କନକ ବ୍ୟୁରୋ : ସାତଭାୟାର ସାହସ ସାଜିଲା କନକ ନ୍ୟୁଜ । ମଗରକନ୍ଦାରେ ନିରକ୍ଷରତା ଓ ବାଲ୍ୟବିବାହକୁ ନେଇ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ନଜରର ଆଢ଼ୁଆଳରେ ରହିଯାଇଥିବା ଏହି ପଛୁଆ ଗାଁରେ ପହଞ୍ଚି ସମସ୍ୟା କଥା ବୁଝିଲେ ଉପଜିଲ୍ଲାପାଳ ଓ ରାଜନଗର ତହସିଲଦାର । ଏପଟେ ବାଲ୍ୟବିବାହ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ସାତଭାୟା ପଞ୍ଚାୟତର ମଗରକନ୍ଦା । ଗାଁଲୋକଙ୍କ ମନେ ବି ନଥିବ, ସେମାନେ ଶେଷ ଥର ପାଇଁ କେବେ ଦେଖିଥିଲେ ସରକାରୀ ଅଧିକାରୀଙ୍କ ମୁହଁ । ବିକାଶଠୁ କୋଶେ ଦୂରରେ ଥିବା ଏହି ଗାଁରେ, ବିଗତ ୧୦ ବର୍ଷ ଭିତରେ ଜନ୍ମିତ ଶିଶୁ କିପରି ସ୍କୁଲ ମାଟି ମାଡ଼ିନାହାନ୍ତି, କେମିତି ଏବେ ବି ବାଲ୍ୟ ବିବାହର ପ୍ରାଦୁର୍ଭାବ ରହିଛି, ଏ ସଂପର୍କରେ ଲଗାତାର ଖବର ପ୍ରସାରଣ କରିଥିଲା କେବଳ କନକ ନ୍ୟୁଜ୍ ।
ଅଧିକ ପଢ଼ନ୍ତୁ : ଖବର ବାଜିଲା, ଚେତିଲା ପ୍ରଶାସନ ; ବୃଦ୍ଧାଙ୍କୁ ମିଳିଲା ପକ୍କା ଘର
ବର୍ଷ ବର୍ଷ ଧରି ପାଶୋରି ଯାଇଥିବା ଗାଁରେ ପଡ଼ିଲା ଜିଲ୍ଲା ପ୍ରଶାସନର ପାଦ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଓ ରାଜନଗର ତହସିଲଦାର ମଗରକନ୍ଦାରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ଯଥାଶୀଘ୍ର ସେଠାକାର ସମସ୍ୟା ଦୂର କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
ସାତଭାୟା ପଞ୍ଚାୟତରେ ବାଲ୍ୟ ବିବାହକୁ ନେଇ ଖବର ପ୍ରସାରଣ ପରେ, ଏହାକୁ ନେଇ ଉଦବେଗ ପ୍ରକାଶ କରିବା ସହ ରିପୋର୍ଟ ତଲବ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଘଟଣାକୁ ନେଇ ରିପୋର୍ଟ ମଗାଯାଇଛି ଏବଂ ନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ଲୋକଙ୍କ ଖବର, ଲୋକଙ୍କ କଥା, ଲୋକଙ୍କ ସମସ୍ୟାକୁ ସର୍ବଦା ପ୍ରାଥମିକତା ଦେଇଆସୁଛି କନକ ନ୍ୟୁଜ୍ । ଲୋକଲୋଚନକୁ ଆଣୁଛି.. ନାହିଁ ନାହିଁରେ ବଞ୍ଚୁଥିବା ମଣିଷର ନିରୁତା ଯନ୍ତ୍ରଣା । ସେଇ ଧାରାରେ ସାତଭାୟାର ନିଚ୍ଛକ ସତକୁ ଦେଖାଇବା ପରେ, ପ୍ରଶାସନ ଚେତିଛି ସତ । କିନ୍ତୁ ଖବର ଚାପରେ କେବଳ ପରିଦର୍ଶନରେ ପଦକ୍ଷେପ ସୀମିତ ରହୁଛି, ନା ଲୋକଙ୍କ ଦୁଃଖ ସତରେ ଦୂର ହେଉଛି, ତା ଉପରେ ରହିଛି ଆମର ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/23/child-marriage-in-rajnagar-2025-12-23-20-21-10.jpg)