କନକ ବ୍ୟୁରୋ : ଚାରି ଦିନ ପରେ ଆସିବ ରାଜ୍ୟ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଉପସ୍ଥାପନ କରିବେ କେଉଁ ବିଭାଗ ପାଇଁ କେତେ ରଖିଛନ୍ତି ବ୍ୟୟ ବରାଦ। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା କରିପାରନ୍ତି। ସୂଚନା ଅନୁସାରେ ବଜେଟର ପରିମାଣ ୩ଲକ୍ଷ ୧୦କୋଟି ଛୁଇଁବ। 

Advertisment

ଫେବ୍ରୁଆରି ୨୦ରେ ମୁଖ୍ୟମନ୍ତ୍ରୀ ‌ମୋହନ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିବେ। ଏହା ପୂର୍ବରୁ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୬-୨୭ ଆର୍ଥିକବର୍ଷର ବଜେଟ୍‌ ୩ ଲକ୍ଷ ୧୦ ହଜାର କୋଟିରେ ପହଞ୍ଚିପାରେ। ଏଥର କେନ୍ଦ୍ର ବଜେଟ୍ ଭଳି ଦୀର୍ଘସ୍ଥାୟୀ ଯୋଜନା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି। ବଜେଟରେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସ୍ବପ୍ନ ସାକାର ପାଇଁ ଲକ୍ଷ୍ୟ ରଖାଯାଇଛି। 

ଅଧିକ ପଢନ୍ତୁ : ମନ୍ତ୍ରୀ ପରିଷଦ ବୈଠକରେ ୨୦୨୬-୨୭ ଚିଠା ବଜେଟ୍‌କୁ ଅନୁମୋଦନ

ବଜେଟରେ କ’ଣ ରହିପାରେ..
- ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା, ଜଳସେଚନ ବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ବ୍ୟବସ୍ଥା 
- କୃଷି, ଗ୍ରାମୀଣ ଭିତ୍ତିଭୂମି ବିକାଶ, ସାମାଜିକ କଲ୍ୟାଣ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ସୁଦୃଢ଼ କରାଯିବ 
- ପୁଲିସ ବିଭାଗର ଆଧୁନିକୀକରଣ, ସାଇବର ସୁରକ୍ଷା ବୃଦ୍ଧି ପାଇଁ ବଡ଼ ପଦକ୍ଷେପ 
- ସୁଭଦ୍ରା ଯୋଜନା ପାଇଁ ଅଧିକ ଅନୁଦାନ 

 କେନ୍ଦ୍ରୀୟ ଟିକସ ଭାଗ ବାବଦରେ ମିଳିବ ୬୭ ହଜାର ୪୬୦ କୋଟି। ଯାହା ୨୦୨୫-୨୬ ଆର୍ଥିକବର୍ଷ ତୁଳନାରେ ୪୩୮୭ କୋଟି ଅଧିକ। ରାଜ୍ୟ ଟିକସ ବାବଦକୁ ଆୟ ୧୦% ବଢ଼ି ୭୨ ହଜାର କୋଟି ହୋଇପାରେ। ଅଣଟିକସ ଆୟ ଚଳିତ ଆର୍ଥିକବର୍ଷ ତୁଳନାରେ ପ୍ରାୟ ୯% ବଢ଼ି ୬୫ ହଜାର କୋଟି ଛୁଇଁପାରେ। ଏଥିସହ ଋଣ ପରିମାଣ ବି ବଢ଼ିବ। ତେବେ ଏପର୍ୟ୍ୟନ୍ତ ୨୦୨୫-୨୬ ବର୍ଷର ବଜେଟ ଅର୍ଥ ଖର୍ଚ୍ଚ କରିପାରିନଥିବାରୁ ସମାଲୋଚନା କରିଛନ୍ତି ବିରୋଧୀ।  ବିଧାୟକଙ୍କ ବର୍ଦ୍ଧିତ ଦରମା ନିଷ୍ପତ୍ତି ପ୍ରତ୍ୟାହାର ହୋଇଥିବାରୁ ଚଳିତ ବଜେଟ ଅଧିବେଶନରେ ସଂଶୋଧିତ ଦରମାକୁ ନେଇ ଘୋଷଣା କରାଯାଇପାରେ।