କନକ ବ୍ୟୁରୋ:ଚେନ୍ନାଇ ସୁପର କିଙ୍ଗସ୍ ମଙ୍ଗଳବାର ଦିନ ଆଇପିଏଲ୍ ୨୦୨୬ ନିଲାମରେ ଦୁଇଜଣ ଅନକ୍ୟାପ୍ଡ ଖେଳାଳିଙ୍କ ଉପରେ ବଡ଼ ବାଜି ଲଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ପାଞ୍ଚ ଥରର ଚାମ୍ପିଅନ୍ ସିଏସକେ ପ୍ରଶାନ୍ତ ବୀର ଏବଂ କାର୍ତ୍ତିକ ଶର୍ମାଙ୍କ ପାଇଁ ନିଜର ଖଜାନା ଖୋଲି ଦେଇଛି । ଫ୍ରାଞ୍ଚାଇଜି ଉଭୟଙ୍କ ଉପରେ ୨୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି । ପ୍ରଶାନ୍ତଙ୍କୁ ୧୪.୨୦ କୋଟି ଟଙ୍କା ଏବଂ କାର୍ତ୍ତିକଙ୍କୁ ମଧ୍ୟ ସମାନ ପରିମାଣର ଅର୍ଥ ଦିଆଯାଇଛି । ଉଭୟ ଏକ ଆଶ୍ଚର୍ଯ୍ୟଜନକ ଇତିହାସ ସୃଷ୍ଟି କରିଛନ୍ତି । ପ୍ରଶାନ୍ତ ଏବଂ କାର୍ତ୍ତିକ ଆଇପିଏଲ୍ ଇତିହାସର ଯୁଗ୍ମ ଭାବେ ସବୁଠାରୁ ଦାମୀ ଅନକ୍ୟାପ୍ଡ ଖେଳାଳି ପାଲଟିଛନ୍ତି । ଅନକ୍ୟାପ୍ଡ ଖେଳାଳି ସେମାନଙ୍କୁ କୁହାଯାଏ, ଯେଉଁମାନେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି।

Advertisment

ପ୍ରଶାନ୍ତଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ଥିଲା । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବୋଲି ଆରମ୍ଭ କରିଥିଲା ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଥିଲା। ପରେ ରାଜସ୍ଥାନ ଓ ହାଇଦ୍ରାବାଦ ଏହି ନିଲାମୀରେ ସାମିଲ ହୋଇଥିଲେ । ମୂଲ୍ୟ ୧୩ କୋଟି ଟଙ୍କାରୁ ଅଧିକ ହୋଇଗଲା । ଶେଷରେ ସିଏସକେ ବାଜି ମାରିବାରେ ସଫଳ ହେଲା ।

୨୦ ବର୍ଷୀୟ ପ୍ରଶାନ୍ତ ବୀର ଜଣେ ଅଲରାଉଣ୍ଡର । ସେ ବାମହାତୀ ସ୍ପିନ୍ ବୋଲିଂ କରନ୍ତି ଏବଂ ମଧ୍ୟକ୍ରମରେ ବ୍ୟାଟିଂ କରନ୍ତି । ପ୍ରଶାନ୍ତ ପ୍ରଥମ ଥର ପାଇଁ ଆଇପିଏଲ୍ ଖେଳିବେ । ସେ ଏପର୍ଯ୍ୟନ୍ତ ୧୨ଟି ଘରୋଇ ଟି-୨୦ ମ୍ୟାଚରେ ୧୬୭.୧୬ ଷ୍ଟ୍ରାଇକ୍ ରେଟରେ ୧୧୨ ରନ୍ ସଂଗ୍ରହ କରିଛନ୍ତି । ସେହିପରି, ପ୍ରଶାନ୍ତ ନଅଟି ଇନିଂସରେ ୬.୪୫ ଇକୋନୋମି ରେଟରେ ୧୨ଟି ୱିକେଟ୍ ନେଇଛନ୍ତି । ସେ ୟୁପି ଟି-୨୦ ଲିଗରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ସେହି ଟୁର୍ଣ୍ଣାମେଣ୍ଟରେ ନୋଏଡା ସୁପର କିଙ୍ଗସର ଅଂଶ ଥିଲେ । ସିଏସକେରେ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନ ନେବା ପାଇଁ ତାଙ୍କୁ ଏକ ଦୀର୍ଘକାଳୀନ ବିକଳ୍ପ ଭାବରେ ଦେଖାଯାଉଛି । ପ୍ରଶାନ୍ତ ୨୪ ନଭେମ୍ବର ୨୦୦୫ରେ ଉତ୍ତରପ୍ରଦେଶର ଆମେଠିରେ ଜନ୍ମଗ୍ରହଣ କରିଥିଲେ ।

ଆହୁରି ପଢ଼ନ୍ତୁ... ପଥିରାନାଙ୍କୁ ୧୮ କୋଟିରେ କିଣିଲା କେକେଆର୍, ରବି ବିଷ୍ଣୋଇଙ୍କୁ ୭.୨୦ କୋଟିରେ କିଣିଲା ରାଜସ୍ଥାନ

୧୯ ବର୍ଷୀୟ କାର୍ତ୍ତିକ ଶର୍ମାଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ଥିଲା । ଏମଆଇ ତାଙ୍କ ପାଇଁ ପ୍ରାରମ୍ଭିକ ବୋଲି ଲଗାଇଥିଲା ଏବଂ ପରେ ଏଲଏସଜିର ଏଣ୍ଟ୍ରି ହେଲା । ଏହାପରେ କେକେଆର ଆଉ ସିଏସକେ ବୋଲିକୁ ଆସି ମୁହାଁମୁହିଁ ହୋଇଥିଲେ । ହେଲେ, ସିଏସକେ ଅଟଳ ରହିଲା। ସେ ୧୩ କୋଟିର ବୋଲି ଲଗାଇଲା ଏବଂ କେକେଆର ହାତ ପଛକୁ ଟାଣି ନେଲା । ଆଉ ସିଏସକେ କାର୍ତ୍ତିକଙ୍କୁ ନିଜ ଦଳରେ ସାମିଲ କରିଥିଲା । 

କାର୍ତ୍ତିକ ଶର୍ମା ରାଜସ୍ଥାନର ୱିକେଟ୍ କିପର ଅଟନ୍ତି । ସେ ପ୍ରଥମ ଥର ପାଇଁ ଆଇପିଏଲ୍ ଖେଳିବେ । କାର୍ତ୍ତିକ ଘରୋଇ ହ୍ୱାଇଟ୍ ବଲ୍ କ୍ରିକେଟରେ ନିଜର ଜବରଦସ୍ତ ଲୋୟର ଅର୍ଡର ହିଟିଂ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ସୟଦ ମୁସ୍ତାକ ଅଲି ଟ୍ରଫି ଲିଗ୍ ପର୍ଯ୍ୟାୟରେ ପାଞ୍ଚଟି ମ୍ୟାଚରେ ୧୬୦ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ୧୩୩ ରନ୍ ସଂଗ୍ରହ କରିଥିଲେ । ସେ ନିଜର ୧୨ ମ୍ୟାଚର ଛୋଟ ଟି-୨୦ କ୍ୟାରିୟରରେ କ୍ରମାଗତ ଭାବରେ ୧୬୦ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ରନ୍ ସଂଗ୍ରହ କରିଛନ୍ତି । ସିଏସକେ ଆଇପିଏଲର ଗତ ସିଜନରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଆଗାମୀ ସିଜିନରେ ସିଏସକେକୁ କାର୍ତ୍ତିକ ଏବଂ ପ୍ରଶାନ୍ତଙ୍କ ଭଳି ଯୁବ ବ୍ୟାଟ୍ସମ୍ୟାନଙ୍କଠାରୁ ବହୁତ ଆଶା ରହିବ ।