Baragarh Court Photograph: (Kanak News)
କନକ ବ୍ୟୁରୋ : ବରଗଡ଼ ଜିଲ୍ଲା କୋର୍ଟକୁ ଆଜି ପୁଣିଥରେ ବୋମା ଧମକ ମିଳିଛି । ଏକ ଅଜଣା ଇ-ମେଲ୍ ମାଧ୍ୟମରେ କୋର୍ଟ ପରିସରକୁ ବୋମାରେ ଉଡ଼ାଇ ଦେବାର ଧମକ ଦିଆଯାଇଥିବା ସୂଚନା ମିଳିଛି । ଧମକ ପାଇବା ପରେ କୋର୍ଟ ପରିସରରେ ଆତଙ୍କର ମାହୋଲ ସୃଷ୍ଟି ହୋଇଛି । ଖବର ପାଇବା ମାତ୍ରେ ପୁଲିସ ଓ ବମ୍ ସ୍କ୍ୱାଡ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସମସ୍ତ କର୍ମଚାରୀ, ଓକିଲ ଓ ବ୍ୟକ୍ତିବିଶେଷଙ୍କୁ ତୁରନ୍ତ କୋର୍ଟ ଭବନ ବାହାରକୁ ବାହାର କରାଯାଇଛି । ପୁଲିସ୍ ପକ୍ଷରୁ କୋର୍ଟ ପରିସରର ତନ୍ନତନ୍ନ ଯାଞ୍ଚ ଚାଲିଛି ।
ଅଧିକ ପଢନ୍ତୁ : ପିଞ୍ଜରାର ଶୁଆ ଭଳି ଧାରଣାରୁ ଦୂରେଇ ରୁହ: ସିବିଆଇକୁ କଡ଼ା ନିର୍ଦ୍ଦେଶ ଜାରି କଲେ ସୁପ୍ରିମକୋର୍ଟ
ବମ୍ ସ୍କ୍ୱାଡ୍ ସ୍ନିଫର ଡଗ୍ ସହିତ ପରିସର ଖାନତଲାସୀ କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ବରଗଡ଼ ସମେତ ରାଜ୍ୟର ବିଭିନ୍ନ କୋର୍ଟକୁ ଏଭଳି ବୋମା ଧମକ ମିଳିଥିଲା, ଯାହା ପରେ ଅଧିକାଂଶ କ୍ଷେତ୍ରରେ ଗୁଜବ ବା ହୋଏକ୍ସ୍ ବୋଲି ଜଣାପଡ଼ିଥିଲା । ତେବେ ଏଥର ଧମକ ପରେ ପୁଲିସ୍ ଏହାର ଉତ୍ସ ଖୋଜିବା ସହ ସାଇବର ସେଲ୍ ମାଧ୍ୟମରେ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ବସ୍ତୁ ମିଳିନାହିଁ । ପରିସ୍ଥିତି ଉପରେ ପୁଲିସ ନଜର ରଖିଛି ଏବଂ ଯାଞ୍ଚ ଜାରି ରହିଛି । ଏହି ଘଟଣା ସମ୍ବଲପୁର କୋର୍ଟରେ ସମ୍ପ୍ରତି ମିଳିଥିବା ଧମକ ପରେ ଆସିଛି, ଯାହା ରାଜ୍ୟରେ କୋର୍ଟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ।
Follow Us