କନକ ବ୍ୟୁରୋ: ‘‘ସାମାଜରେ ସୌହାର୍ଦ୍ୟ ଓ ଏକତାର ବାତାବରଣ ସୃଷ୍ଟି କରି ଏହାର ବୌଦ୍ଧିକ ବିକାଶ କରିବାରେ ‘ଚେସ୍’ ନିର୍ଣ୍ଣାୟକ ଭୂମିକା ନେଇ ପାରିବ । ୬୪ବର୍ଗର ଏହି ଖେଳ ସାମାଜିକ ଓ ଶିକ୍ଷାଗତ ସଂସ୍କାରର ବଳିଷ୍ଠ ମାଧ୍ୟମ ବି ହୋଇପାରିବ । ସେହି ଦୃଷ୍ଟିରୁ ଶିକ୍ଷା ଓ ଚେସ୍‌ର ସମନ୍ବୟ ହେଉଛି ସମୟର ଆବଶ୍ୟକତା । ଚେସ୍ ଖେଳିଲେ ଜଣେ କେବଳ ଶୃଙ୍ଖଳିତ ହୁଏନି; ଅପୂର୍ବ ଏକାଗ୍ରତା, ଅସାଧାରଣ ନିରନ୍ତରତା ଓ ନିର୍ଭିକ ଭାବେ ନୂଆ ନୂଆ କଥା ଚିନ୍ତା କରିବା ଦକ୍ଷତା ତା ବ୍ୟକ୍ତିତ୍ବର ଅଂଶବିଶେଷ ପାଲଟିଥାଏ ।’’ କିଟ୍‌ ବିଶ୍ବବିଦ୍ୟାଳୟଠାରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ‘ସାମାଜିକ ଓ ଶିକ୍ଷାଗତ ଚେସ୍‌ ଅନ୍ତର୍ଜାତୀୟ ସମ୍ମିଳନୀ’ର ଅବ୍ୟବହିତ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚେସ୍‌ ବିଶେଷଜ୍ଞ, ଗ୍ରାଣ୍ଡମାଷ୍ଟର୍ ଓ ଚେସ୍‌ ସଂଗଠକମାନେ ଏଭଳି ମତବ୍ୟକ୍ତ କରିଛନ୍ତି । ସେହିଭଳି ଭାରତରେ ପ୍ରଥମ ଥର ଏଭଳି ଏକ ସମ୍ମିଳନୀ ଆୟୋଜିତ ହେଉଥିବାରୁ ଆଗାମୀ ସମୟରେ ଓଡ଼ିଶାରେ ଚେସ୍‌ର ଲୋକପ୍ରିୟତା ଆହୁରି ବଢ଼ିବ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି । ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଆକର୍ଷଣ ପାଲଟିଥିବା ପାଞ୍ଚ ଥର ବିଶ୍ବବିଜେତା ତଥା ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ବିଶ୍ବନାଥନ ଆନନ୍ଦ ଦେଶର ଚେସ୍‌ ଭବିଷ୍ୟତ ବେଶ୍‌ ଉଜ୍ଜ୍ବଳ ବୋଲି ମତ ବ୍ୟକ୍ତ କରିଛନ୍ତି । ସେହିଭଳି ଶିକ୍ଷାରେ ଚେସ୍‌ର ପ୍ରୟୋଗ ଉପରେ ଗୁରୁତ୍ବାରୋପ କରିଛନ୍ତି ସେ ।

Advertisment

ଏହା ବି ପଢ଼ନ୍ତୁ: ହକି ଇଣ୍ଡିଆ ଲିଗ୍‌: ଲାନ୍‌ସର୍ସର ଅପରାଜେୟ ଧାରା ଜାରି

କିଟ୍ ଓ କିସ୍‌ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ କହିଛନ୍ତି, 'ଏଭଳି ଏକ ସମ୍ମିଳନୀ ଓଡ଼ିଶାରେ ଆୟୋଜିତ ହେବା ଗର୍ବ ଓ ଗୌରବର ବିଷୟ । ୪୦ ଦେଶର ୮୦ ପ୍ରତିନିଧି ଏବଂ ୫୨୦୦ରୁ ଅଧିକ ଚେସ୍ ଖେଳାଳି ଅଂଶଗ୍ରହଣ କରୁଥିବାରୁ ଏହାକୁ ‘ଚେସ୍‌ ମହାକୁମ୍ଭ’ର ନାଁ ଦିଆଯାଇଛି । ଚେସ୍ ଏମିତି ଏକ ଖେଳ ଯେଉଁଥିରେ ଧନୀ-ଗରିବ, କୁନି-ବୟସ୍କ, ଅଭିଜ୍ଞ-ଅନଭିଜ୍ଞ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ ।' ସମସ୍ତେ ଗୋଟିଏ ଟେବୁଲ୍‌ରେ ବସି ଖେଳି ପାରନ୍ତି ବୋଲି କହିଥିଲେ । ଫିଡେ ସଭାପତି ତଥା ରୁଷିଆର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆର୍କାଡି ଦର୍କୋଭିଚ, ଉପାଧ୍ୟକ୍ଷ ଦାନା ରେଜନିସ୍‌ ପିଲାଙ୍କୁ ଖେଳ ଶିକ୍ଷାଇବା ପୂର୍ବରୁ ଶିକ୍ଷକଙ୍କୁ ଚେସ୍‌ର ପ୍ରଶିକ୍ଷଣ ଦେବାକୁ ଆହ୍ବାନ କରିଥିଲେ । କାଜାଖସ୍ଥାନ ଏଭଳି ମଡେଲ ଉପଯୋଗ କରି ଚେସ୍‌କୁ ଗଣଖେଳରେ ପରିଣତ କରିପାରିଛି । ଭାରତରେ ମଧ୍ୟ ଏହି ମଡେଲ ସୁଫଳ ହେବ ବୋଲି ଉଭୟ ଆଶା ପ୍ରକାଶ କରିଥିଲେ । ଏଣୁ ଶିକ୍ଷାରେ ଚେସ୍‌ର ସୁଚିନ୍ତିତ ସମିଶ୍ରଣର ଲକ୍ଷ୍ୟ ନେଇ ଅନ୍ତର୍ଜାତୀୟ ଚେସ୍‌ ମହାସଂଘ ଚଳିତ ବର୍ଷକୁ ‘ଶିକ୍ଷାରେ ଚେସ୍’ ବର୍ଷ ଭାବେ ପାଳନ କରୁଛି । ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ସମ୍ମିଳନୀ କରି ତୃଣମୂଳ ସ୍ତରରୁ ଅଧିକରୁ ଅଧିକ ପିଲାଙ୍କୁ ଚେସ୍‌ ଯୋଡ଼ିବାକୁ ସାରା ବିଶ୍ବରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ଚେସ୍‌କୁ ସାମାଜିକ ଓ ଶିକ୍ଷାଗତ ସଂସ୍କାରର ମାଧ୍ୟମ କରିବାକୁ ଚେଷ୍ଟା ଚଳାଇଛି ବୋଲି ବୋଲି ଉଭୟ ମତବ୍ୟକ୍ତ କରିଥିଲେ । ଏମାନଙ୍କ ଛଡ଼ା ଗ୍ରାଣ୍ଡମାଷ୍ଟର୍‌ ଅଭିଜିତ କୁନ୍ତେ, ଦିବ୍ୟେନ୍ଦୁ ବରୁଆ, ଫିଡେ ଇଭେଣ୍ଟ କମିସନ ସଦସ୍ୟ ରଞ୍ଜନ କୁମାର ମହାନ୍ତି, କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାସ ପ୍ରମୁଖ ଏହି ଅପସରରେ ଉପସ୍ଥିତ ଥିଲେ । ଗୁରୁବାର ଶ୍ରୀ ଆନନ୍ଦ କିଟ୍‍ ପରିସରରେ ଥିବା ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ହଲ୍‍ ଓ ଚେସ୍‍ ଗ୍ରାଉଣ୍ଡକୁ ଉଦ୍‌ଘାଟନ କରିବେ ବୋଲି ମଧ୍ୟ ଘୋଷଣା କରାଯାଇଥିଲା ।