କନକ ବ୍ୟୁରୋ : ଫେବ୍ରୁଆରି ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିବେ । ଏହା ପୂର୍ବରୁ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଚିଠା ବଜେଟ୍‌କୁ ଅନୁମୋଦନ ମିଳିଛି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୬-୨୭ ଆ‌ର୍ଥିକ ବର୍ଷର ବଜେଟ୍‌ ୩ ଲକ୍ଷ କୋଟି ଟପିପାରେ । କେଉଁ କେଉଁ ଦିଗକୁ ବଜେଟ୍‌ରେ ଫୋକସ୍‌ ଦିଆଯିବ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨ଲକ୍ଷ ୯୦ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିବାବେଳେ ଆସନ୍ତା ଆର୍ଥିକ ବର୍ଷରେ ଏହାକୁ ଆହୁରି ପ୍ରାୟ ୧୫ହଜାରରୁ ୨୦ହଜାର କୋଟି ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି ।

Advertisment

ଅଧିକ ପଢନ୍ତୁ : ବାଟବଣା କରୁଛନ୍ତି ବାବୁ ; ଖର୍ଚ୍ଚ ହୋଇପାରିଲାନି ବଜେଟ୍‌ ଟଙ୍କା!

ତେଣୁ ପୂର୍ଣ୍ଣାଙ୍ଗ ବଜେଟ୍ ୩ଲକ୍ଷ ୧୦ହଜାର କୋଟି ଛୁଇଁପାରେ ବୋଲି କୁହାଯାଉଛି। ଅର୍ଥ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ଯେଉଁ ରୋଡ୍‌ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ତାହାକୁ ନଜ‌ରରେ ରଖି ବଜେଟ୍‌ରେ ଅର୍ଥ ବରାଦ ହେବ । ଜଳସମ୍ପଦ ବିଭାଗର ୩ଟି ଓ ଶ୍ରମ ବିଭାଗର ଗୋଟିଏ ପ୍ରସ୍ତାବରେ ବାଜିଲା ମୋହର । ଶ୍ରମ ବିଭାଗର ରେଡ଼ିଓଗ୍ରାଫର ସର୍ଭିସ ରୁଲରେ ସଂଶୋଧନ ହୋଇଛି ।  ଜଳସମ୍ପଦ ବିଭାଗରେ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୧୦୦ କୋଟି ଟଙ୍କାର ୩ଟି ପ୍ୟାକେଜକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ ।