କନକ ବ୍ୟୁରୋ : ଅସ୍ତିତ୍ୱ ହରାଉଛି ସାକ୍ଷୀଗୋପାଳ ନଡ଼ିଆ । ଲୋକେ ଧୀରେ ଧୀରେ ଭୁଲିଗଲେଣି ସାକ୍ଷୀଗୋପାଳରେ ନଡ଼ିଆ ହାଟ ଥିଲା ବୋଲି । ସେଠି ଏବେ ଦେଖିବାକୁ ମିଳୁଛି ବାହାର ରାଜ୍ୟ ନଡ଼ିଆର ରାଜୁତି । କାଁ ଭାଁ ଜଣେ ଦୁଇ ଜଣ ସାକ୍ଷୀଗୋପାଳ ଅଂଚଳର ନଡ଼ିଆ ଚାଷୀ ଆସୁଥିବା ବେଳେ, ବଡ଼ ବଡ଼ ନଡ଼ିଆ ଗୋଦାମ ବନ୍ଦ ହୋଇଗଲାଣି । ତେବେ ନଡ଼ିଆ ଉତ୍ପାଦନକୁ ବଳ ଦେବା ପାଇଁ କେନ୍ଦ୍ର ବଜେଟରେ ଘୋଷଣା ପରେ ଏଥିରେ ଆସିବ କି ସୁଧାର?
ପୁରୀ ଯିବା ବାଟରେ ଶହ ଶହ ନଡ଼ିଆ ଗଛ, ରାସ୍ତା କଡ଼ରେ ଗଦା ଗଦା ପଇଡ଼ ଦେଖିଲେ ଆପେ ଆପେ ଜଣାପଡ଼ିଯାଏ, ଆସିଗଲାଣି ସାକ୍ଷୀଗୋପାଳ । ସାକ୍ଷୀଗୋପାଳର ଅନ୍ୟତମ ପରିଚୟ ହେଉଛି ନଡ଼ିଆ । ହେଲେ ବିଡ଼ମ୍ୱନା, ଏବେ ନା ଆଉ ସେ ନଡ଼ିଆ ଗଛ ଅଛି, ନା ଅଛି ନଡ଼ିଆ ହାଟର ସେ ଭିଡ଼ । ଖାଁ ଖାଁ ସାକ୍ଷୀଗୋପାଳ ନଡ଼ିଆ ହାଟରେ ଚାଲିଛି ଆନ୍ଧ୍ରପ୍ରଦେଶ, କେରଳ ଓ ତାମିଲନାଡ଼ୁ ନଡ଼ିଆର ରାଜୁତି । ଦିନ ଥିଲା ଏହି ନଡ଼ିଆ ହାଟ ଉପରେ ସତ୍ୟବାଦୀ, କଣାସ, ଡେଲାଙ୍ଗ, ପିପିଲି, ନିମାପଡ଼ା ଓ ବ୍ରହ୍ମଗିରି ବ୍ଲକର ହଜାର ହଜାର ନଡ଼ିଆ ଚାଷୀ ନିର୍ଭର କରୁଥିଲେ । ୨୦୧୭ରେ ସାକ୍ଷୀଗୋପାଳ ନଡ଼ିଆ ହାଟକୁ ଆସୁଥିଲେ ପୁରୀ ଜିଲ୍ଲାର ୧୫୦ରୁ ଅଧିକ ନଡ଼ିଆ ଚାଷୀ । ୧ ଲକ୍ଷରୁ ଅଧିକ ନଡ଼ିଆ ଗୋଟା ୩ରୁ ୫ ଟଙ୍କାରେ ବିକ୍ରି ହେଉଥିଲା । ହେଲେ ଏବେ ଆସୁଛନ୍ତି ମାତ୍ର ୪ରୁ ୫ ଜଣ ଚାଷୀ । ୨ରୁ ୪ ହଜାର ନଡ଼ିଆ ୨୫ରୁ ୩୦ ଟଙ୍କା ଦରରେ ବିକି ଗୁଜୁରାଣ ମେଣ୍ଟାଉଛନ୍ତି ସେମାନେ ।
ଅଧିକ ପଢ଼ନ୍ତୁ : ସ୍ବାବଲମ୍ବୀ କଲା ନଡ଼ିଆ କତା, ବିନା ତାଲିମରେ ସୁନ୍ଦର ସାମଗ୍ରୀ ତିଆରି କରୁଛନ୍ତି ଭୋଗରାଇ ଅଞ୍ଚଳର ମହିଳା
ସାକ୍ଷୀଗୋପାଳ ନଡ଼ିଆ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଅନେକ ସାମୁଦ୍ରିକ ଝଡ଼ । ପୁରୀ ଜିଲ୍ଲାର ୧୦ ଲକ୍ଷରୁ ଅଧିକ ନଡ଼ିଆ ଗଛ ଭାଙ୍ଗିଛି ବିଭିନ୍ନ ବାତ୍ୟା । ପ୍ରଭାବିତ ହୋଇଛନ୍ତି ୧ ଲକ୍ଷ ୬୦ ହଜାର ନଡ଼ିଆ ଚାଷୀ । ଯାହା କିଛି ଅଳ୍ପ ବହୁତ ଗଛ ବର୍ତ୍ତି ଯାଇଛି ତାକୁ ରୋଗାକ୍ରାନ୍ତ କରୁଛି ଧଳା ମାଛି ପ୍ରାଦୁର୍ଭାବ । ଯାହା ଫଳରେ ନଡ଼ିଆ ଭଲ ଫଳୁନଥିବା ବେଳେ, ଯାହା ଫଳୁଛି ଛୋଟ ଆଉ ଯାଦୁଆ ହେଉଛି । ଯାହାର ଚାହିଦା କୋଉଠି ବି ନାହିଁ । ଜିଲ୍ଲା ଉଦ୍ୟାନ ବିଭାଗ ମାଗଣାରେ ନଡ଼ିଆ ଚାରା ଓ ଆର୍ଥିକ ସାହାଯ୍ୟ ଦେଉଥିଲେ ବି, ତାର ଆଖିଦୃଶିଆ ପ୍ରଭାବ ଦେଖିବାକୁ ମିଳୁନି ।
Follow Us