କନକ ବ୍ୟୁରୋ : କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ଅନୁଆରୀ ପଞ୍ଚାୟତର ମଇଜରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟାଳୟର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନ ଚାଉଳକୁ ଚୋରାରେ ବିକ୍ରି କରୁଥିବା ସମୟରେ ବିଦ୍ୟାଳୟର ପିଅନ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ଦେଖାଦେଇଛି ।

Advertisment

ଗତକାଲି ବିଳମ୍ବିତ ରାତିରେ ବିଦ୍ୟାଳୟର ପିଅନ ବିଦ୍ୟାଧର ବେହେରା ଷ୍ଟୋର ରୁମ ଖୋଲି ୨ ବସ୍ତା ଚାଉଳ ବିକ୍ରି କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ ଏବଂ ପିଅନଙ୍କୁ ଚାଉଳ ବିକ୍ରି କରୁଥିବା ଅବସ୍ଥାରେ ରଙ୍ଗେ ହାତ ଧରିଥିଲେ । ପିଲାଙ୍କ ହକ୍‌ର ଚାଉଳକୁ ଏଭଳି ଭାବେ ବାହାରେ ବିକ୍ରି କରାଯିବା ଘଟଣା ଗ୍ରାମବାସୀଙ୍କୁ ବ୍ୟଥିତ କରିଛି ।

ଅଧିକ ପଢ଼ନ୍ତୁ---ପୁଲିସ ଏସଆଇ ପରୀକ୍ଷା ସ୍କାମ ମାମଲା;ସିଲିକନ୍ ଟେକ୍ ଲ୍ୟାବକୁ ପୂର୍ବରୁ କ୍ଲିନଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ

ଏହି ଘଟଣା ପରେ ସକାଳେ ଗ୍ରାମବାସୀମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ବିଦ୍ୟାଳୟର ଗେଟ ସମ୍ମୁଖରେ ଶିକ୍ଷକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା, ଯାହାଫଳରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଚୋରିରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ତାହାର ତଦନ୍ତ ହେବା ଆବଶ୍ୟକ । ବର୍ତ୍ତମାନ ଗ୍ରାମବାସୀ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଯଦି ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।