କନକ ବ୍ୟୁରୋ : ନିଟ୍-ପିଜିରେ ଅଧିକ କଟ-ଅଫ୍  ଯୋଗୁ, ହଜାର ହଜାର ସିଟ୍ ଖାଲି ପଡ଼ିଥିଲା । ଫଳସ୍ୱରୂପ, ଆଇଏମ୍‌ଏ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଆବଶ୍ୟକ ସଂଶୋଧନ କରିବାକୁ ଅନୁରୋଧ କରିଥିଲା । ଏହାକୁ ସରକାର ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା କମ୍ ସ୍କୋର ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ନାମ ଲେଖାଇ ପାରିବେ । କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ନିଟ୍-ପିଜି-୨୦୨୫ ପାଇଁ ଯୋଗ୍ୟତା କଟ-ଅଫ୍ କୁ ଯଥେଷ୍ଟ ହ୍ରାସ କରିଛନ୍ତି । ଏହି ନିଷ୍ପତ୍ତି ମେଡିକାଲ୍ କଲେଜଗୁଡ଼ିକରେ ୯,୦୦୦ ରୁ ଅଧିକ ଖାଲି ଥିବା ପିଜି ଡାକ୍ତରୀ ସିଟ୍ ପୂରଣ ପାଇଁ ପଥ ପ୍ରଶସ୍ତ କରିଛି । ଏହି ନିଷ୍ପତ୍ତି ଦେଶରେ ଡାକ୍ତରଙ୍କ ଅଭାବ ପୂରଣ କରିବ ।  ସଂଶୋଧିତ ମାନଦଣ୍ଡ ଅନୁଯାୟୀ, ସାଧାରଣ ବର୍ଗ ଏବଂ ଇଡବ୍ଲୁଏସ୍‌ ପ୍ରାର୍ଥୀଙ୍କ ପାଇଁ ଯୋଗ୍ୟତା ପର୍ସେଣ୍ଟାଇଲ ୫୦ରୁ ୭କୁ ହ୍ରାସ କରାଯାଇଛି । ଅପରପକ୍ଷରେ ସାଧାରଣ ବର୍ଗର ବେଞ୍ଚମାର୍କ ଦିବ୍ୟାଙ୍ଗତା(ପିଡବ୍ଲୁବିଡି)ଛାତ୍ରଛାତ୍ରୀଙ୍କ ପାଇଁ  ପର୍ସେଣ୍ଟାଇଲ ୪୫ରୁ ୫ କୁ ହ୍ରାସ କରାଯାଇଛି । ସେହିପରି, ଏସ୍‌ସି, ଏସ୍‌ଟି ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ପର୍ସେଣ୍ଟାଇଲ ୪୦ ରୁ ୦ କୁ ହ୍ରାସ କରାଯାଇଛି । ଏହାର ଅନୁରୂପ କଟ-ଅଫ୍ ସ୍କୋର ୮୦୦ରୁ ମାଇନସ୍ ୪୦ କରାଯାଇଛି ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ଦ୍ୱାରା ଏହି ଘୋଷଣା କରାଯାଇଛି । ଯାହା କାଉନସେଲିଂ ଏବଂ ପ୍ରବେଶ ପାଇଁ ଯୋଗ୍ୟତା ବଢ଼ାଇବା ପାଇଁ ସମସ୍ତ ବର୍ଗରେ ଯୋଗ୍ୟତା ପର୍ସେଣ୍ଟାଇଲକୁ ସଂଶୋଧନ କରିଛି ।  

Advertisment

ଅଧିକାରୀମାନେ କହିଛନ୍ତି ଯେ, ୨୦୨୫ରେ ପ୍ରାୟ ୨.୪ ଲକ୍ଷ ପ୍ରାର୍ଥୀ ନିଟ୍ ପିଜି ପାଇଁ ପରୀକ୍ଷା ଦେଇଥିଲେ । କିନ୍ତୁ ଉଚ୍ଚ କଟ-ଅଫ୍ ଯୋଗୁ ହଜାର ହଜାର ଆସନ ଖାଲି ପଡ଼ିଥିଲା । ସାରା ଦେଶରେ ୬୫,୦୦୦ ରୁ ୭୦,୦୦୦ ପିଜି ମେଡିକାଲ୍ ସିଟ୍ ଅଛି । ସାତଟି ଆସନ ମଧ୍ୟରୁ ଗୋଟିଏ ଖାଲି ରହିବା ଦ୍ୱାରା ଏହାରା ଟିଚିଂ ହସ୍ପିଟାଲଗୁଡ଼ିକୁ ଦୁର୍ବଳ କରିଦେବ ଫଳରେ ସ୍ୱାସ୍ଥ୍ୟସେବା ସେବା ଉପରେ ଚାପ ପଡ଼ିବ । ବିଶେଷକରି ରେସିଡେଣ୍ଟ ଡାକ୍ତରଙ୍କ ଉପରେ ଅତ୍ୟଧିକ ନିର୍ଭର କରୁଥିବା ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ । ଜାନୁଆରି ୧୨ ରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍‌ଏ)ର ଏକ ପ୍ରତିନିଧି ଦଳ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ଲେଖିଥିବା ଚିଠି ପରେ ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି । ଏହି ଚିଠିରେ ବହୁ ସଂଖ୍ୟକ ଖାଲି ସିଟ୍ ପୂରଣ ପାଇଁ କଟ-ଅଫ୍ ରେ ସଂଶୋଧନ କରିବାକୁ ଦାବି କରାଯାଇଥିଲା । ଏହି ଦାବିର ଜବାବରେ, ଏନ୍‌ବିଇଏମ୍‌ଏସ୍‌ ଅଧିକାରୀମାନେ କହିଛନ୍ତି ଯେ, ପ୍ରବେଶ ପରୀକ୍ଷାର ଉଦ୍ଦେଶ୍ୟ ହେଉଛି ଏକ ମେରିଟ୍ ତାଲିକା ପ୍ରସ୍ତୁତ କରିବା, ଏମ୍‌ବିବିଏସ୍‌ଏବଂ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ପାସ୍ କରିଥିବା ଡାକ୍ତରଙ୍କ ଯୋଗ୍ୟତାର ପୁନଃମୂଲ୍ୟାୟନ କରିବା ନୁହେଁ । ଆମେ ୯,୦୦୦-୧୦,୦୦୦ ପିଜି ସିଟ୍ ନଷ୍ଟ ହେବାକୁ ଦେଇପାରିବେ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି । ଏହି ଅଧିକାରୀ ପର୍ସେଣ୍ଟାଇଲ ହ୍ରାସ କରିବାର ନିଷ୍ପତ୍ତିକୁ ସ୍ୱୀକାର କରି କହିଛନ୍ତି, ନାମଲେଖା ପୂର୍ବରୁ ବିଳମ୍ବରେ ଚାଲୁଛି । ଅନେକ ପର୍ଯ୍ୟାୟରେ କଟ-ଅଫ୍ ହ୍ରାସ କରାଯାଇଥିଲା । ଏଥର, ଆମେ ବିଳମ୍ବରେ ଅଛୁ। ଆମର ଧ୍ୟାନ ଶୀଘ୍ର ସିଟ୍ ପୂରଣ କରିବା ଏବଂ ଦେଶର ଚିକିତ୍ସା ସମ୍ବଳ ନଷ୍ଟ ନକରିବା ଉପରେ ରହିଛି । 

ଅଧିକ ପଢ଼ନ୍ତୁ---ଟ୍ରମ୍ପଙ୍କ ପଥରେ ନେତାନ୍ୟାହୁ: ୭ ଜାତିସଂଘ ଏଜେନ୍ସି ସହ ସମ୍ପର୍କ ଛିନ୍ନ କଲା ଇସ୍ରାଏଲ

ଏନ୍‌ବିଇଏମ୍ଏସ୍ ସ୍ପଷ୍ଟ କରିଛି, କଟ-ଅଫ୍ ପରିବର୍ତ୍ତନ ପରୀକ୍ଷା ସ୍କୋର କିମ୍ବା ରାଙ୍କିଂକୁ ପରିବର୍ତ୍ତନ କରେ ନାହିଁ, ବରଂ କେବଳ କାଉନସେଲିଂରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ କିଏ ତାହା ନିର୍ଣ୍ଣୟ କରେ । ଅଧିକାରୀମାନେ  କହିଛନ୍ତି, ପର୍ସେଣ୍ଟାଇଲ ସିଷ୍ଟମ ପୂର୍ବରୁ ଯୋଗ୍ୟ ଡାକ୍ତରମାନଙ୍କୁ ରାଙ୍କ ଦେବା ପାଇଁ ବ୍ୟବହୃତ ହେଉଛି । ସମସ୍ତ ପିଜି ସିଟ୍ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପ୍ରାର୍ଥୀ ଅଛନ୍ତି ତାହା ନିଶ୍ଚିତ କରିବା ପାଇଁ କଟ-ଅଫ୍ ହ୍ରାସ କରାଯାଇଛି । ଆଇଏମ୍‌ଏ ଚେତାବନୀ ଦେଇଥିଲା, ଖାଲି ପିଜି ସିଟ୍ ରେସିଡେଣ୍ଟ ଡାକ୍ତରଙ୍କ ଅଭାବକୁ ଆହୁରି ବଢ଼ାଇବ । ଡାକ୍ତରଙ୍କ ଉପରେ କାର୍ଯ୍ୟଭାର ବୃଦ୍ଧି କରିବ, ଅଧ୍ୟୟନରେ ବାଧା ସୃଷ୍ଟି କରିବ ଏବଂ ରୋଗୀ ସେବା ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ବିଶେଷକରି ସରକାରୀ ଏବଂ ଛୋଟ ହସ୍ପିଟାଲଗୁଡ଼ିକରେ ସମସ୍ୟା ସୃଷ୍ଟି ହେବ । ପୂର୍ବରୁ ଏସ୍‌ସି,ଏସ୍‌ଟି ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ପିଜି ମେଡିକାଲ ସିଟ୍ ପାଇଁ ସର୍ବନିମ୍ନ ଯୋଗ୍ୟତା ମାନଦଣ୍ଡ ୪୦ ପର୍ସେଣ୍ଟାଇଲ, କିମ୍ବା ୮୦୦ ରୁ ପ୍ରାୟ ୨୩୫ ନମ୍ବର ଥିଲା । କିନ୍ତୁ ବର୍ତ୍ତମାନ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ, ଏହାକୁ ଶୂନ ପର୍ସେଣ୍ଟାଇଲକୁ ହ୍ରାସ କରାଯାଇଛି । ଅର୍ଥାତ୍ ସିଟ୍ ଉପଲବ୍ଧତା ଉପରେ ନିର୍ଭର କରି ୮୦୦ ରୁ ମାଇଦସ୍ ୪୦ ରଖିଥିବା ପ୍ରାର୍ଥୀଙ୍କୁ ମଧ୍ୟ ଯୋଗ୍ୟ ବିବେଚନା କରାଯିବ ।