କନକ ବ୍ୟୁରୋ : ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଲାଣି ଭୁବନେଶ୍ବର। ଘରୁ ବାହାରକୁ ବାହାରିଲେ କେତେବେଳେ କଣ ଘଟିବ କହିବା ମୁସକିଲ୍ । କେଉଁଠି ଗନ୍ ପଏଣ୍ଟରେ ଦୁର୍ବୃତ୍ତ ଲୁଟିଲେଣି ତ କେଉଁଠି ଖୁଲମଖୁଲା ବିଚ୍ ରାସ୍ତାରେ ବୁଲୁଛି ଖଣ୍ଡା। ପୁଲିସକୁ ଚ୍ୟାଲେଞ୍ଜ ଦେଇ ଅପରାଧୀ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଅପରାଧ।
କମିସନରେଟ ପୁଲିସ ଏସିପିଙ୍କ ମାଆଙ୍କୁ କଲେ ଟାର୍ଗେଟ ଓ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ପୁଲିସ ଅଧିକାରୀଙ୍କ ମାଆଙ୍କଠାରୁ ହୋଇଛି ଲୁଟ୍। ସ୍କୁଟିରେ ଆସି ଦୁଇ ଦୁର୍ବୃତ୍ତ ଏ କାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି। ବରିଷ୍ଠ ପୁଲିସ ଅଧିକାରୀଙ୍କ ମାଆ ସକାଳ ୭ଟାରେ ମର୍ଣ୍ଣିଂ ୱାକରେ ଘରୁ ବାହାରିବା ବେଳେ ଏ ଘଟଣା ଘଟିଛି। ସିସିଟିଭିରେ କଏଦ ହୋଇଛି ଦୁଇ ଦୁର୍ବୁତ୍ତଙ୍କ କାରନାମା। ଥାନାରେ ଅଭିଯୋଗ ପରେ ତନାଘନା ଚଳାଇଛି ପୁଲିସ।
ସିସିଟିଭିରେ କଏଦ ହେଲା ଦୁର୍ବୃତ୍ତଙ୍କ ଆତଙ୍କରାଜ୍। ମାରଣାସ୍ତ୍ର ଧରି ଏକ ଅଫିସ୍ ଭିତରେ ପଶୁଛନ୍ତି। ବାହାରକୁ ଆସି ଅଫିସ୍ ବାହାରେ ଛିଡ଼ା ହୋଇଥିବା ଯୁବକଙ୍କୁ ଆକ୍ରମଣ କରୁଛନ୍ତି। ୩ଟି ବାଇକ୍ରେ ୬ ଜଣ ଦୁର୍ବୃତ୍ତ ଆସି ଜଣ ଜଣ କରି ୩-୪ ଜଣ ଯୁବକଙ୍କୁ ହାଣି ପକାଇଛନ୍ତି। ଅଫିସ୍ ବାହାରେ ଥିବା ଏକ କାର୍ କାଚ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ତମାଣ୍ଡୋ ପୁଲିସ ଘଟଣାର ଛାନଭିନ୍ ଚଳାଇଛି।
ରାଜଧାନୀରେ ଗଲା କିଛିଦିନ ହେଲା ଏଭଳି ଅପରାଧ ବଢ଼ିଚାଲିଛି। ନୀଳାଦ୍ରି ବିହାର ପ୍ରେମିକ ହତ୍ୟାକାଣ୍ଡ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ସେହିପରି ଫେବ୍ରୁଆରି ୪ ତାରିଖରେ ନୟାପଲ୍ଲୀ ଅଞ୍ଚଳରେ ଗନ୍ ପଏଣ୍ଟରେ ବୃଦ୍ଧାଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଇଥିଲେ ଦୁର୍ବୃତ୍ତ।
Follow Us