CCTV footage of the explosion Photograph: (KanakNews)
କନକ ବ୍ୟୁରୋ: ଦିଲ୍ଲୀ ବିସ୍ଫୋରଣର ନୂଆ ଭିଡିଓ ସାମ୍ନାକୁ ଆସିଛି । ବିସ୍ଫୋରଣର ନୂଆ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଭିଡିଓରେ ସ୍ପଷ୍ଟ ଦେଖା ଯାଉଛି, ଟ୍ରାଫିକ୍ ପୋଷ୍ଟ ଆଗରେ ଧିର ଗତିରେ ଆଗକୁ ବଢୁଥିବା କାରର ଗହଳି ଭିତରେ ହଠାତ୍ ବିସ୍ଫୋରଣ ହୋଇଛି । ଯେଉଁ ଆଇ ଟ୍ୱେଣ୍ଟି କାର ବିସ୍ଫୋରଣ କରିଥିଲା ସେହି କାର ଧିରେ ଧିରେ ଟ୍ରାଫିକ ପୋଷ୍ଟର ରେଡ ସିଗ୍ନାଲ ଆଗକୁ ବଢୁଛି । ଆଉ ହଠାତ୍ ଟ୍ରାଫିକ୍ ସାମ୍ନାରେ ବିସ୍ଫୋରଣ ହୋଇ ଆଖପାଖର ଗାଡ଼ିକୁ କ୍ଷତି ପହଞ୍ଚାଇଛି । ବିସ୍ଫୋରଣ ହୋଇଥିବା ଆଇ-ଟ୍ୱେଣ୍ଟିଂ କାର ଆଖପାଖରେ ଥିବା କାର ଗୁଡିକ ଛିନଛତ୍ର ହୋଇ ଟୁକୁଡ଼ା ଉଡୁଥିବା ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି ।
ଦିଲ୍ଲୀ ସହ ଟାର୍ଗେଟରେ ଥିଲା ଅଯୋଧ୍ୟା ! ରାମମନ୍ଦିର ଉଡ଼ାଇବାକୁ ହୋଇଥିଲା ପ୍ଲାନିଂ !
ସେପଟେ, ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣର ଛାନଭିନ୍ ଚଳାଇଛି ଏନଆଇଏ । ବିସ୍ଫୋରଣର ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ ଚଳାଇବା ସହ ସଂପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଚଳାଇଛି । ଏହାରି ଭିତରେ ବିସ୍ଫୋରଣକୁ ନେଇ ଏକ ନୂଆ ଥିଓରି ସାମ୍ନାକୁ ଆସିଛି । ଜାମ୍ମୁକାଶ୍ମୀର ପୁଲିସର ଏକ ଭାଇରାଲ ପୋଷ୍ଟ ପରେ ଆତଙ୍କୀ ଡାକ୍ତର ଉମର ବିସ୍ଫୋରଣ ଘଟାଇଥିବା ଅନୁମାନ କରାଯାଉଛି । ନଭେମ୍ୱର ୧୦ ତାରିଖ ସନ୍ଧ୍ୟା ୬ଟା ୧୦ ମିନିଟରେ ଜାମ୍ମୁକାଶ୍ମୀର ପୁଲିସ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଥିଲା । ଯେଉଁଥିରେ ଲେଖାଥିଲା ତୁମେ ପଳାୟନ କରିପାରିବ ହେଲେ ଲୁଚି ପାରିବ ନାହିଁ । ଏହି ପୋଷ୍ଟ ଦେଖିବା ପରେ ୬ଟା ୫୨ ମିନଟରେ ଧରାପଡ଼ିବା ଭୟରେ ଉମର ହଡ଼ବଡେଇ ଯାଇ ଆତ୍ମଘାତୀ ବିସ୍ଫୋରଣ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି । କୁହାଯାଉଛି, ଜାମ୍ମୁକାଶ୍ମୀର ପୁଲିସର ଗିରଫଦାରିରୁ ବର୍ତ୍ତିବା ପାଇଁ ଉମର ଦିଲ୍ଲୀ ଆସିଥିଲା ଓ ଲାଲକିଲ୍ଲା ଠାରେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା ।
ଖୋଳତାଡ କରୁଛି ଏନଆଇଏ
- ଦିଲ୍ଲୀ ବିସ୍ଫୋରଣର ଖୋଳତାଡ କରୁଛି ଏନଆଇଏ
- ବିଭିନ୍ନ ରାଜ୍ୟରେ ଚଢ଼ାଉ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା
- ତଦନ୍ତ ପାଇଁ ୧୦ ଅଧିକାରୀଙ୍କ ସ୍ୱତନ୍ତ୍ର ଟିମ ଗଠନ କଲା ଏନଆଇଏ
- ଟିମର ନେତୃତ୍ୱ ନେବେ ଏନଆଇଏ ଏଡିଜି ବିଜୟ ସଖାରେ
- ଟିମରେ ଅଛନ୍ତି ଜଣେ ଆଇଜି, ୨ ଡିଆଇଜି, ୩ ଏସପି, ୪ ଡିଏସପିସ୍ତରର ଅଧିକାରୀ
- ଫରିଦାବାଦରୁ ଆତଙ୍କୀ ଉମରର ସନ୍ଦିଗ୍ଧ ଲାଲ କାର ଜବତ
- ଫରିଦାବାଦରୁ ଜଣେ ସନ୍ଦିଗ୍ଧକୁ ଉଠାଇ ନେଇଛି ପୁଲିସ
- କାନପୁରରୁ ଜଣେ ଡାକ୍ତରଙ୍କୁ ଉଠାଇ ଆଣି ଏନଆଇଏର ଜେରା
- ଲକ୍ଷ୍ନୌ ଡାକ୍ତର ସାହିନ ସାହିଦଙ୍କ ସହ ସଂପୃକ୍ତି ନେଇ ସୂଚନା
- ତଦନ୍ତରୁ ଦିଲ୍ଲୀ ବିସ୍ଫୋରଣକୁ ନେଇ ଚାଞ୍ଚଲ୍ୟକର ତଥ୍ୟ
- ୨୦୨୫ରୁ ଦିଲ୍ଲୀରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲେ ଆତଙ୍କୀ
- ୨୬/୧୧ ମୁମ୍ୱାଇ ହମଲାଠୁ ବଡ଼ ଆକ୍ରମଣ ପାଇଁ ଯୋଜନା ହୋଇଥିଲା
- ଯୋଜନାକୁ ରୂପରେଖ ଦେଉଥିଲେ ହ୍ୱାଇଟ କଲର ଆତଙ୍କବାଦୀ ମଡ୍ୟୁଲ
- ଦିଲ୍ଲୀ, ଗୁରୁଗ୍ରାମ ଓ ଫରିଦାବାଦକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ
- ଏକାସଙ୍ଗରେ ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ
- ଉଦ୍ଦେଶ୍ୟ ଥିଲା ଭାରତରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି କରିବା
Follow Us