Chips Packet Photograph: (Kanak News)
କନକ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ଚିପ୍ସ ପ୍ୟାକେଟରେ ଥିବା ମାଗଣା ଖେଳଣା ଗିଳିଦେବାରୁ ଶ୍ୱାସରୁଦ୍ଧ ହୋଇ କୁନି ଶିଶୁପୁତ୍ରର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ବାପା ଆଣି ଦେଇଥିଲା ଚିପ୍ସ ପ୍ୟାକେଟ୍ ପୁଅର ମୃତ୍ୟୁର କାରଣ ପାଲଟିଲା ।
ଅଧିକ ପଢ଼ନ୍ତୁ : ସରିବ ଶିକ୍ଷାବର୍ଷ, ଏଯାଏଁ ମିଳିନି ୟୁନିଫର୍ମ; ସରକାରଙ୍କ ନିର୍ଦ୍ଦେଶ, ମାନୁନାହାନ୍ତି ଶିକ୍ଷାଧିକାରୀ
ବାହୁନି ବାହୁନି କାନ୍ଦୁଛି ମାଆ... ଏ ଧନ କୁଆଡ଼େ ଗଲୁ କହି ନାତିକୁ ଝୁରୁଛି ଜେଜେମାଆ । ମନକୁ ବୁଝାଇ ପାରୁନି, ନାତି ଚାଲିଯାଇଛି ଅଫେରା ରାଇଜକୁ । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ମୁସୁମାହାପଡ଼ାର ସାଢ଼େ ୩ ବର୍ଷର ପୁଅ ବିଗିଲ ପ୍ରଧାନ । ଅଙ୍ଗନୱାଡ଼ି କେନ୍ଦ୍ରରୁ ଘରକୁ ଫେରିବା ବେଳେ ପୁଅ ଖୁସି ହେବ ବୋଲି ଚିପ୍ସ ପ୍ୟାକେଟ ଟିଏ କିଣିଦେଇଥିଲେ ବାପା ରଞ୍ଜିତ । ସେ ବା କାହୁଁ ଜାଣିବେ, ପୁଅକୁ ଚିପ୍ସ ନୁହେଁ, ଧରାଇ ଦେଉଛନ୍ତି ମୃତ୍ୟୁ । ଚିପ୍ସ ଖାଉ ଖାଉ ପ୍ୟାକେଟ ଭିତରେ ଥିବା ରବର ଖେଳଣା ବନ୍ଧୁକକୁ ଗିଳି ଦେଇଥିଲା ଅବୋଧ ଶିଶୁ । ଯାହାକି ତଣ୍ଟିରେ ଲାଖି ଅଟକାଇ ଦେଇଥିଲା କୁନି ପୁଅର ଶ୍ୱାସ ପ୍ରଶ୍ୱାସ । ଆଉ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚିଲା ବେଳକୁ ସବୁ କିଛି ଶେଷ ।
ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ- FSSAI ସବୁ ରାଜ୍ୟକୁ ଲେଖିଥିବା ୨୦୧୯ର ଚିଠିରେ ପିଲାଙ୍କ ପ୍ରତି ବିପଦ ଆଶଙ୍କା କରି, ଖାଦ୍ୟ ପ୍ୟାକେଟ୍ ଭିତରେ ଖେଳଣା ଓ ଅଣଖାଦ୍ୟ ସାମଗ୍ରୀ ନରଖିବାକୁ କରାଯାଇଛି ତାଗିଦ । ହେଲେ କନ୍ଧମାଳର ଏ ଅଘଟଣ ନିୟମର କେମିତି ଧଜ୍ଜିଆ ଉଡ଼ୁଛି, ତାକୁ ପଦାରେ ପକାଇଛି । ସେପଟେ ପିଲାଙ୍କୁ କିଛି ଖାଦ୍ୟ କିଣି ଦେବା ଆଗରୁ ବଡ଼ମାନେ ବି ସତର୍କ ହେବା ଜରୁରୀ ବୋଲି ଚେତାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଗତମାସ ଫୁଲବାଣୀରେ ନୋଟିସ୍ ବୋର୍ଡର ପିନ୍ ଗିଳି ଆଖି ବୁଜିଥିଲେ ଜଣେ ସ୍କୁଲ ଛାତ୍ର ।
Follow Us