟ୍‌ ମଧ୍ୟରୁ ୧୩୫ଟିକୁ ବିମାନ ଚଳାଚଳ କରିଛି । ଏହାସହ ପ୍ରତିଦିନି ପୁଣି ୧୫ଶହରୁ ଅଧିକ ବିମାନ ସେବା ଯୋଗଇବା ନେଇ ଇଣ୍ଡିଗୋ ଏକ ବିବୃତିରେ କହିଛି । ପୁଣି ଥରେ କ୍ଷମା ମାଗିଛି ଏୟାରଲାଇନ୍ସ । ଗ୍ରାହକମାନଙ୍କର ବିଶ୍ୱାସ ପୁନରୁଦ୍ଧାର କରିବା ପାଇଁ ଦୃଢ଼ପ୍ରତିଜ୍ଞ ବୋଲି କମ୍ପାନି କହିଛି । ଗତକାଲି ଏହି ଲୋ-କଷ୍ଟ ଏୟାରଲାଇନ୍ସ ପ୍ରାୟ ଏକ ହଜାର ବିମାନ ବାତିଲ କରିଥିଲା, ଯାହା ବାତିଲ ସଂଖ୍ୟା ଦୃଷ୍ଟିରୁ ସବୁଠାରୁ ଅଧିକ ପ୍ରଭାବିତ ଦିନ ଥିଲା । 

Advertisment

ବିବୃତିରେ ଇଣ୍ଡିଗୋ କହିଛି ଯେ ଶୁକ୍ରବାର ଦିନ ୧୧୩ଟି ଗନ୍ତବ୍ୟସ୍ଥଳକୁ ସଂଯୋଗ କରୁଥିବା ୭ଶହରୁ ଅଧିକ ବିମାନ ଉଡ଼ାଣ ଭରିଥିଲା । ଏୟାରଲାଇନ୍ସ  ପକ୍ଷରୁ କୁହାଯାଇଛି ଯେ, ନେଟୱାର୍କ, ସିଷ୍ଟମ ଏବଂ ରୋଷ୍ଟରକୁ ରିବୁଟ କରି ଅଧିକ ସଂଖ୍ୟକ ବିମାନ ସେବା ଯୋଗାଇବା ମୁଖ୍ୟ ଲକ୍ଷ୍ୟ ହୋଇଥିବା ବେଳେ ଏଥିରେ କିଛି ପ୍ରାରମ୍ଭିକ ଉନ୍ନତିର ଲକ୍ଷଣ ଦେଖାଯାଉଛି । ଇଣ୍ଡିଗୋ ସ୍ୱୀକାର କରିଛି ଯେ ନଭେମ୍ବର ୧ ତାରିଖରୁ ପାଇଲଟ୍‌ମାନଙ୍କ ରାତ୍ରି ଉଡ଼ାଣ ଓ ସାପ୍ତାହିକ ବିଶ୍ରାମ ସମ୍ପର୍କରେ ଅଧିକ କଡ଼ା ନିୟମ ଲାଗୁ କରିବାର ଡେଡ୍‌ଲାଇନ୍‌ ପୂର୍ବରୁ ସେ ଠିକ୍‌ ଭାବେ ଯୋଜନା କରିନଥିଲା, ଯାହା ଏହି ସପ୍ତାହରେ ରୋଷ୍ଟର ଯୋଜନାରେ ବଡ଼ ସମସ୍ୟା ସୃଷ୍ଟି କରିଛି । 

ଅଧିକ ପଢ଼ନ୍ତୁ--ଇଣ୍ଡିଗୋ ବିମାନ କମ୍ପାନିକୁ ଡିଜିସିଏର କାରଣ ଦର୍ଶାଅ ନୋଟିସ୍ : ୨୪ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ରବିବାର ସନ୍ଧ୍ୟା ସୁଦ୍ଧା ବାତିଲ ହୋଇଥିବା ବିମାନଗୁଡ଼ିକର ଟିକେଟ୍‌ ରିଫଣ୍ଡ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଏବଂ ଯାତ୍ରୀଙ୍କଠାରୁ ଅଲଗା ହୋଇଯାଇଥିବା ବ୍ୟାଗେଜ୍‌ଗୁଡ଼ିକ ଆସନ୍ତା ଦୁଇ ଦିନ ମଧ୍ୟରେ ପହଞ୍ଚାଇ ଦେବାକୁ । ଇଣ୍ଡିଗୋ ନିଜ ବିବୃତିରେ କହିଛି ଯେ ଗ୍ରାହକମାନଙ୍କ ରିଫଣ୍ଡ ସମସ୍ୟାକୁ ସେ ପ୍ରାଥମିକତା ଭିତ୍ତିରେ ସମାଧାନ କରୁଛନ୍ତି ।