ghar-kab-aaoge-song Photograph: (Kanak news)
କନକ ବ୍ୟୁରୋ : "ସନ୍ଦେଶେ ଆତେ ହୈଁ, ହମେ ତଡ଼ପାତେ ହୈଁ... ଯୋ ଚିଠି ଆତି ହୈ, ୱୋ ପୁଛେ ଜାତି ହୈ କି ଘର କବ୍ ଆଓଗେ..." ୨୦୨୬ ବର୍ଷର ଆରମ୍ଭ ୨୮ ବର୍ଷ ତଳର ଏକ ଏମିତି ସ୍ମୃତିରୁ ହୋଇଛି, ଯାହା ପ୍ରାୟ ସମସ୍ତଙ୍କ ପ୍ଲେ‘ଲିଷ୍ଟରେ ବାଜିବା ଆରମ୍ଭ କଲାଣି । ଦେଶର ପ୍ରତ୍ୟେକ ସ୍ରୋତାଙ୍କ ହୃଦୟ ଯେମିତି ପୁରୁଣା ସ୍ମୃତିରେ ହଜିଯାଇଛି । ଶୁକ୍ରବାର ସନ୍ଧ୍ୟାରେ ରିଲିଜ୍ ହୋଇଥିବା 'ବର୍ଡର-୨' ଚଳଚ୍ଚିତ୍ରର ଗୀତ 'ଘର କବ୍ ଆଓଗେ' ଇଣ୍ଟରନେଟରେ ବେଶ୍ ଧୁମ୍ ମଚାଉଛି ।
୧୯୯୭ ମସିହାରେ ରିଲିଜ୍ ହୋଇଥିବା ଜେପି ଦତ୍ତଙ୍କ ଚଳଚ୍ଚିତ୍ର 'ବର୍ଡର'ର ଏହି କାଳଜୟୀ ଗୀତକୁ ସିକ୍ୱେଲ୍ ଫିଲ୍ମରେ ପୁନର୍ବାର ରିକ୍ରିଏଟ୍ କରାଯାଇଛି । ଏହି ରିକ୍ରିଏସନ୍ ଏମିତି ହୋଇଛି ଯେ, ଯାହାର ପ୍ରଥମ ଧୁନ୍ ଶୁଣିବା ମାତ୍ରେ ଲୋମ ଟାଙ୍କୁରି ଉଠୁଛି ଏବଂ ମନ ଭାବୁକ ହୋଇଯାଉଛି । ଏହି କାରଣରୁ ଏହି ଗୀତଟି ରିଲିଜ୍ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ୟୁଟ୍ୟୁବ୍ରେ କେବଳ ଟପ୍ ଟ୍ରେଣ୍ଡ୍ ହେଉନାହିଁ, ବରଂ ପୁରୁଣା ସବୁ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛି ।
ଏ ଗୀତର ଧୁନ୍ ସତେ ଯେମିତି ଆତ୍ମାକୁ ଛୁଇଁଲା ଭଳି, ଦେଶଭକ୍ତିର ଭାବନା ଏବଂ ଗୋଟିଏ ପ୍ରଶ୍ନ - 'ଘରକୁ କେବେ ଆସିବ?' ବା ଘର କବ୍ ଆଓଗେ । 'ବର୍ଡର ୨'ର ଏହି ଗୀତକୁ ମିଳିଥିବା ରିଆକ୍ସନ ବାସ୍ତବରେ ଅଭୂତପୂର୍ବ । 'ଟି-ସିରିଜ୍'ର ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଗୀତର ମ୍ୟୁଜିକ୍ ଭିଡିଓକୁ ଖବର ଲେଖାଯିବା ସୁଦ୍ଧା ୨୫ ମିଲିଅନରୁ ଅଧିକ ଥର ଦେଖାଯାଇସାରିଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୮ ଲକ୍ଷରୁ ଅଧିକ 'ଲାଇକ୍ସ' ମିଳିଥିବା ବେଳେ ୩୯ ହଜାରରୁ ଅଧିକ 'କମେଣ୍ଟ୍ସ' ହୋଇଛି । ସୋସିଆଲ ମିଡିଆରେ ପ୍ରତ୍ୟେକ ୟୁଜର୍ସଙ୍କ ଉପରେ ଏବେ ଏହି ଗୀତର ଯାଦୁ ।
ଅଧିକ ପଢ଼ନ୍ତୁ---ବଡ଼ ଦିନରେ ଧୁରନ୍ଧରର ଅଲ ଟାଇମ୍ ରେକର୍ଡ, ବନିଲା ବଲିଉଡର ସବୁଠାରୁ ବଡ଼ ଫିଲ୍ମ
‘ଘର କବ୍ ଆଓଗେ’ ମ୍ୟୁଜିକ ଭିଡିଓ ରିଲିଜ୍ ହେବାର ମାତ୍ର ୩୦ ମିନିଟ୍ ମଧ୍ୟରେ ୟୁଟ୍ୟୁବ୍ରେ ୧ ମିଲିୟନ୍ ଭିୟୁଜ୍ର ମାଇଲଖୁଣ୍ଟ ଅତିକ୍ରମ କରିଥିଲା । ଅନ୍ୟପଟେ, ରିଲିଜ୍ ହେବାର ୩ ଘଣ୍ଟା ପରେ ହିଁ ଏହା ୟୁଟ୍ୟୁବ୍ରେ ନମ୍ବର ୧ ଟ୍ରେଣ୍ଡ୍ ରହିଛି । ସୋସିଆଲ ମିଡିଆରେ ମଧ୍ୟ ଏହି ଗୀତର କ୍ଲିପ୍ଗୁଡ଼ିକ ଖୁବ୍ ଭାଇରାଲ ହେଉଛି । ଏଥର ଏହି ଆବେଗପୂର୍ଣ୍ଣ ଗୀତଟିରେ ସୋନୁ ନିଗମଙ୍କ ସହିତ ଅରିଜିତ୍ ସିଂହ, ବିଶାଳ ମିଶ୍ରା, ଦିଲଜିତ୍ ଦୋସାଞ୍ଝ ଏବଂ ରୂପ କୁମାର ରାଠୋର ନିଜର ସ୍ୱର ଦେଇଛନ୍ତି । ୟୁଜର୍ସ ଏବଂ ପ୍ରଶଂସକମାନେ ପ୍ରତ୍ୟେକ କଣ୍ଠଶିଳ୍ପୀଙ୍କ ଗାୟକୀକୁ ଖୁବ୍ ପ୍ରଶଂସା କରୁଛନ୍ତି । ପ୍ରଶଂସକମାନେ କହୁଛନ୍ତି ଯେ, ପ୍ରତ୍ୟେକ ଗାୟକଙ୍କ ଭିନ୍ନ ଭିନ୍ନ ସ୍ୱର ଗୀତରେ ଅଲଗା ଭାବନା ଏବଂ ଗଭୀରତା ଭରିଦେଇଛି । 'ସନ୍ଦେଶେ ଆତେ ହୈଁ' ଗୀତକୁ ଯେଉଁଠି ଅନୁ ମଲିକ କମ୍ପୋଜ୍ କରିଥିଲେ, ସେହିପରି 'ଘର କବ୍ ଆଓଗେ' ଗୀତର ଓରିଜିନାଲ ଧୁନ୍ ସହିତ ମିଥୁନ ଏହାକୁ ସଙ୍ଗୀତରେ ସଜାଇଛନ୍ତି ।
Follow Us