କନକ ବ୍ୟୁରୋ : ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ । ହେଲେ ସେମାନଙ୍କ ଭବିଷ୍ୟତ ସହ ଖେଳୁଛି ଗଣଶିକ୍ଷା ବିଭାଗ । ଶିକ୍ଷାବର୍ଷର ଅବଧି ସରିଗଲେ ମଧ୍ୟ ମିଳୁନି ବହି ଓ ପୋଷାକ । ସିଏଜି ରିପୋର୍ଟ ଆସିବା ପରେ ବି ବିଭାଗର ମୌନବ୍ରତ ବଡ ଦୁର୍ନୀତିକୁ ଇସାରା କରୁଛି । ପିଲାଙ୍କୁ ନା ମିଳିଛି ମାଗଣା ୟୁନିଫର୍ମ ନା ମିଳୁଛି ବହି । ସିଏଜିର ପ୍ରକାଶିତ ରିପୋର୍ଟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ପଦାରେ ପଡିଛି । ଅଗଷ୍ଟ ଶେଷ ସୁଦ୍ଧା ୟୁନିଫର୍ମ ବଣ୍ଟନ ପାଇଁ ନିର୍ଦ୍ଦେଶ ଥିଲା । ହେଲେ ଶିକ୍ଷା ବର୍ଷ ସରିବାକୁ ବସିଲାଣି, ଶହ ଶହ ସଂଖ୍ୟାରେ ସ୍କୁଲରେ ଏଯାଏଁ ବଣ୍ଟାଯାଇନି ପୋଷାକ । ଭାତହାଣ୍ଡିରୁ ଗୋଟିଏ ଚାଉଳ ଚିପିଲା ଭଳି ବାଲେଶ୍ବରରେ ୧୦୬ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲ ପୋଷାକରୁ ବଞ୍ଚିତ । କାହିଁକି ଛାତ୍ରଛାତ୍ରୀଙ୍କୁ ପୋଷାକ ଦିଆଯାଉନି ? ତାହାର ଉତ୍ତର କାହା ପାଖରେ ନାହିଁ । ମନ୍ତ୍ରୀ, ସଚିବ ଓ ଅଧିକାରୀ ମୁହଁ ଖୋଲିବାକୁ ନାରାଜ। ଦୋଷ ଠେଲିବାରେ ବିଭାଗ ବ୍ୟସ୍ତ । ଏଭଳି ବିକଟ ସ୍ଥିତିରେ ସରକାରୀ ସ୍କୁଲରୁ ମୁହଁ ମୋଡୁଛନ୍ତି ଅଭିଭାବକ ।

Advertisment

କେବଳ ୟୁନିଫର୍ମ ବଣ୍ଟନରେ କେଳେଙ୍କାରୀ ହୋଇନି । ବ୍ୟାଗ୍, ବହି ଓ ସାଇକେଲ ବଣ୍ଟନରେ ମଧ୍ୟ ତଦ୍ରୁପ ସ୍ଥିତି । ବ୍ଲକ ପଏଣ୍ଟରେ ବହି ଗଦା ଗଦା ପଡିଥିଲା । ହେଲେ ଛାତ୍ରଛାତ୍ରୀଙ୍କୁ ପଢିବାକୁ ବହି ମିଳିନଥିଲା । ୨୦୧୮ରୁ ୨୦୨୩ ମଧ୍ୟରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ମିଳିନଥିଲା  ପଢା ବହି । ୫ ଜିଲ୍ଲାରେ ୪ ହଜାର ୨ଶହ ୪୯ ପିଲାଙ୍କୁ ମିଳିନଥିଲା ବହି । ତଥାପି ନା ଖୋଜାଯାଇଥିଲା କାରଣ ନା କାହା ଉପରେ ହୋଇଥିଲା କାର୍ଯ୍ୟାନୁଷ୍ଠାନ ? 

ଅଧିକ ପଢ଼ନ୍ତୁ--ହାଡ଼ଭଙ୍ଗା ଜାଡ଼ରେ ଫୁଟ୍‌ପାଥ୍‌ରେ ବିତୁଛି ଜୀବନ ; ରାଜଧାନୀରେ ସଂଘର୍ଷ କରୁଛନ୍ତି ନିରାଶ୍ରୟ

ପ୍ରଶ୍ନ ଉଠୁଛି, ପୂରା କେଳେଙ୍କାରୀ ପଛର କାର୍ପଟଦାର କିଏ ? ବର୍ଷ ବର୍ଷ ଧରି ସମାନ ଢଙ୍ଗରେ ଦୁର୍ନୀତି ହେଉଥିଲା ? ହେଲେ କାହା ନଜରକୁ କିପରି ଆସି ପାରୁନଥିଲା ? କାହା ସ୍ବାର୍ଥରେ ଚୁପ୍ ଥିଲା ବିଭାଗ ? କାହିଁକି କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ଜୁଟାଇ ପାରୁନାହାନ୍ତି ମନ୍ତ୍ରୀ ଓ ଅଧିକାରୀ ? କେଳେଙ୍କାରୀ ପଛରେ ଚାଲିଛି କି ବଡ଼ ସିଣ୍ଡିକେଟ୍‌ ?