77th Republic Day Photograph: (Google)
କନକ ବ୍ୟୁରୋ: ଦେଶ ପାଳଛି ୭୭ତମ ସାଧାରଣ ତନ୍ତ୍ର ଦିବସ । ଦିଲ୍ଲୀ କର୍ତ୍ତବ୍ୟପଥରେ ଦେଖିବାକୁ ମିଳିଛି ଶୌର୍ଯ୍ୟ, ଶକ୍ତି ଓ ସଂସ୍କୃତିର ଅପୂର୍ବ ସମନ୍ୱୟ । ମାଟିକୁ ଥରାଇଥିଲା ଗୋଟିକ ପରେ ଗୋଟିଏ ପରେଡ୍, ଆକାଶ ଚିରିଥିଲା ବାୟୁସେନାର ଲଢ଼ୁଆ ବିମାନ । ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ କରାଯାଇଥିବା ବେଳେ, ପ୍ରତିଟି ଓଡ଼ିଆଙ୍କୁ ଉତ୍ସାହିତ କରିଥିଲା ଓଡ଼ିଶାର ସୁଦୃଶ୍ୟ ପ୍ରଜ୍ଞାପନ ମେଢ଼ ।
ଅନନ୍ୟ... ଅଭୂତପୂର୍ବ.. ଅବିସ୍ମରଣୀୟ । ଭୂମିରୁ ଗଗନ । ଶୌର୍ଯ୍ୟ ଓ ପରାକ୍ରମର ଭବ୍ୟ ପ୍ରଦର୍ଶନ । ଅସାଧାରଣ ଥିଲା ସାଧାରଣତନ୍ତ୍ର ଦିବସ ପରେଡ୍ । ଦିଲ୍ଲୀର କର୍ତ୍ତବ୍ୟପଥରୁ ବିଶ୍ୱ ଦେଖିଥିଲା ଭାରତର ବର୍ଦ୍ଧିତ ଶକ୍ତି । 'ବନ୍ଦେ ମାତରମ୍କୁ ୧୫୦ ବର୍ଷ ପୂର୍ତ୍ତି' ଚଳିତ ୭୭ତମ ଗଣତନ୍ତ୍ର ଦିବସର ଥିମ୍ ଥିଲେ ବି, ଉତ୍ସାହକୁ ଶତଗୁଣ ବଢ଼ାଇଥିଲା ଅପରେସନ୍ ସିନ୍ଦୂରର ଝଲକ । ସ୍ୱଦେଶୀ ହେଲିକପ୍ଟର ଧ୍ରୁବରେ ଫର ଫର ଉଡ଼ିଥିଲା 'ଅପରେସନ୍ ସିନ୍ଦୂର' ଧ୍ୱଜା । ଆକାଶରେ ଅଭିଭୂତ କରିଥିଲା ରାଫେଲ୍, ମିଗ୍, ସୁଖୋଇ ଓ ଜାଗୁଆରର ମିଳିତ ସିନ୍ଦୂର ଫର୍ମେସନ୍ । ଆଉ ତିନି ସେନା ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ଼ ସୁସଜ୍ଜିତ ଥିଲା ଶତ୍ରୁର ଛାତିରେ ଅଲିଭା ଦାଗ ଟାଣିଥିବା S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପ୍ରତିକୃତି ।
ଅଧିକ ପଢନ୍ତୁ; କର୍ତ୍ତବ୍ୟ ପଥରେ ବୀରତ୍ୱ ଓ ସଂସ୍କୃତିର ମହାସଙ୍ଗମ: ମିନି ଭାରତର ଝଲକ ଦେଖିଲା ବିଶ୍ବ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜାତୀୟ ପତାକା ଉତ୍ତୋଳନ ସହ ଆରମ୍ଭ ହୋଇଥିଲା ଆଜିର ଚିତାକର୍ଷକ ସମାରୋହ । ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଖ୍ୟ ଅତିଥି ସାଜିଥିଲେ ୟୁରୋପୀୟ କାଉନସିଲ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିସନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲିୟେନ୍ । ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ପ୍ରଦାନ କରାଯାଇଥିଲା ସର୍ବୋଚ୍ଚ ଶାନ୍ତିକାଳୀନ ବୀରତା ପୁରସ୍କାର ଅଶୋକ ଚକ୍ର । ଏହାପରେ ବିଭିନ୍ନ ସାମରିକ ଓ ଅର୍ଦ୍ଧସାମିରକ ବାହିନୀର ଚିତାକର୍ଷକ କଦମ୍ ତାଲ୍ । ସାମିଲ ହୋଇଥିଲେ ଅଶ୍ୱବାହିନୀ, ହିମଯୋଦ୍ଧାଙ୍କ ବାହନ ବାକ୍ଟ୍ରିଆନ୍ ଓଟ, ଏକ ବାଜପକ୍ଷୀ, ଶ୍ୱାନଯୋଦ୍ଧା ଏବଂ ମରୁଭୂମିରେ ସୀମା ସୁରକ୍ଷା ବଳର ଭରସା ଭାରତୀୟ ଓଟ । । ରୋମାଞ୍ଚ ସୃଷ୍ଟି କରିଥିଲା ଟ୍ୟାଙ୍କ, କ୍ଷେପଣାସ୍ତ୍ର, ଡ୍ରୋନ୍, ଭାରତର ପ୍ରଥମ ହାଇପରସୋନିକ୍ ମିଜାଇଲ୍ । ମୋଟର ସାଇକେଲରେ ଡେୟାର୍ ଡେଭିଲ୍ ସୋ'। ଶେଷରେ ବିଭିନ୍ନ ଫର୍ମେସନରେ ୨୯ଟି ବାୟୁସେନା ବିମାନର ସ୍ପର୍ଦ୍ଧିତ ଉଡ଼ାଣ ।
ପ୍ରତିଟି ଓଡ଼ିଆଙ୍କ ପାଇଁ ଏହି ଗର୍ବ ଓ ଗୌରବର ମୁହୂର୍ତ୍ତକୁ । କର୍ତ୍ତବ୍ୟପଥରେ ଗଡ଼ୁଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼, ଅଭିବାଦନ ଗ୍ରହଣ କରୁଥିଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ସଏଲ୍ ଟୁ ସିଲିକନ୍ ଥିମ୍ରେ ନିର୍ମିତ ଏହି ପ୍ରଜ୍ଞାପନ ମେଢ଼ରେ ଝଲସିଛି ଓଡ଼ିଶାର ସଂସ୍କୃତି, ଐତିହ୍ୟ, କଳା, ବିକାଶ, ପର୍ଯ୍ୟଟନ ଓ ସରକାରୀ ଯୋଜନା । ‘ସମୃଦ୍ଧିର ମନ୍ତ୍ର - ଆତ୍ମନିର୍ଭର ଭାରତ’ ବାର୍ତ୍ତା ଦେବା ସହ, ଏଥରେ ପ୍ରଦର୍ଶିତ ହୋଇଛି କୋଣାର୍କ ସୂର୍ଯ୍ୟ ମନ୍ଦିର, କୋରାପୁଟ କଫି, ସିଲିକନ ସେମିକଣ୍ଡକ୍ଟର, ଘୋଡ଼ାନାଚ, ସମ୍ବଲପୁରୀ ବସ୍ତ୍ର, ପଟ୍ଟଚିତ୍ର ଓ ରୂପା ତାରକସି ଆଦି ଡିଜାଇନ୍ । ୧୮ ଜଣ ମହିଳା ନାରୀଶକ୍ତିର ପ୍ରତୀକ ସାଜିଥିବା ବେଳେ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ସୂଚାଇଛି ଦୁଇଟି ଷଣ୍ଢ ମୂର୍ତ୍ତି ।
Follow Us